ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ମିଳୁନି ମଜୁରୀ, ବାଧ୍ୟହୋଇ ଖଟିବାକୁ ଗଲେ ଦାଦନ

ରାଇରଙ୍ଗପୁର: ମନରେଗା ଯୋଜନାରେ ପୂର୍ବରୁ ଶ୍ରମିକମାନେ ଗଛ ଲଗାଇବା ପରେ ବୃକ୍ଷ ଗୁଡ଼ିକ ନଷ୍ଟ ହୋଇଯାଉଥିବା ଘଟଣା ଦେଖିବାକୁ ମିଳୁଥିଲା, ଯାହା ଶ୍ରମିକ ଏବଂ ଜମି ମାଲିକଙ୍କ ଅବହେଳା ପାଇଁ ହେଉଥିଲା ବୋଲି ବିଭାଗୀୟ ଅଧିକାରୀମାନେ ଦୋଷ ଲଦୁଥିଲେ। ତେବେ କିଛି ଗ୍ରାମରେ ଶ୍ରମିକମାନେ ମନରେଗା ଯୋଜନାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବୃକ୍ଷ ରୋପଣ, ବାଡ଼ ଘେରିବା ସହିତ ରକ୍ଷଣା ବେକ୍ଷଣା ନିମନ୍ତେ ବର୍ଷ ବର୍ଷ କାମ କରି ଶ୍ରମିକମ ମାନେ ମଜୁରୀ ପାଇନଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆସିଛି ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ବ୍ଲକ କୁଲେଇଶିଳା ଗ୍ରାମପଞ୍ଚାୟତ କୁକୁଡ଼ିମୁଣ୍ଡି ଗ୍ରାମରେ।
୨୦୨୨-୨୩ ମସିହାରେ ୪ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଗ୍ରାମର ଯଦୁମାଝୀ ଏବଂ ଅନ୍ୟ ଦୁଇଜଣଙ୍କ ୪ ହେକ୍ଟର ଜମିରେ ୪ ଶହରୁ ଊର୍ଦ୍ଧ୍ବ ଆମ୍ବ ବୃକ୍ଷ ରୋପଣ କରାଯାଇଥିଲା। କୁକୁଡ଼ିମୁଣ୍ଡି, ଉଦୟପୁର ଓ ମାର୍ଚାଗୋଡାର ଶ୍ରମିକମାନେ ସେଥିରେ ଗାତ ଖୋଳିବା ଠାରୁ ଆରମ୍ଭ କରି ବୃକ୍ଷ ରୋପଣ ଏବଂ ରକ୍ଷଣା ବେକ୍ଷଣ ନିମନ୍ତେ ବାଡ଼ ମଧ୍ୟ ଘେରିଥିଲେ। ଏହାବ୍ୟତୀତ କିଛି ଶ୍ରମିକ ଗୋରୁଗାଈ ଓ ଛେଳି ମେଣ୍ଢାଙ୍କ ଦାଉରୁ ରକ୍ଷା କରିବା ପାଇଁ ଜଗୁଆଳୀ ମଧ୍ୟ ରହିଥିଲେ।
ତେବେ ସେଥିମଧ୍ୟରୁ କିଛି ଶ୍ରମିକଙ୍କୁ ମଜୁରୀ ମିଳିଥିବା ବେଳେ କିଛି ଶ୍ରମିକ ବର୍ଷ ତମାମ କରି ମାତ୍ର ଗୋଟିଏ ମାସର ମଜୁରୀ ତାଙ୍କ ବ୍ୟାଙ୍କ୍ ଆକାଉନ୍ଟରେ ପାଇଥିବା ଅଭିଯୋଗ କରିଛନ୍ତି। ସେଠାରେ କାର୍ଯ୍ୟ କରିଥିବା ଶ୍ରମିକ ସାଲଗେ ସୋରେନ୍, ଉର୍ମିଳା ପାତ୍ର, ରାମେଶ୍ୱର ପାତ୍ର,ସହଦେବ ପାତ୍ରଙ୍କ ସମେତ ବହୁ ଶ୍ରମିକଙ୍କ ବ୍ୟାଙ୍କ୍ ଖାତାରେ ମାତ୍ର ଗୋଟିଏ ମାସର ମଜୁରୀ ଆସିଥିବା ଅଭିଯୋଗ କରିଛନ୍ତି। ଉକ୍ତ କାର୍ଯ୍ୟର ମଜୁରୀ ପାଇନଥିବା ବେଳେ ସେହି ସମାନ ସ୍ଥାନରେ ପୁଣି ଥରେ ଗତ ଅକ୍ଟୋବର ମାସଠାରୁ ୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଆମ୍ବ ଗଛ ଶ୍ରମିକମାନେ ରୋପଣ କରିଛନ୍ତି କିନ୍ତୁ ବର୍ତମାନ ସୁଦ୍ଧା ଟଙ୍କାଟିଏ ବି ମଜୁରୀ ପାଇନଥିବା ଅଭିଯୋଗ କରିଛନ୍ତି।
ଉଦୟପୁର ଗ୍ରାମର ଯୁବ ଶ୍ରମିକ ରାମେଶ୍ୱର ପାତ୍ର ସେଠାରେ କାର୍ଯ୍ୟ କରି ଟଙ୍କା ନପାଇବାରୁ ବାଧ୍ୟ ହୋଇ ପରିବାର ଭରୋଣ ପୋଷଣ ନିମନ୍ତେ ଦାଦନ ଖଟିବାକୁ ବାଙ୍ଗାଲୋର ପଳାଇଥିବା ନେଇ ସମ୍ବାଦକୁ କହିଛନ୍ତି। ଅନ୍ୟ ଯୁବକମାନେ ମଧ୍ୟ ବାଧ୍ୟ ହୋଇ ଦାଦନ ଖୋଟିବାକି ଯାଉଥିବା ସୂଚନା ମିଳୁଛି। ଏସମ୍ବନ୍ଧରେ ମନରେଗା ଯୋଜନାରେ କାର୍ଯ୍ୟର ତଦାରଖ କରୁଥିବା ଗ୍ରାମସାଥୀ ରାମଚନ୍ଦ୍ର ମାରାଣ୍ଡିଙ୍କୁ ଯୋଗାଯୋଗ କରିବାରୁ କିଛି ଶ୍ରମିକଙ୍କ ବୟାଙ୍କ୍ ଖାତାକୁ ଟଙ୍କା ଆସିନାହିଁ । ତେବେ ମାଷ୍ଟର ରୋଲ କରାହୋଇଛି ଆଉ ଅଳ୍ପଦିନ ମଧ୍ୟରେ ମଜୁରୀ ମିଳିଯିବ ଏବଂ ଯେଉଁମାନେ ପୂର୍ବରୁ କାର୍ଯ୍ୟ କରିଛନ୍ତି ସେମାନେ ଟଙ୍କା ପାଇନାହାଁନ୍ତି ତାହା ମଧ୍ୟ ତଦନ୍ତ କରିବେ ବୋଲି ମତ ରଖିଛନ୍ତି।
ଏ ସମ୍ବନ୍ଧରେ ରାଇରଙ୍ଗପୁରସ୍ଥ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ସହିତ ଯୋଗାଯୋଗ କରିବାରୁ ଏନେଇ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଘଟଣା ସମ୍ପର୍କରେ ତଦନ୍ତ କରିବେ। ଯଦି କୌଣସି ଶ୍ରମିକ ମଜୁରୀ ପାଇ ନାହାଁନ୍ତି ତାହେଲେ ସେମାନେ କେମିତି ମଜୁରୀ ପାଇବେ ତାହାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି।
ସମ୍ବନ୍ଧିତ ଖବର