ତେଲକୋଇରେ ପ୍ରବଳ ବର୍ଷା

ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ରେ ଗତ ୩୦ ଘଣ୍ଟା  ମଧ୍ୟରେ ୬୧.୧୭ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜି ଅପରାହ୍ଣ ପର୍ଯ୍ୟନ୍ତ  ତେଲକୋଇ ଅଞ୍ଚଳରେ  ବର୍ଷା ଲାଗି ରହିଥିଲା। ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୫୫.୮ ମିମି ଓ ଆଜି ସକାଳ ୮ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ୬.୯ ମିମି ବର୍ଷା ରେକର୍ଡ କରାଯାଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ୨ ଦିନ ହେଲାଣି ତୁହାକୁ ତୁହା  ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ଉପର ମୁଣ୍ଡ କାଞ୍ଜିପାଣି ଘାଟିରେ ପ୍ରବଳ ବର୍ଷା ଯୋଗୁଁ ତେଲକୋଇ ବ୍ଲକ୍‌ ଓରିଆ ପଞ୍ଚାୟତ ପିଟାନାଳୀ ନିକଟରେ ଅବସ୍ଥିତ ଓଏଭି ପୋଲ ଉପରେ ୨ ଫୁଟ୍‌ର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।  ଦିନ ୧୨ଟା ପାଖାପାଖି ପ୍ରବଳ ବେଗରେ ବନ୍ୟା ଜଳ ମାଡ଼ି ଆସିବାରୁ  ସ୍ଥାନୀୟ ତହସିଲଦାର ଅଶ୍ବିନୀ କୁମାର ନାଏକ ଓଏଭି କର୍ମଚାରୀଙ୍କୁ ସ୍କୁଲ ପରିସର ତ୍ୟାଗ କରିବାକୁ ପରାମର୍ଶ ଦେବା ସହିତ ପୋଲର ଦୁଇ ମୁଣ୍ଡରେ କାଠ ଦେଇ ରାସ୍ତା ଅବରୋଧ କରାଇଛନ୍ତି। ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନଟି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିଲା।  ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ଗରିବ ଲୋକଙ୍କ ଝାଟିମାଟି ଘର ଭୁଶୁଡି ପଡିବା ସହିତ ଜଗମୋହନପୁର ପଞ୍ଚାୟତ କାକୁଡିଆମ୍ବା ମନେରଗା ରାସ୍ତାର ହ୍ୟୁମ୍ ପାଇପ୍ ପୋଲ ଧୋଇଯାଇଛି।

ସମ୍ବନ୍ଧିତ ଖବର