ଖୁସୀ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୪ କରୋନା ଆକ୍ରାନ୍ତ, ସୁସ୍ଥଙ୍କ ସଂଖ୍ୟା ହେଲା ୬୦

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ  ନେଇ ରାଜ୍ୟବାସୀଙ୍କୁ ଖୁସୀ ଖବର ମିଳିଛି । ଆଜି ରାଜ୍ୟର ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି ।

ରାଜ୍ୟରେ ଏଯାଏଁ ମୋଟ ୧୬୨ ଜଣ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୬୦ ଜଣ ସୁସ୍ଥ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ରାଜ୍ୟର ବିଭିନ୍ନ କୋଭିହ୍ ହସ୍ପିଟାଲରେ ୧୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ବାଲେଶ୍ୱର ଜିଲ୍ଲାରୁ ମୋଟ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୪ ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ୧୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସେହିପରି ଭଦ୍ରକ ଜିଲ୍ଲାରେ ଏଯାଏଁ ୧୯ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

ସମ୍ବନ୍ଧିତ ଖବର