ପୁଣି ରେଳବାଇର ଅବହେଳା: ଗୋଟିଏ ଲାଇନରେ ପାସେଞ୍ଜର ଓ ଦୁଇ ଏକ୍ସପ୍ରେସ ଟ୍ରେନ୍

ରାଉରକେଲା: ପାନପୋଷ-ରାଉରକେଲା ଷ୍ଟେସନ ମଧ୍ୟରେ ଗୋଟିଏ ଟ୍ରାକ୍‌ରେ ଆସି ଯାଇଥିଲା ଦୁଇଟି ଏକ୍ସପ୍ରେସ୍‌ ଓ ଗୋଟିଏ ପେସେଞ୍ଜର ଟ୍ରେନ୍‌। ପ୍ରଥମେ ଝାରସୁଗୁଡା-ରାଉରକେଲା ମେମୁ ପେସେଞ୍ଜର, ଦ୍ବିତୀୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଓ ଶେଷରେ ଅନ୍ୟ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ଛିଡା ହୋଇଥିବା ଦେଖି ଟ୍ରେନ୍‌ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ। ଗୋଟିଏ ଟ୍ରାକ୍‌ରେ ମାତ୍ର ୧୫୦/୨୦୦ ମିଟର ବ୍ୟବଧାନରେ ତିନିଟି ଟ୍ରେନ୍‌ ଛିଡା ହୋଇଥିବା ଦେଖି ସ୍ଥାନୀୟ ବସ୍ତିବାସିନ୍ଦା ଓ ବାସନ୍ତୀ ଓଭରବ୍ରିଜ୍‌ର ପଥଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଦୃଶ୍ୟ ଦେଖିବାକୁ ଓଭରବ୍ରିଜ ଉପରେ ବେଶ୍‌ ଭିଡ଼ ଜମିଥିଲା। ପ୍ରାୟ ଅଧଘଣ୍ଟା ପରେ ମୁଖ୍ୟ ମୁମ୍ବାଇ-ହାୱଡା ରେଳ ମାର୍ଗରେ ଯାତାୟତ ସ୍ବାଭାବିକ ହୋଇଥିଲା।

ଅତ୍ୟାଧୁନିକ ନୂଆ ସ୍ବୟଂଚାଳିତ ସିଗ୍‌ନାଲ ବ୍ୟବସ୍ଥାରୁ ଏଭଳି ହୋଇଥିବା ଷ୍ଟେସନ ମ୍ୟାନେଜର ପ୍ରଭାତ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଉରକେଲା ଷ୍ଟେସନର ସମ୍ପ୍ରସାରଣ, ଅତ୍ୟାଧୁନିକ ସିଗ୍‌ନାଲ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆଧୁନିକ କାର୍ଯ୍ୟରେ ୩୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ପରୀକ୍ଷାମୂଳକ ଭାବେ ପୂର୍ବରୁ ମାଲଗାଡ଼ିରେ ଏମିତି କରାଯାଇଥିଲା। ଏବେ ଯାତ୍ରୀବାହୀ ଟ୍ରେନ୍‌ରେ ଏହି ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ପରୀକ୍ଷା କରାଯାଉଛି। ଏଥିରେ ଯାତ୍ରୀମାନେ ଆତଙ୍କିତ ହେବାର କିଛି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୧୬ରେ ବାସନ୍ତୀକଲୋନି ବିରଜାପାଲି ବସ୍ତି ନିକଟରେ ଏମିତି ଘଟଣା ଘଟିଥିଲା। ଦୁଇଟି ମାଲଗାଡ଼ି ମଧ୍ୟରେ ମାତ୍ର ୧୫୦ ମିଟର ବ୍ୟବଧାନ ରହି ଯାଇଥିଲା।

ଗୋଟିଏ ଲାଇନ୍‌ରେ ଦୁଇଟି ମାଲଗାଡ଼ି ଦେଖି ବସ୍ତିର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ସମ୍ପର୍କରେ ରାଉରକେଲା ଷ୍ଟେସନକୁ ଜଣାଇଥିଲେ। ସୂଚନା ପାଇ ରାଉରକେଲା ଷ୍ଟେସନର ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଷ୍ଟେସନର ପ୍ଲାଟଫର୍ମ ସଂଖ୍ୟା ୫ରୁ ୭କୁ ବୃଦ୍ଧି କରାଯାଇଛି। ଅଟୋମେଟିକ୍‌ ସିଗ୍‌ନାଲ ବ୍ୟବସ୍ଥା ପରେ ଏଣିକି ‌ଗୋଟିଏ ଲାଇନ୍‌ରେ ସ୍ବଳ୍ପ ସମୟ ବ୍ୟବଧାନରେ ୨ରୁ ୩ଟି ଗାଡ଼ି ଆସିପାରିବେ। ନୂଆ ବ୍ୟବସ୍ଥାରେ ଗାଡ଼ିର ଲୋକପାଇଲଟ୍‌ ଧୀରେ ଚଳାଇବେ, ଦରକାର ପଡ଼ିଲେ ଛିଡ଼ା ମଧ୍ୟ କରିପାରିବେ। ଟ୍ରାଫିକ୍‌ ସମସ୍ୟା ଏଡାଇବାକୁ ଆଗାମୀ ଦିନରେ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର