ସାନ୍ତାଳ ଜାତିର ଅନ୍ତର୍ଜାତୀୟ ପରିଚୟ ସୃଷ୍ଟି କରିଥିଲେ ପଣ୍ଡିତ ରଘୁନାଥ

ଭୁବନେଶ୍ୱର : ପଣ୍ଡିତ ରଘୁନାଥ ମୁର୍ମୁ ଥିଲେ ସାନ୍ତାଳ ଜାତିର ତ୍ରାଣକର୍ତ୍ତା। ସେ କେବଳ ସାନ୍ତାଳୀ ଭାଷାର ଲିପି ‘ଅଲଚିକି’ର ଉଦ୍ଭାବନ କରିନଥିଲେ, ବରଂ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଦୃଷ୍ଟିକୋଣରୁ ସାନ୍ତାଳ ଜାତିର ଏକ ଅନ୍ତର୍ଜାତୀୟ ପରିଚୟ ସୃଷ୍ଟି କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ‘ଆଦିମ୍ ଅୱାର ଜାରପା’ ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି।

ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ ଯେ ରଘୁନାଥ ମୁର୍ମୁ ଯଥାର୍ଥରେ ଥିଲେ ସାନ୍ତାଳୀ ଭାଷା ଓ ସଂସ୍କୃତିର ତ୍ରାଣକର୍ତ୍ତା। ଏହି ଭାଷାର ଲିପି ଉଦ୍ଭାବନ କରି ସମଗ୍ର ସାନ୍ତାଳ ଜାତିକୁ ସେ ଯେଉଁ ପରିଚୟ ପ୍ରଦାନ କରିଛନ୍ତି, ତାହା ତାଙ୍କୁ ଚିରସ୍ମରଣୀୟ କରି ରଖିବ। ପଣ୍ଡିତ ମୁର୍ମୁ ଏହି କାର୍ଯ୍ୟଟି କରି ଭାଷାଗତ ଏକତା ସୂତ୍ରରେ ଦେଶର ସାନ୍ତାଳମାନଙ୍କୁ ବାନ୍ଧି ଦେଇଛନ୍ତି।

ସମ୍ମାନିତ ଅତିଥି ‘ଆଦିମ ଅୱାର ଜାରପା’ର ସଭାପତି କାରୁ ମୁର୍ମୁ କହିଥିଲେ, ରଘୁନାଥ ମୁର୍ମୁ ସାନ୍ତାଳୀ ଭାଷାର ପ୍ରଚାରପ୍ରସାର ପାଇଁ ସଦା ଉଦ୍ୟମ କରୁଥିଲେ। ସେ ଭାଷାକୁ ସଂସ୍କୃତିର ବାହାକ ବୋଲି ଭାବୁଥିଲେ। ସମାଜସେବୀ ଉଦୟନାଥ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ରଘୁନାଥ ମୁର୍ମୁଙ୍କ ସାହିତ୍ୟିକ ଓ ଧାର୍ମିକ ଅବଦାନ ସଂପର୍କରେ ବ୍ୟାଖ୍ୟା କରିଥିଲେ। ଏକାଡେମିର ସଭାପତି ଶ୍ରୀ ମଲ୍ଲିକ ତାଙ୍କ ସଭାପତି ଅଭିଭାଷଣରେ କହିଥିଲେ ଯେ ପଣ୍ଡିତ ମୁର୍ମୁ ସାନ୍ତାଳ ଜାତିର ଯେଉଁ ଉପକାର କରି ଯାଇଛନ୍ତି, ତା’ର ବିକଳ୍ପ ନାହିଁ। ଏହି ଅବସରରେ ଏକାଡେମି ପ୍ରକାଶିତ ଗଣେଶ ରାମ ନାହାକଙ୍କ ରଚିତ ଜୀବନୀ ଓ କୃତି ଗ୍ରନ୍ଥ ‘ଶ୍ରଦ୍ଧାକର ସୂପକାର’ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ଏକାଡେମି ସଚିବ ପ୍ରବୋଧ କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଉପବିଭାଗ ଅଧିକାରୀ ସଞ୍ଜୟ କୁମାର ଛୁଆଳସିଂହ ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର