ଗୋଟିଏ ଦିନରେ ଚାଲିଗଲେ ବାପା, ପୁଅ

ଗୋପାଳପ୍ରସାଦ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ପଦ୍ମାବତୀପୁର ପଞ୍ଚାୟତ କନ୍ଧବେରେଣି ଗାଁରେ ଶନିବାର ଦିନ ଏକ ଦୁଃଖଦ ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଗାଁର ଅଜୟ ସାହୁ(୪୩)ଙ୍କର ଆଜି ଭୋରରେ ପ୍ରାଣହାନି ହୋଇଥିବା​ ବେଳେ ତାଙ୍କ ବାପା ଗୋଲୋକ ବିହାରୀ ସାହୁ(୭୮)ଙ୍କ ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗୋଲୋକ ଅସୁସ୍ଥ ଥିବାରୁ ପୁଅ ଅଜୟ ତାଙ୍କୁ ଶନିବାର ଭୋରରେ ଏକ କାର୍‌ରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ନେଉଥିଲେ। ଆଠଗଡ଼ ନିକଟ​ରେ କୌଣସି ଗାଡ଼ି ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳ​ରେ ଅଜୟଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମରଶରୀର ଗାଁକୁ ଆଣି ସନ୍ଧ୍ୟାବେଳେ ଅନ୍ତିମ ସଂସ୍କାର ପାଇଁ ନେବା ସମୟରେ ଗୋଲୋକଙ୍କ ଭୁବନେଶ୍ବରର ସେହି ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ଅଜୟ ଗାଁ ବିଜେଡିର ସଭାପତି ଓ ବିଜେଡିର ଜଣେ ବଳିଷ୍ଠ ସଂଗଠକ ଥିଲେ। ଜଣେ ସମାଜସେବୀ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ସେ ଜଣାଶୁଣା ଥିଲେ।

କନ୍ଧବେରେଣୀସ୍ଥିତ ତାଙ୍କ ବାସଭବନ​ରେ ସାଂସଦ ମହେଶ ସହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ବିଜେପି ନେତା ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇ ତାଙ୍କର ଅନ୍ତିମ ଦର୍ଶନକରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଳଚେର ପୌରାଧ୍ୟକ୍ଷ, କାଉନସିଲର୍‌, ତାଳଚେର ଓ କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡସଭ୍ୟଙ୍କ ସମେତ ବିଜେଡିର ବହୁ କର୍ମକର୍ତ୍ତା ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବାପ, ପୁଅଙ୍କ ବିୟୋଗରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର