କୁଚବେ​ହାର ଟ୍ରଫିରେ ସ୍ଥାନ ପାଇଲେ ସମ୍ବଲପୁରର ୨ ଜଣ  

ସମ୍ବଲପୁର: ଆସନ୍ତା ୨୬ ତାରିଖରୁ ସମ୍ବଲପୁରରେ ଖେଳା ଯିବାକୁ ଥିବା ଓଡ଼ିଶା-ହରିଆଣା ୧୯ ବର୍ଷରୁ କମ୍‌ କୁଚବେହାର ଟ୍ରଫି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳରେ ସମ୍ବଲପୁରର ଦୁଇ ଜଣ ସ୍ଥାନ ପାଇଛନ୍ତି। ଉଦୀୟମାନ ବ୍ୟାଟ୍‌ସମ୍ୟାନ୍ ଅଭିନବ ନନ୍ଦ ଖେଳାଳିଭାବେ ପ୍ରଥମଥର ପାଇଁ ରାଜ୍ୟ ଦଳରେ ସାମିଲ ହୋଇଥିବାବେଳେ ବରିଷ୍ଠ ଖେଳାଳି ତଥା ଅମ୍ପାୟାର୍ ଅବିନାଶ ନନ୍ଦ ଓଡ଼ିଶା ଟିମ୍ ମ୍ୟାନେଜର୍‌ ଦାୟିତ୍ବ ପାଇଛନ୍ତି। ଗତ ମ୍ୟାଚ୍‌ରେ ଆନ୍ଧ୍ର ପ୍ରଦେଶଠାରୁ ଓଡ଼ିଶାର ପାଳି ପରାଜୟ ପରେ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇ ସମ୍ବଲପୁରର ଅଭିନବଙ୍କୁ ସାମିଲ କରାଯାଇଛି। ୧୦ ବର୍ଷ ବୟସରୁ କମିସନର୍ସ କଲୋନି କ୍ରିକେଟ୍ କ୍ଲବ୍‌ରେ ଭୂପିନ୍ଦର ପଟେଲଙ୍କ ପ୍ରଶିକ୍ଷଣ ଓ ସାବିର ହୁସେନ୍‌ଙ୍କ ତତ୍ତ୍ବାବଧାନରେ ସେ କ୍ରିକେଟ୍ ଖେଳ ଆରମ୍ଭ କରିଥିଲେ। ଅଭିନବ ଜାତୀୟସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ କ୍ରୀଡ଼ାରେ ଭାଗ ନେଇଛନ୍ତି। ଅନ୍ତଃବିଦ୍ୟାଳୟ ଓ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଚଳିତ ବର୍ଷ ୯୦% ନମ୍ବର ରଖି ଦଶମ ପାସ୍ କରିଥିବା ଅଭିନବ ଏବେ ଭୁବନେଶ୍ବର ବିଜେବି କଲେଜ୍‌ରେ +୨ କଳା ପ୍ରଥମ ବର୍ଷ ଛାତ୍ର। ସେ ନନ୍ଦପଡ଼ା ମୂଳ ନିବାସୀ ଓ ବର୍ତ୍ତମାନ କମିସନର୍ସ କଲୋନିରେ ରହୁଥିବା ଶାନ୍ତନୁ ନନ୍ଦ ଏବଂ ଅପରାଜିତା ନନ୍ଦଙ୍କ ସୁପୁତ୍ର। ଏହି ସୁଯୋଗ ପାଇଁ ଅଭିନବ ନିଜ ପିତାମାତା, କ୍ଲବ୍‌ର ବରିଷ୍ଠ ସଦସ୍ୟ, ସାଥୀ ଖେଳାଳି, ଡିଏଏ ଉପସଭାପତି ଦୁଲାଲ ପ୍ରଧାନ ଏବଂ ଓସିଏ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସେହିପରି ୨୦୦୬ରୁ ୨୦୨୦ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ସମ୍ବଲପୁର ଜିଲ୍ଲା ଦଳ ପାଇଁ କଳାହାଣ୍ଡି କପ୍ ଖେଳିଥିବା, ଅଧିନାୟକତ୍ବ କରିଥିବା ଅବିନାଶ ନନ୍ଦ ମଧ୍ୟ ନିଜ ସମୟର ଜଣେ ଜଣାଶୁଣା କ୍ରିକେଟର୍‌। ସେ ୨୦୧୧ ଓ ୨୦୧୩ରେ ଓଡ଼ିଶା ପ୍ରିମିୟର୍‌ ଲିଗ୍ ଖେଳିଥିବାବେଳେ ପ୍ରଥମଥର ଚାମ୍ପିଅନ୍ ଦଳର ସଦସ୍ୟ ଥିଲେ। ବର୍ତ୍ତମାନ ସେ ଓଡ଼ିଶା ପ୍ୟାନେଲ୍ ଅମ୍ପାୟାର୍‌ ଓ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘର କ୍ରିକେଟ୍ ସଂପାଦକ ଅଛନ୍ତି। ଜଗନ୍ନାଥ କଲୋନି କ୍ଲବ୍‌ରୁ କ୍ରିକେଟ୍ ଖେଳୁଥିବା ଅବିନାଶ ମଧ୍ୟ ନନ୍ଦପଡ଼ା ମୂଳନିବାସୀ। ପ୍ରଥମଥର ପାଇଁ ମ୍ୟାନେଜର୍‌ଭାବେ ସୁଯୋଗ ଦେଇଥିବାରୁ ସେ ଓସିଏ ସଂପାଦକ ସଂଜୟ ବେହେରା ଏବଂ ଡିଏଏ ଉପସଭାପତି ଦୁଲାଲ ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର