ହାତୀ ମୃତ୍ୟୁ ମାମଲା: ହାତୀ ଆକ୍ରମଣର ତଥ୍ୟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବିଦ୍ୟୁତ୍‌ ଆଘାତଜନିତ ହାତୀ ମୃତ୍ୟୁ ରୋକିବା ଉପରେ ଗୁରୁତ୍ବ

କଟକ : ରାଜ୍ୟରେ ହାତୀ-ମଣିଷ ଲଢ଼େଇରେ ହେଉଥିବା ଧନଜୀବନ ହାନି ପ୍ରସଂଗକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଆକ୍ସନ୍‌ ପ୍ଲାନ୍‌ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜ‌ଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍) ଆବାହକ ତଥା ମୁଖ୍ୟ ବନ ସଂରକ୍ଷକ ଦାୟିତ୍ବରେ ଥିବା ଡକ୍ଟର୍‌ ମନୋଜ ଭି. ନାୟର୍‌ ଦାଖଲ କରିଥିବା ତଥ୍ୟରୁ ଅନେକ ଉଦ୍‌ବେଗଜନକ ତଥ୍ୟ ସାମନାକୁ ଆସିଛି। ତଥ୍ୟ ଅନୁଯାୟୀ ଗଲା ଜାନୁଆରି ୧୮ରୁ ଏ ପର୍ଯ୍ୟନ୍ତ ୨ ମାସରୁ କମ୍ ସମୟ ଭିତରେ ୧୨ଟି ହାତୀଙ୍କ ମୃତ୍ୟୁ ହେଲାଣି। ସେହିଭଳି ହାତୀ ଆକ୍ରମଣରେ ୧୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୨ଟି ହାତୀର ଶିକାର କରାଯାଇଥିବା ବେଳେ ୪ଟି ବିଦ୍ୟୁତ ଆଘାତଜନିତ ମୃତ୍ୟୁ। ଅନ୍ୟ ହାତୀଙ୍କ ଆକ୍ରମଣରେ ‌୨ଟି ହାତୀଛୁଆଙ୍କ ମୃତ୍ୟୁ ହୋଇଥିଲା। ଶିକାର ଓ ବିଦ୍ୟୁତ୍‌ ଆଘାତଜନିତ ହାତୀ ମୃତ୍ୟୁ ପାଇଁ ୬ଟି ଏତଲା ପଞ୍ଜୀକରଣ କରାଯାଇଥିବା ଜେଟିଏଫ୍ ସଦସ୍ୟ ଥିବା ଅତିରିକ୍ତ ଏସ୍‌ପି ଦର୍ଶାଇଥିଲେ। ଏହି ୬ଟି ଏତଲାକୁ ନେଇ ରୁଜୁ ମାମଲାର କଣ ଅଗ୍ରଗତି ହୋଇଛି ସେ ନେଇ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଅନୁମୋଦନ କରାଯାଇଥିବା ଆକ୍ସନ୍‌ ପ୍ଲାନ୍‌ରେ ମଣି‌ଷ-ହାତୀ ଲଢେଇ ହ୍ରାସ କରିବା ପ୍ରସଂଗରେ ବ୍ୟବସ୍ଥା ରହିଛି। ଏପରି ଲଢେଇରେ ବନ୍ୟଜନ୍ତୁଙ୍କ ଦ୍ବାରା ହେଉଥିବା ଧନଜୀବନ ହାନି ପାଇଁ ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା ମଧ୍ୟ ରହିଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନୁକମ୍ପାମୂଳକ ସହାୟତା ରାଶି ଓ କ୍ଷତିପୂରଣ ପ୍ରଦାନ କରାଯିବା କଥା। ଏଥିପାଇଁ ଜିଲ୍ଲାସ୍ତରର କମିଟି ରହିଛି। ବରିଷ୍ଠ ଅଧିକାରୀଙ୍କ ବୈଠକରେ ଅନୁମୋଦନ ପରେ କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି ପୀଡ଼ିତ ପରିବାରକୁ ପ୍ରଦାନ କରାଯିବା କଥା। କିନ୍ତୁ ପଶୁମାନଙ୍କ ଯୋଗୁଁ ହେଉଥିବା ଧନଜୀବନ, ଫସଲ ହାନି ପାଇଁ ଉପଯୁକ୍ତ କ୍ଷତିପୂରଣ ମିଳିବାରେ ବିଳମ୍ବ ହେଉଥିବା ଆଜି ଶୁଣାଣି ବେଳେ ଅଭିଯୋଗ ହୋଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଏଭଳି ଘଟଣାରେ ପ୍ରାଣ ହରାଇଥିବା ଓ ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ, ‌ଯେଉଁମାନଙ୍କ ସଂପତ୍ତି ବନ୍ୟଜନ୍ତୁଙ୍କ ଦ୍ବାରା ନଷ୍ଟ ହୋଇଛି ସେମାନଙ୍କ ତଥ୍ୟ, ଫସଲ ନଷ୍ଟ ସଂକ୍ରାନ୍ତରେ ସବିଶେଷ ବିବରଣୀ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସବୁ ଘଟଣାରେ ପୀଡିତ ପରିବାର ମଧ୍ୟରୁ କାହାକୁ କେତେ ଟଙ୍କା ଅନୁକମ୍ପାମୂଳକ ସହାୟତା ଓ କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଛି ସେ ନେଇ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥାପନ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଛନ୍ତି।

ଏଥି ସହିତ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଆକ୍ସନ୍‌ ପ୍ଲାନ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ସମସ୍ତ ବିଦ୍ୟୁତ ଆବଣ୍ଟନକାରୀ କମ୍ପାନିଗୁଡ଼ିକର ଉତ୍ତରଦାୟିତ୍ବ କଣ ରହିବ ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଜେଟିଏଫ ଅବଗତ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଢେଙ୍କାନାଳ ସହିତ ଅନ୍ୟ ସ୍ଥାନରେ ହୋଇଥିବା ବିଦ୍ୟୁତ୍‌ ଆଘାତଜନିତ ହାତୀ ମୃତ୍ୟୁ ଘଟଣାରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶିମିଳିପାଳରେ ହାତୀ ମୃତ୍ୟୁ ଘଟଣାରେ ଚୂଡ଼ାନ୍ତ ରିପୋର୍ଟ ନିମ୍ନ ଅଦାଲତରେ ଦାଖଲ କରାଯାଇଛି। ଘଟଣାର ପ୍ରତ୍ୟକ୍ଷଦର୍ଶୀ ତୁରାମ୍‌ ପୂର୍ତ୍ତିଙ୍କ ମୃତ୍ୟୁକୁ ନେଇ ରୁଜୁ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଚାର୍ଜସିଟ ଖୁବ୍ ଶୀଘ୍ର ଦାଖଲ କରାଯିବ ବୋଲି ଆଜି ଜେଟିଏଫ୍‌ ତରଫରୁ ଦର୍ଶାଯାଇଥିଲା। ଏହି ଦୁଇ ମାମଲାର ଅଗ୍ରଗତି ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଥିବା ବେଳେ ଜେଟିଏଫ୍‌ ଆବାହକ ଓ ସଦସ୍ୟ ଅତିରିକ୍ତ ଏସପିଙ୍କୁ ସାନି ସ୍ଥିତି ନେଇ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗୀତା ରାଉତ, ବାଳଗୋପାଳ ମିଶ୍ର, ମୃଣାଳିନୀ ପାଢୀ, ଦ୍ବିଜ ଦଳପତି ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାଗୁଡିକର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ଆଇନଜୀବୀ ଆଶିଷ କୁମାର ମିଶ୍ର, ମୃଣାଳିନୀ ପାଢୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର