ପଞ୍ଚାୟତ ନିର୍ବାଚନ ପାଇଁ ବଡ଼ ପ୍ରସ୍ତୁତି, ବାହାରିଲା ଚିଠା ସଂରକ୍ଷଣ ତାଲିକା

ପୌର ଆଇନରେ ସଂଶୋଧନକୁ ରାଜ୍ୟପାଳଙ୍କ ଅନୁମୋଦନ

ସାରା ରାଜ୍ୟରେ ରାଜନୈତିକ ପରିବେଶ ଚଳଚଞ୍ଚଳ
ଆଶାୟୀଙ୍କ ଅସନ୍ତୋଷ, ବିଧାୟକଙ୍କ ଘରେ ମେଳି
ନଭେମ୍ବରରେ ଭୋଟର୍ ତାଲିକା ସଂଶୋଧନ

ଭୁବନେଶ୍ବର : ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ପାଇଁ ବହୁ ପ୍ରତୀକ୍ଷିତ ଚିଠା ସଂରକ୍ଷଣ ତାଲିକା ଶୁକ୍ରବାର ଦିନ ପ୍ରକାଶ ପାଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଏହି ତାଲିକା ପ୍ରକାଶ କରିଛନ୍ତି। ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବି ପାଇଁ ଏହି ତାଲିକା ପ୍ରସ୍ତୁତ କରାଯାଇଛି। କେବଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଆସନ୍ତା ୧୬ ତାରିଖ ରାଜ୍ୟ ସରକାର ସିଧାସଳଖ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବେ। ଆଜି ତାଲିକା ପ୍ରକାଶ ପାଇବା ପରେ ସାରାରାଜ୍ୟରେ ରାଜନୈତିକ ପରିବେଶ ସରଗରମ ହୋଇଉଠିଛି।

ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ପାଇଁ ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ୧୬ ତାରିଖ ସୁଦ୍ଧା ଜଣାଇବେ। ଜିଲ୍ଲାପାଳମାନେ ୨୧ ତାରିଖ ସୁଦ୍ଧା ଆପତ୍ତି, ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ। ୨୬ ତାରିଖରେ ଜିଲ୍ଲାପାଳମାନେ ସିଧାସଳଖ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଦେବେ।

ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ୧୮ ତାରିଖ ସୁଦ୍ଧା ଜଣାଇପାରିବେ। ଜିଲ୍ଲାପାଳମାନେ ୨୨ ତାରିଖ ସୁଦ୍ଧା ଆପତ୍ତି, ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ। ଏହାପରେ ଏହି ତାଲିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବେ। ରାଜ୍ୟ ସରକାର ୨୯ ତାରିଖରେ ଏହାକୁ ଅନୁମୋଦନ ଦେବା ସହ ୩୦ ତାରିଖରେ ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଚୂଡ଼ାନ୍ତ ତାଲିକା ହସ୍ତାନ୍ତର କରିବେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଆସନ୍ତା ୧୬ ତାରିଖରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରାଯିବ। ଏହା ଉପରେ ଲୋକଙ୍କ ଆପତ୍ତି ଅଭିଯୋଗ ଆସିଲା ପରେ ସରକାର ତାହାକୁ ବିଚାର କରି ୨୬ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ ଓ ୨୯ ତାରିଖରେ ତାହାକୁ ନିର୍ବାଚନ କମିସନ୍‌ଙ୍କୁ ପ୍ରଦାନ କରିବେ। ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରାଯିବ।

ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ସଂରକ୍ଷଣ ତାଲିକା ଆସିଲା ପରେ ରାଜ୍ୟ ନିର୍ବାଚନ କମିସନ୍ ଭୋଟର୍ ତାଲିକା ପ୍ରସ୍ତୁତି କାର୍ଯ୍ୟ କରିବେ। ଏଥି ପାଇଁ ଦେଢ଼ରୁ ଦୁଇ ମାସ ସମୟ ଲାଗିବ। ଭୋଟର୍ ତାଲିକା ପ୍ରସ୍ତୁତ ହେଲା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ।

ଆଜି ଜିଲ୍ଲା ସ୍ତରରେ ତାଲିକା ପ୍ରକାଶ ପାଇଲା ପରେ ସାରା ରାଜ୍ୟରେ ରାଜନୀତି ଚଳଚଞ୍ଚଳ ହୋଇଯାଇଛି। ଉଭୟ ଶାସକ ଓ ବିରୋଧୀ ଶିବିରରେ ତନାଘନା ଚାଲିଛି। ଗାଁ ଗାଁରେ ଆଶାୟୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ସବୁଠାରୁ ଅଧିକ ଅଡ଼ୁଆରେ ପଡ଼ିଯାଇଛନ୍ତି ଶାସକ ଦଳ ବିଧାୟକମାନେ। ବହୁ ଜିଲ୍ଲାରେ ସରପଞ୍ଚ ପଦବି ପାଇଁ ଅଧିକ ସଂଖ୍ୟାରେ ଆଶାୟୀ ଥିବାରୁ ସଂରକ୍ଷଣକୁ ନେଇ ଅଧିକାଂଶ ପଞ୍ଚାୟତରେ ଅସନ୍ତୋଷ ଦେଖିବାକୁ ମିଳିଛି। ତାଲିକାରେ ସଂଶୋଧନ ପାଇଁ ବିଧାୟକମାନଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ଏପରିକି ଆଜି ବିଭିନ୍ନ ଜିଲ୍ଲାରୁ ଆଶାୟୀ ପ୍ରାର୍ଥୀମାନେ ଭୁବନେଶ୍ବରରେ ବିଧାୟକମାନଙ୍କ ବାସଭବନରେ ଭିଡ଼ ଜମାଇଛନ୍ତି। ଆଜି ସନ୍ଧ୍ୟାରେ ବହୁ ବିଧାୟକଙ୍କ ଘରେ ଗହଳି ଦେଖିବାକୁ ମିଳିଥିଲା। ଗୋଟିଏ ଗୋଟିଏ ପଞ୍ଚାୟତ ଓ ଜୋନ୍ ପାଇଁ ଏକାଧିକ ଆଶାୟୀ ନିଜକୁ ସୁହାଇଲା ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ ବିଧାୟକଙ୍କ ପାଖରେ ଅଡ଼ି ବସିଛନ୍ତି। ବିଶେଷ କରି ସରପଞ୍ଚ ପଦବି ପାଇଁ ସର୍ବାଧିକ ଆଶାୟୀ ରହିଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇ କିପରି ଆଗାମୀ ଦିନରେ ପଞ୍ଚାୟତରେ ବିଧାୟକମାନେ ଗୋଟି ଚାଳନା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ଏକ ସପ୍ତାହ ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ୧୬ ଓ ୧୮ ତାରିଖ ପରେ ସଂରକ୍ଷଣ ଚିତ୍ର ସ୍ପଷ୍ଟ ହେଲା ପରେ ଗାଁ ରାଜନୀତି କେଉଁ ମୋଡ଼ ନେଉଛି, ତାହା ଜଣାପଡ଼ିବ।

DNA India

ଯଦି ଧାର୍ଯ୍ୟ ତାରିଖ ଅନୁଯାୟୀ ସବୁ କାର୍ଯ୍ୟ ଠିକ୍ ଭାବେ ଚାଲେ, ତେବେ ଡିସେମ୍ବର ଶେଷ ସପ୍ତାହ କିମ୍ବା ଜାନୁଆରି ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ପୂର୍ବ ଥର ପରି ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ପର୍ଯ୍ୟାୟକ୍ରମେ ନିର୍ବାଚନ ଆରମ୍ଭ ହେବାର ସମ୍ଭାବନା ରହିଛି।

୧୦ ଜିଲ୍ଲାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରକାଶ ପାଇପାରିଲାନି ତାଲିକା
ଭୁବନେଶ୍ବର : ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ୧୦ଟି ଜିଲ୍ଲାରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇପାରି ନାହିଁ। ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର, ବରଗଡ଼, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତାଲିକା ପ୍ରକାଶ କରିପାରି ନାହିଁ। ରାତିରେ ପ୍ରକାଶ ପାଇବ କି ନାହିଁ, ସେ ସମ୍ପର୍କରେ ମଧ୍ୟ ପ୍ରଶାସନ ସ୍ପଷ୍ଟ କରିପାରି ନାହିଁ। ଏପରିକି ଆସନ୍ତାକାଲି ସକାଳେ ତାଲିକା ଆସିବ ବୋଲି କିଛି ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଚିଠା ତାଲିକା ପାଇଁ ୮ ତାରିଖ ଧାର୍ଯ୍ୟ କରିଥିଲା ବେଳେ ଜିଲ୍ଲା ସ୍ତରରେ ଏହାକୁ ଉଲ୍ଲଂଘନ କରାଯାଇଛି। ତେବେ ତାଲିକା ପ୍ରସ୍ତୁତ ପାଇଁ ସରକାର ଖୁବ୍ କମ୍ ସମୟ ଦେଇଥିବାରୁ ଏପରି ଅସୁବିଧା ସୃଷ୍ଟି ହୋଇଛି ବୋଲି କିଛି ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ପୌର ଆଇନରେ ସଂଶୋଧନକୁ ରାଜ୍ୟପାଳଙ୍କ ଅନୁମୋଦନ
ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦% ଭିତରେ ସୀମିତ ରଖାଯିବ। ଏଥିପାଇଁ ପୌର ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହି ସଂଶୋଧନ ବିଲ୍ ଗତ ମାସ ୭ ତାରିଖରେ ବିଧାନସଭାରେ ପାରିତ ହୋଇଥିଲା। ବିଲ୍‌କୁ ରାଜ୍ୟପାଳ ଅନୁମୋଦନ ଦେବାପରେ ଗତକାଲି ରାଜଭବନ ପକ୍ଷରୁ ତାହାକୁ ଆଇନ ବିଭାଗକୁ ପଠାଇ ଦିଆଯାଇଛି। ତେଣୁ ଆଇନ ବିଭାଗ ପକ୍ଷରୁ ଯେ କୌଣସି ସମୟରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଏହାପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ବାଟ ଫିଟିବ।

ତେବେ ସରକାର ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଉପରେ ଧ୍ୟାନ ରଖିଥିବାରୁ ସେହି ସମୟରେ ପୌର ନିର୍ବାଚନ ହେବାର ସମ୍ଭାବନା କମ୍। ଆସନ୍ତା ବର୍ଷ ଦ୍ବିତୀୟାର୍ଦ୍ଧରେ ପୌର ନିର୍ବାଚନ ହୋଇପାରେ।

ସମ୍ବନ୍ଧିତ ଖବର