ତାଳବଣିଆ ଗୋଲେଇ ଛକ ସୌନ୍ଦର୍ଯ୍ୟୀକରଣ: ମାଟି ପକାଇ ପୋତିଥିଲେ, ପୁଣି କାଢ଼ିଲେ

ବର୍ଷେ ତଳେ ପୂର୍ତ୍ତ ବିଭାଗ ଖର୍ଚ୍ଚ କରିଥିଲା ଲକ୍ଷାଧିକ, ଏବେ ପୁଣି ଖର୍ଚ୍ଚ କରିବ ପୌରପାଳିକା

ପୁରୀ : ପୁରୀ ପୌରାଞ୍ଚଳ ଅଧୀନ ତାଳବଣିଆ ହେଲିପ୍ୟାଡ୍‌ ଗୋଲେଇ ଛକ ଥିବା ରୋଟାରି କାମକୁ ନେଇ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି। ଯେଉଁ ଜାଗାରେ ବର୍ଷେ ତଳେ ପୂର୍ତ୍ତ ବିଭାଗ ସୌନ୍ଦର୍ଯ୍ୟୀକରଣ ପାଇଁ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଖର୍ଚ୍ଚ କରିଥିଲା, ସେହି ଜାଗାରେ ପୁରୀ ପୌରପାଳିକା ପୁଣି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ଯେଉଁ ମାଟି କିଣା ହୋଇ ପୋତା ହୋଇଥିଲା, ସେହି ମାଟି ଖର୍ଚ୍ଚ କରି କଢ଼ାଯାଇଛି ଓ ଅଦରକାରୀ ବସ୍ତୁ ଭାବେ ଠିକାଦାରକୁ ଟେକି ଦିଆଯାଇଛି। ସେପଟେ ଚକ୍ରତୀର୍ଥ ରୋଡ୍‌ରୁ ଭୂଦାନ ଛକ ପର୍ଯ୍ୟନ୍ତ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ରାସ୍ତା ସଂପ୍ରସାରଣ କରାଯାଇଛି। ଏଣୁ ପୌରପାଳିକାର ଏହି ସୌନ୍ଦର୍ଯ୍ୟୀକରଣ କାମ ପୁଣିଥରେ ଭାଙ୍ଗିବା ଆଶଙ୍କା ଦେଖାଦେଇଛି।

ଶ୍ରୀକ୍ଷେତ୍ର କଲୋନିରୁ ତାଳବଣିଆ ପଡ଼ିଆ, ଆଇଟିଆଇ ଆଡ଼କୁ ସଂଯୋଗ କରୁଥିବା ରାସ୍ତା କାମ କରିଥିଲା ପୂର୍ତ୍ତ ବିଭାଗ। ହେଲିପ୍ୟାଡ୍‌ ସମ୍ମୁଖ ରାସ୍ତାକୁ ପିଚୁ କରାଯାଇଥିଲା। ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ତ୍ତ ବିଭାଗ। ଏହି କାମ ପୂର୍ବରୁ ତାଳବଣିଆର ଏହି ଚାରିଛକରେ ଏକ ଟ୍ରାଫିକ୍‌ ପୋଷ୍ଟ ରହିଥିଲା। ପରେ ଏହାକୁ ହଟାଇ ଏକ ରୋଟାରି(ଗୋଲେଇ ଛକ) ତିଆରି ହୋଇଥିଲା। ମାଡ଼ି ପକାଇ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ଏ ବାବଦରେ ସେ ସମୟରେ ପୂର୍ତ୍ତ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲା। ଏବେ ବି ଏହି ଗୋଲେଇ ଛକ ଅକ୍ଷତ ଓ ସୁନ୍ଦର ରହିଛି। କିନ୍ତୁ ବର୍ଷେ ପରେ ପୁଣିଥରେ ଏହି ରୋଟାରିକୁ ପୌରସଂସ୍ଥା ଖନନ କରିବା ଆରମ୍ଭ କରିଛି। ରୋଟାରି ଭିତରେ ଯେଉଁ ମାଟି ପଡ଼ିଥିଲା ତାକୁ କାଢ଼ି ଭିତର ପାର୍ଶ୍ବରେ ଇଟାରେ ଗୋଲାକାର ଆକୃତିର କିଛି ନିର୍ମାଣ କରାଯାଉଛି। ଏହି ଛକକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ବି ସଂପ୍ରସାରଣ କରାଯାଉଛି। ‌ଏ ସଂପର୍କରେ ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ପୌରସଂସ୍ଥା ପକ୍ଷରୁ ତାଳବଣିଆର ଏହି ରୋଟାରିକୁ ଆହୁରି ସୁନ୍ଦର କରାଯିବ। ଏହି ଜାଗାରେ ହରିହରାନନ୍ଦ ଆଶ୍ରମର ଏକ ମୂର୍ତ୍ତି ଲାଗିବ। ଏହା ଚାରିପଟେ ନାନାଦି ଫୁଲ ଗଛ ଲାଗିବ। ଏହି କାମ ପରେ ରୋଟାରିଟି ଆହୁରି ସୁନ୍ଦର ଦିଶିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର