ବସୁନ୍ଧରାରୁ ଜାମକାନି ଯାଏ ବିସ୍ଥାପିତ ନ୍ୟାୟ ପାଇଁ ନୟାନ୍ତ

କ୍ଷତିପୂରଣ, ପୁନର୍ବାସ, ଥଇଥାନର ଦେଖା ନାହିଁ

ସୁନ୍ଦରଗଡ଼: ହେମଗିର ଅଞ୍ଚଳରେ ଦୀର୍ଘ ୨୫ ବର୍ଷ ଧରି ଖଣି ଖୋଳି ଚାଲିଥିବା ମହାନଦୀ ଖୋଲା ମୁହଁ କୋଇଲା ଖଣି (ଏମସିଏଲ) ହେଉ କି ଏବେ ଜାମକାନି କୋଇଲା ଖଣି ଖନନ ଆରମ୍ଭ କରିଥିବା ବେଦାନ୍ତ, ସବୁଠି ବିସ୍ଥାପିତ ନ୍ୟାୟ ମାଗି ମାଗି ନୟାନ୍ତ। ଦେଶର ବୃହତ୍ତର ସ୍ବାର୍ଥ ପାଇଁ ନିଜ ପିତୃପୁରୁଷ ଅର୍ଜିତ ଯୁଗଯୁଗର ଭିଟାମାଟି, ଜମି, ଘରବାଡ଼ି ଟେକି ଦେଇଥିଲେ ମଧ୍ୟ ତା’ ବଦଳରେ ସେମାନଙ୍କୁ ନୀତି ନିୟମ ଅନୁଯାୟୀ ନ୍ୟାଯ୍ୟ କ୍ଷତିପୂରଣ, ପୁନର୍ବାସ ଓ ଥଇଥାନ ଦେବାରେ କମ୍ପାନି ବିଭିନ୍ନ ଆଳରେ ଦିନ ଗଡ଼ାଇ ନେଉଛନ୍ତି। ଏପରିକି ଲୋକଙ୍କୁ ସବୁମତେ ନ୍ୟାୟ ଦେବାକୁ ନିଯୁକ୍ତ ପ୍ରଶାସନ ମଧ୍ୟ ବିସ୍ଥାପିତଙ୍କ ଲୁହକୁ ଅଣଦେଖା କରିଚାଲିଛନ୍ତି। ଏସ୍ଥିତିରେ ଏମସିଏଲ ଓ ଅନ୍ୟ କମ୍ପାନି ବିସ୍ଥାପିତଙ୍କୁ ଉପେକ୍ଷା କରି ଜୋର୍ କରି ଖଣି ଖନନ କରି ନେଉଥିବା ଅଭିଯୋଗ ରହିଛି।

ସବୁଠାରୁ ଉଦବେଗଜନକ କଥା ହେଲା ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଏମସିଏଲ ବିସ୍ଥାପିତ ଗାଁ କିରିପସିରା, ତୁମୁଲିଆ, ରତନସରା ଓ ଝୁପୁରଙ୍ଗାରେ ୨୦୧୩ ଜମି ଅଧିଗ୍ରହଣ ନୀତି ଅନୁଯାୟୀ, କ୍ଷତିପୂରଣ, ଥଇଥାନ, ପୁନର୍ବାସ ଓ ନିଯୁକ୍ତି ସୁବିଧା ଦେବାକୁ ଆଦେଶ କରିଥିଲେ ମଧ୍ୟ ପ୍ରଶାସନ ଓ କମ୍ପାନି ଏଯାଏ ତାକୁ କାର୍ଯ୍ୟକାରୀ କରିବା ନେଇ ତତ୍ପରତା ପ୍ରକାଶ କରିବା ପରିଲକ୍ଷିତ ହେଉ ନାହିଁ। ଏହିକ୍ରମରେ ଏମସିଏଲ ନୂଆ ସିଆରମାଲ ଖଣି ଖନନ ପାଇଁ ଅତି ତରବରିଆ ଭାବେ ବିସ୍ଥାପିତଙ୍କ ଅଜ୍ଞାତରେ ଚଲାଇଥିବା ପ୍ରସ୍ତୁତିକୁ ବିସ୍ଥାପିତ ବିରୋଧ କରି ରୋକି ଦେଇଛନ୍ତି। ଶୁକ୍ରବାର ସକାଳୁ ଏମସିଏଲ ଓ ଡିବିଏଲ ମାଇନିଂ ସଂସ୍ଥା ସିଆରମାଲ ଠାରେ ଗୋପନରେ ଖଣି ଖନନ ଆରମ୍ଭ କରିବାକୁ ଭୂମି ପୂଜା କରିବାକୁ ପହଞ୍ଚିଥିବା ବେଳେ ସୂଚନା ପାଇ ଗୋପାଳପୁର ସରପଞ୍ଚ ପୂରବୀ ନାଏକ, ଗଡ଼ତୁମଲିଆ ସରପଞ୍ଚ ଶେଷବତୀ ପଧାନ, ଯୁବନେତା ରାଜେନ୍ଦ୍ର ନାଏକଙ୍କ ସମେତ ଗଡ଼ତୁମଲିଆ, ଗୋପାଳପୁର ଆଦି ୧୪ ଖଣ୍ଡ ଗାଁର ଶହଶହ ବିସ୍ଥାପିତ ଘଟଣାସ୍ଥଳରେ ପହଞ୍ଚି ତୀବ୍ର ବିରୋଧ କରିଥିଲେ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁଯାୟୀ ୨୦୧୩ ନୀତିରେ କ୍ଷତିପୂରଣ, ପୁନର୍ବାସ, ଥଇଥାନ ଓ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ନକରିବା ଯାଏ ନୂଆ ଖଣି ଖନନ କରିବାକୁ ଦିଆଯିବ ନାହିଁ ବୋଲି ବିସ୍ଥାପିତ ଚରମବାଣୀ ଶୁଣାଇ ଦେଇଥିଲେ। ଏପରିକି ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ମଧ୍ୟ ବିସ୍ଥାପିତଙ୍କ ସହ ସ୍ବର ମିଳାଇ ଏମସିଏଲର ଏ ପ୍ରକାର ମନମାନୀକୁ ନିନ୍ଦା କରିଥିଲେ। ଏହା ପରେ ଭୂମି ପୂଜା ନକରି ଏମସିଏଲ ଫେରି ଯାଇଥିଲା। ଅନ୍ୟପଟେ ସମାନ ଢଙ୍ଗରେ ଜାମକାନି ଖଣି ଖନନ ଚାଲିଥିବା ଅଭିଯୋଗ ହୋଇଛି। ୨୦୧୩ ନୀତି ଲାଗୁ, ନହେଲେ ଏକର ପ୍ରତି ୫୦ ଲକ୍ଷ କ୍ଷତିପୂରଣ, ସହ ଥଇଥାନ, ପୁନର୍ବାସ ଓ ନିଯୁକ୍ତି ଦାବିରେ ଜାମକାନି, ଗିରିସୀମା, ମେଣ୍ଡ୍ରା, ଝାରପଲମର ବିସ୍ଥାପିତ ଶୀତକାକରରେ ଖଣି ଆଗରେ ପିଲାକବିଲାଙ୍କ ସହ ଧାରଣା ଜାରି ରଖିଛନ୍ତି। ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନକରି ଖଣି ଖନନ ବେଆଇନ କହି ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି।

ନିୟମତଃ ଗାଁଲୋକଙ୍କୁ ପୁନର୍ବାସ କଲୋନିରେ ସ୍ଥାନ ଓ ଅନ୍ୟ ଥଇଥାନ ସୁବିଧା ଦେବା ପରେ ଖଣି ଖନନ କରାଯିବା କଥା। ପ୍ରଶାସନ କହିବା ଅନୁସାରେ ଯଦିଓ ଗାଁ ପାଖକୁ ଖଣି ପହଞ୍ଚିବାକୁ ୨ରୁ ୩ ବର୍ଷ ଲାଗିଯିବ, ତଥାପି ଖଣି ଖନନ ଓ କୋଇଲା ପରିବହନଜନିତ ପ୍ରଦୂଷଣରେ ଗାଁ ଅଣନିଃଶ୍ବାସୀ ହେବା ନିଶ୍ଚିତ। ଏହା ଛଡ଼ା ଖଣି ଯୋଗୁଁ ସେମାନଙ୍କ ଜୀବନଜୀବିକା ମଧ୍ୟ ବହୁ ଭାଗରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ଏ କ୍ଷେତ୍ରରେ ପ୍ରଥମେ ପୁନର୍ବାସ, ଥଇଥାନ ସୁବିଧା ପରେ ଖଣି ଖନନ ପାଇଁ ସ୍ବର ଉଠିଛି। ଏହା ମଧ୍ୟରେ ଧାରଣାକୁ ୩୫ ଦିନ ବିତାଗଲାଣି। କିନ୍ତୁ ପ୍ରଶାସନ ଓ କମ୍ପାନି ବିସ୍ଥାପିତଙ୍କ ଦାବିକୁ ଅଣଦେଖା କରି ପୁଲିସ ଘେରାବନ୍ଦୀରେ ଖଣି (ଓବି)ଖନନ ଚଲାଇଛି। ବିସ୍ଥାପିତ ଧାରଣାରେ ବସିଥିବା ସ୍ଥାନକୁ ଛାଡ଼ି ତା’ ପରିପଟେ ଏକର ଏକର ଜମି ଉପରୁ ମାଟି ଉଠାଇ ପାହାଡ଼ ପରିମାଣେ ଗଦା (ଡମ୍ପିଂ) କରିସାରିଲାଣି କମ୍ପାନି। ହେଲେ ବିସ୍ଥାପିତଙ୍କ ଦାବି ଉପରେ ଏଯାଏ ନା କମ୍ପାନି, ନା ପ୍ରଶାସନ ପକ୍ଷରୁ କୌଣସି ନିଷ୍କର୍ଷ ବାହାରି ପାରିଛି।

ସମ୍ବନ୍ଧିତ ଖବର