ପୂର୍ବତନ ଆନନ୍ଦପୁର ବ୍ଲକ୍‌ ଅଧ୍ୟକ୍ଷ ହତ୍ୟା ମାମଲା: ୫ ଦୋଷୀଙ୍କୁ ଫାଶୀଦଣ୍ଡାଦେଶ

ଆନନ୍ଦପୁର: ବହୁଚର୍ଚ୍ଚିତ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଜ୍ୟୋତି ରାଉତ ଆଜି ଏହି ମାମଲାରେ ୫ଜଣ ଦୋଷୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ; ବଡ଼ଏକତାଳି ଗ୍ରାମର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ। ୨୦୧୯ ମାର୍ଚ୍ଚ ମାସରେ ଏହି ହତ୍ୟାକାଣ୍ଡ ଘଟିଥିଲା। ରାମଚନ୍ଦ୍ର ୨୦୧୪ ମସିହାରେ ଘସିପୁରା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ୨୦୧୯ ମାର୍ଚ୍ଚ ୨୬ ତାରିଖ ଦିନ ସେ ନବୀନ ନିବାସ ଯାଇ ବିଜେଡିରେ ସାମିଲ୍‌ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ମାତ୍ର, ଏହାର ପୂର୍ବଦିନ ଅର୍ଥାତ୍‌ ୨୫ ତାରିଖ ରାତି ପ୍ରାୟ ୧୦ଟାବେଳେ କିଛି ଦୁର୍ବୃତ୍ତ ତାଙ୍କ ଧକୋଠାସ୍ଥିତ ଘରେ ପହଞ୍ଚି ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ସହ ତାଙ୍କର ଗୋଟିଏ ହାତକୁ କାଟି ଦେଇଥିଲେ। ସେହି କଟାହାତକୁ ଗାଁ ସାରା ବୁଲାଇବା ପରେ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ରାମଚନ୍ଦ୍ରଙ୍କ ଝିଅ ମୀନାରାଣୀ ବେହେରାଙ୍କ ଏତଲାକ୍ରମେ ଘସିପୁରା ପୁଲିସ କେସ୍‌ ନମ୍ବର ୫୧/୨୦୧୯ ରୁଜୁ କରି ଜଣେ ନାବାଳକଙ୍କ ସମେତ ୬ଜଣକୁ ଗିରଫ କରିଥିଲା। ୫ ବର୍ଷ ଧରି ଏହି ମାମଲାର ବିଚାର ଚାଲିଥିଲା। ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଜ୍ୟୋତି ରାଉତ ୫୩ ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଅଭିଯୁକ୍ତମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ନାବାଳକ ଜଣକ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହୋଇନାହିଁ। ରାୟ ପ୍ରକାଶ ପାଇବା ପରେ ରାମଚନ୍ଦ୍ରଙ୍କ ଝିଅ ମୀନାରାଣୀ କହିଛନ୍ତି, ସେ ନ୍ୟାୟ ପାଇଁ ୫ ବର୍ଷ ହେଲା ଆଇନଗତ ଲଢ଼େଇ ଲଢ଼ୁଥିଲେ। ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ଭରସା ଥିଲା। ଏସ୍‌ପି, ତଦନ୍ତକାରୀ ଅଧିକାରୀ ଓ ଆନନ୍ଦପୁର ଓକିଲ ସଂଘର ସମସ୍ତ ଆଇନଜୀବୀଙ୍କ ସହଯୋଗ ଯୋଗୁଁ ସେ ଆଜି ନ୍ୟାୟ ପାଇଛନ୍ତି। ଅତିରିକ୍ତ ପିପି ବସନ୍ତ କୁମାର ମଲ୍ଲିକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର