ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିସ୍ଫୋରକ: ସଂଘର୍ଷ କରି ଜୀବନ ଗଲା

ଶିକାରୀଙ୍କ ଚକ୍ରବ୍ୟୂହରେ ଫସିଗଲା ଦନ୍ତା

ଭୁବନେଶ୍ବର/ମେଣ୍ଢାଶାଳ: ଭରତପୁର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ପାଟିରେ ବାଣ ବିସ୍ଫୋରଣରେ କ୍ଷତାକ୍ତ ଅବସ୍ଥାରେ ପ୍ରାୟ ୧୬ ଦିନ ଧରି ଘୂରି ବୁଲୁଥିବା ଦନ୍ତା ଗତକାଲି ରାତିରେ ପ୍ରାଣ ହରାଇଛି। ବନ ବିଭାଗ, ଓୟୁଏଟି ପ୍ରଫେସର ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ସମସ୍ତ ପ୍ରକାର ଉଦ୍ୟମ ପରେ ମଧ୍ୟ ପାଟିରେ ୮୫% କ୍ଷତାକ୍ତ ହୋଇଥିବା‌ ଦନ୍ତାହାତୀ ଶେଷରେ ଆଖି ବୁଜିଛି। ବନ ବିଭାଗ ପକ୍ଷରୁ ହାତୀର ଶବ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯାଇଛି। ଶିକାରୀଙ୍କ ପଞ୍ଝାରେ ପଡ଼ି ପ୍ରାଣ ହରାଇଥିବା ଦନ୍ତାହାତୀର ପାଟିରେ କିଭଳି ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଖାଦ୍ୟରେ ବିସ୍ଫୋରକ ସାମଗ୍ରୀ ଦିଆଯାଇ ଦନ୍ତାହାତୀକୁ ହତ୍ୟା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି ଯେ ୧୫ରୁ ୧୬ ଦିନ ତଳେ ଖୋର୍ଦ୍ଧା ବନଖଣ୍ଡରୁ ଏକ ୬ ଟିକିଆ

ହାତୀ ଦଳ ଭରତପୁର ଆସିଥିଲେ। ସେଥିରେ ୨ଟି ଦନ୍ତା, ୩ଟି ମାଈ ଓ ଗୋଟିଏ ଛୁଆ ହାତୀ ରହିଥିଲେ। ଭରତପୁର ଜଙ୍ଗଲରେ ଚଳପ୍ରଚଳ କରୁଥିବା ବେଳେ ଏହି ଦନ୍ତାଟି ଅନ୍ୟମନସ୍କ ରହୁଥିବା ଦୁଇ ଦିନ ତଳେ ନଜରକୁ ଆସିଥିଲା। ବନ ବିଭାଗ ଅଧିକାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ତେବେ ଗତକାଲି ଅପରାହ୍ଣରେ ଅସୁସ୍ଥ ଦନ୍ତାଟି ହଠାତ୍‌ ତଳେ ପଡ଼ିଯିବାରୁ ବନ ବିଭାଗ ଅଧିକାରୀମାନେ ବିଶେଷଜ୍ଞଙ୍କ ସହାୟତାରେ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ଓୟୁଏଟି ଓ ନନ୍ଦନକାନନର ବିଶେଷଜ୍ଞମାନେ ପ୍ରାୟ ୪ ଘଣ୍ଟା ଧରି ଚିକିତ୍ସା‌ କରିଥିଲେ। ତା’ପରେ ମଧ୍ୟ ହାତୀଟି ବଞ୍ଚିପାରି ନ ଥିଲା। ରାତି ପ୍ରାୟ ୧୨ଟା ସମୟରେ ତା’ର ମୃତ୍ୟୁ ହୋଇଛି। ଅନୁମାନ କରାଯାଉଛି ଯେ ବାର୍‌ହା ଶିକାର ପାଇଁ ଶିକାରୀମାନେ କଖାରୁ, ସପୁରି ପରି ଖାଦ୍ୟରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରିଥାନ୍ତି। ତାହାକୁ ଖାଇବା ପରେ ହାତୀ ପାଟିରେ ବିସ୍ଫୋରଣ ହୋଇଛି। ଫଳରେ ତା’ ପାଟିର ମାଢ଼ି, ଜିଭ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଖାଦ୍ୟ ଗ୍ରହଣ କରି ନ ପାରିବାରୁ ଅଧିକ ଅସୁସ୍ଥ ହୋଇ ଗତକାଲି ଭରତପୁର ଜଙ୍ଗଲରେ ପଡ଼ି ଯାଇଥିଲା। ଏବେ ଘଟଣାର ତଦନ୍ତ କରାଯାଉଛି। ହାତୀଟିକୁ କେଉଁଠି ବିସ୍ଫୋରକ ଦିଆଯାଇଛି ତାହାର ତଦନ୍ତ ଚାଲିଛି। ଦୋଷୀ ଜଣାପଡ଼ିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚିକିତ୍ସା କରୁଥିବା ଓୟୁଏଟି ପ୍ରାଣୀ ବିଶେଷଜ୍ଞ ପ୍ରଫେସର ଇନ୍ଦ୍ରମଣି ନାଥ କହିଛନ୍ତି ଯେ ହାତୀର ମାଢ଼ି ହାଡ଼ ସମ୍ପୂର୍ଣ୍ଣ ଫାଟିଯାଇଥିଲା। କୌଣସି ଖାଦ୍ୟ ଗ୍ରହଣ କରିବା ଅବସ୍ଥାରେ ସେ‌ ନ ଥିଲା। ୧୫ ଦିନରୁ ଅଧିକ ସମୟ ହେଲା ଖାଦ୍ୟ ଗ୍ରହଣ ନ କରିବାରୁ ତା’ର ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ଦୁର୍ବଳ ହୋଇଯାଇଥିଲା। ଖବର ପାଇ ଗତକାଲି ଅପରାହ୍ଣରେ ହାତୀ ନିକଟରେ ପହଞ୍ଚିଲା ବେ‌ଳକୁ ସେ ତଳେ ପଡ଼ିଯାଇଥିଲା। ପ୍ରଥମେ ସାଲାଇନ୍‌ ଓ ପରେ ଆଣ୍ଟିବାୟୋଟିକ୍‌ ଦିଆଯାଇ ଚିକିତ୍ସା କରାଯାଇଥିଲା। ମାତ୍ର ସେ ଉଠିପାରି ନ ଥିଲା। କୌଣସି ପ୍ରକାର ଟ୍ରାଙ୍କୁଲାଇଜ କରାଯାଇ ନାହିଁ। ହାତୀଟିର ପାଟିରେ ପୋକ ହୋଇଯାଇଥିବାରୁ ଅନୁମାନ କରାଯାଉଛି ଯେ ୧୫ରୁ ୨୦ ଦିନ ତଳେ ହାତୀଟିକୁ ଖାଦ୍ୟରେ ବିସ୍ଫୋରକ ଦିଆଯାଇଥିଲା।

ସମ୍ବନ୍ଧିତ ଖବର