ବିଜେପୁର ମୈଦାନ: ଏଥର ରୀତାଙ୍କ ପାଇଁ ପରୀକ୍ଷାର ବେଳ

ପଞ୍ଚାୟତ ନିର୍ବାଚନ ସଫଳତା ବିଜେପିର ପୁଞ୍ଜି, ପୂର୍ବ ଗୌରବ ଫେରିପାଇବା ଲକ୍ଷ୍ୟରେ କଂଗ୍ରେସ

ବିଜେପୁର: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଥିବା ବିଜେପୁର ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ପ୍ରସଙ୍ଗକୁ ନେଇ କେହି କିଛି କହିପାରୁ ନାହାନ୍ତି। ତେଣୁ ନିଜନିଜ ଢଙ୍ଗରେ ଆଶାୟୀ ପ୍ରାର୍ଥୀମାନେ ସଭାସମିତି ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରୁଛନ୍ତି। ମନ୍ତ୍ରୀ ରୀତା ସାହୁ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି। ଏଠାରେ ଅନୁଷ୍ଠିତ ଉପନିର୍ବାଚନରେ ବିକାଶ, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ସୁବଳ ସାହୁଙ୍କ ସ୍ମୃତି, ଅନୁକମ୍ପା, ଦଳୀୟ ସଂଗଠନ ଆଦି ରୀତାଙ୍କ ସପକ୍ଷରେ ରହିଥିଲା।ସେ ମଧ୍ୟ ରେକର୍ଡ ଭୋଟ୍‌ରେ ବିଜୟ ହାସଲ କରିଥିଲେ। କିନ୍ତୁ, ଚଳିତଥର ଏହି ସ୍ଥିତିରେ ଅନେକାଂଶରେ ପରିବର୍ତ୍ତନ ହୋଇସାରିଛି। ତେଣୁ ଏଥରକ ଭୋଟର୍‌ଙ୍କ କିଭଳି ସାମ୍‌ନା କରିବ, ତାହାକୁ ନେଇ ବିଜେଡି କସରତ ଚଳାଇଛି।

ଗତ ପଞ୍ଚାୟତ ନିର୍ବାଚନରେ ଯଥେଷ୍ଟ ସଫଳତା ହାସଲ କରିଥିବା ବିଜେପି ଦଳ ମଧ୍ୟ ଭିନ୍ନ ସ୍ଥିତିରେ ରହିଛି। ଭୋଟରଙ୍କ ମାନସିକତାରେ ଆସିଥିବା ପରିବର୍ତ୍ତନକୁ ନିଜସପକ୍ଷରେ ଆଣିବାପାଇଁ ଏହିଦଳ ଉଦ୍ୟମ ଚଳାଇଛି। ବିଜେପିର ସନତ ଗଡ଼ତିଆ ମଧ୍ୟ ତାଙ୍କ ଅଭିଯାନକୁ ତ୍ୱରାନ୍ବିତ କରୁଛନ୍ତି। କିନ୍ତୁ, ତାଙ୍କୁ ବାଦ୍‌ଦେଇ ଦଳରେ ଇତିମଧ୍ୟରେ ଏକାଧିକ ଆଶାୟୀ ଉଭା ହୋଇଛନ୍ତି। ସଭା ସମିତି ମାଧ୍ୟମରେ ନିଜର ଉପସ୍ଥିତିକୁ ଜାହିର କରୁଥିବାର ଜଣାଯାଇଛି। ଏଥିସହିତ ବାହାର ବ୍ୟକ୍ତିଙ୍କୁ ଦଳ ପ୍ରାର୍ଥୀ ନକରିପାରିବ, ସେଥିପ୍ରତି ଦଳୀୟ ନେତା ଓ କର୍ମୀ ତୀକ୍ଷ୍ଣ ନଜର ରଖିଛନ୍ତି। ଅନ୍ୟପକ୍ଷରେ, ଏକଦା କଂଗ୍ରେସର ଗଡ଼ଭାବେ ଜଣାଶୁଣା ଏହି ନିର୍ବାଚମଣ୍ଡଳୀରେ କିଭଳି ଭଲ ପ୍ରଦର୍ଶନ କରିବ, ସେଥିପ୍ରତି ଦଳ ପ୍ରଚେଷ୍ଟା ଆରମ୍ଭ କରିଛି। ଗତ ନିର୍ବାଚନରେ ଦଳ ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା। ଏବେ ରିପୁନାଥ ସେଠଙ୍କ ପୁଅ ଅଭିଷେକଙ୍କ ସମେତ ଅନେକ ଆଶାୟୀ ରହିଛନ୍ତି।

ସମ୍ବନ୍ଧିତ ଖବର