ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ‘ନିଷ୍ଠା’ ତାଲିମ୍‌ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଦକ୍ଷତା‌ ବିକାଶ ପାଇଁ ଏନ୍‌ସିଇଆରଟି ପକ୍ଷରୁ ଗତ ଅଗଷ୍ଟ ୨୧ ତାରିଖଠାରୁ ସାରା ଦେଶରେ ଆରମ୍ଭ ହୋଇଛି ନ୍ୟାସନାଲ ଇନିସିଏଟିଭ୍‌ ଫର୍‌ ସ୍କୁଲ ହେଡ୍‌ ଆଣ୍ଡ ଟିଚର୍ସ ହୋଲିଷ୍ଟିକ୍‌ ଆଡଭାନ୍ସମେଣ୍ଟ(ନିଷ୍ଠା) ତାଲିମ୍‌ କାର୍ଯ୍ୟକ୍ରମ। ଇତିମଧ୍ୟରେ ଦେଶର ୨୧ଟି ରାଜ୍ୟ‌ରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ତାଲିମ୍‌ ଦିଆ ସରିଥିବା‌ବେଳେ ଏବେ ଓଡ଼ିଶାରେ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ବିଭାଗୀୟ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଉଦ୍‌ଘାଟନ କରି କହିଲେ, ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯିବା ଉଚିତ। ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଶିକ୍ଷାର ପ୍ରଥମ ଲକ୍ଷ୍ୟ ହେଉ। ଏହି ଲକ୍ଷ୍ୟ ହାସଲ ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ଦାୟିତ୍ବବାନ ହେବାକୁ ସେ ଆହ୍ବାନ ଦେଇଥି‌ଲେ। ଓପେସା ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଯୋଗଦେଇ ବ୍ଲକ୍‌ଠାରୁ ଜିଲ୍ଲା ପର୍ଯ୍ୟନ୍ତ ‘ନିଷ୍ଠା’ ଆଧାରରେ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଶିକ୍ଷକମାନେ ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବାକୁ କହିଥିଲେ।

ଏନ୍‌ସିଇଆର୍‌ଟି ନିର୍ଦେଶକ ହୃଷୀକେଶ ସେନାପତି କହିଲେ, ଶିକ୍ଷକମାନଙ୍କ ପାଇଁ ଏହି ତାଲିମ ଗତ ଅଗଷ୍ଟ ୨୧ରେ ପ୍ରଚଳନ କରାଯାଇଛି। ଏଥିରେ ସମସ୍ତ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ତାଲିମ ଦିଆଯିବ। ଓଡ଼ିଶାରେ ଅନୁଷ୍ଠିତ ଏହି ପ୍ରଥମ ପର୍ଯ୍ୟାୟ ତାଲିମ କର୍ମଶାଳାରେ ୨୫୦ଜଣ ଶିକ୍ଷକଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ଶିକ୍ଷକମାନେ ପରେ ତୃଣମୂଳସ୍ତରରେ ଅନ୍ୟ ଶିକ୍ଷକମାନଙ୍କୁ ତାଲିମ ଦେବେ। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ସିଇଆର୍‌ଟିର ପ୍ରଫେସର ରଞ୍ଜନା ଆରୋରା, ଜାତୀୟ ସାଧନ ଗ୍ରୁପ୍‌ର ଅଧ୍ୟକ୍ଷ ପ୍ରଫେସର୍‌ ଫାରୁକ ଆନସାରୀ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପିସି ଅଗ୍ରୱାଲ, ଟିଇ ଓ ଏସ୍‌ସିଇଆରଟି ନିର୍ଦେଶକ ଗଙ୍ଗାଧର ସାହୁ, ସଂଯୋଜକ ଲକ୍ଷ୍ମୀଧର ବେହେରା ‘ନିଷ୍ଠା’ ସମ୍ପର୍କରେ ସୂଚନା ଦେଇଥିଲେ। ୫ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ।

ସମ୍ବନ୍ଧିତ ଖବର