‌ଫୋନ୍‌-ଇନ୍‌-ପ୍ଲିଜ୍‌: ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଘଟଣା, କାର୍ଯ୍ୟାନୁଷ୍ଠାନ ଜରୁରୀ

ଗତ ୬ ତାରିଖରେ କାର୍ଯ୍ୟକ୍ରମ ହେଉଛି- ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସମେତ ଅନ୍ୟ ଅତିଥିମାନେ ବି ମଞ୍ଚାସୀନ ଥିଲେ। ପୁରସ୍କାର ଓ ସମ୍ବର୍ଦ୍ଧନା ପର୍ବ ଶେଷ ହେବା ପରେ ୧୧.୪୫ ମିନିଟ୍‌ ପାଖାପାଖି ରାଷ୍ଟ୍ରପତି ନିଜର ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିଥିଲେ। ୨-୩ ମିନିଟ୍ ଭାଷଣ ଦେଇଛନ୍ତି କି ନାହିଁ, ହଠାତ୍ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଗଲା। ପ୍ରେକ୍ଷାଳୟ ସାରା ଅନ୍ଧାର ଛାଇଗଲା। କିନ୍ତୁ ଏସି ଓ ସାଉଣ୍ଡ ସିଷ୍ଟମ୍‌ କାମ କରୁଥିଲା। ଏଭଳି ଅକ୍ଷମଣୀୟ ତ୍ରୁଟି ଓଡ଼ିଶା ପାଇଁ ଏକ ଲଜ୍ଜାଜନକ ଘଟଣା। ଏଭଳି ଘଟଣାକୁନେଇ ଚଳିତ ଥର  ସମ୍ବାଦ ‘ଫୋନ୍‌-ଇନ୍‌-ପ୍ଲିଜ’ରେ ଭାଗନେଇ ବ୍ରହ୍ମପୁର ଅଞ୍ଚଳର ପାଠକ ଏଭଳି ମତ ରଖିଛନ୍ତି।

ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଘଟଣାର ତଦନ୍ତ କରି ଦାୟିତ୍ବରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
-ନରସିଂହ ସାହୁ, ମସିହାଖାଲି

ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ମନୁଷ୍ୟକୃତ ତ୍ରୁଟି। ବିଦ୍ୟୁତ୍ ବିଭ୍ରାଟରୁ ରକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ତାହା ବି ଠିକ୍‌ ସମୟରେ କାମ କଲା ନାହିଁ। ବୈଠକରେ ଯଦି କୌଣସି ଅଘଟଣ ଘଟିଥାନ୍ତା, ତେବେ କିଏ ଦାୟୀ ହୋଇଥାନ୍ତା।
-ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମୋହନା

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ ବିଭ୍ରାଟ ଅତ୍ୟନ୍ତ ନିନ୍ଦନୀୟ। ଏହା ଆମ ରାଜ୍ୟ ପାଇଁ ଲଜ୍ଜାଜନକ ଘଟଣା। ଦାୟିତ୍ବହୀନତା ଓ ବେପରୁଆ ମନୋଭାବ ଯୋଗୁଁ ଏଭଳି ଘଟଣା ଘଟିଲା। ଏଣୁ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
-ଡି. ପ୍ରକାଶ ରାଓ, ଚିକଲଖଣ୍ଡି

ରାଷ୍ଟ୍ରପତି ଆମ ଦେଶର ପ୍ରଥମ ନାଗରିକ। ମହାମହିମଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଘଟିବ ନାହିଁ।
-କାମରାଜୁ ଗୌଡ଼, ଦେଉଳପଲ୍ଲୀ

ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଲଜ୍ଜାଜନକ ଘଟଣା। ଅନ୍ଧାରରେ ମଧ୍ୟ ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଜାରି ରଖିଥିଲେ। ଅନ୍ଧାରରେ ଆଲୋକକୁ ଅପେକ୍ଷା ନକରି କିପରି ଜୀବନଯାତ୍ରାରେ ଆଗକୁ ମାଡ଼ି ଚାଲିବା, ତାହା ମହାମହିମଙ୍କ ଠାରୁ ଶିଖିବାକୁ ମିଳିଛି।
-ବିଷ୍ଣୁପ୍ରସାଦ ଦଳାଇ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ

ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। ଏଭଳି ଘଟଣା ଯେମିତି ଆଗକୁ ନଘଟିବ ସେଥିପ୍ରତି ଓଡ଼ିଶା ସରକାର ଧ୍ୟାନ ଦେବା ଜରୁରି।
-ନୀଳମାଧବ ପ୍ରଧାନ, କବିସୂର୍ଯ୍ୟନଗର

ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଲଜ୍ଜାଜନକ ଘଟଣା। ରାଷ୍ଟ୍ରପତିଙ୍କୁ ଏହା ଅସମ୍ମାନ ସଦୃଶ। ଏଭଳି ଘଟଣା ପାଇଁ ଦାୟୀ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
-ନଗେଶ ପଟ୍ଟନାୟକ, ରାମନଗର

ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ଓ ଆଲୋକ ଲିଭିବା ଏକ ଦୈନନ୍ଦିନ ଘଟଣା। ଏଥିପାଇଁ ଆୟୋଜକ ଓ ବିଭାଗୀୟ ଅଧିକାରୀ ଏ ଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ଥିଲା।
-ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ପାରଳାଖେମୁଣ୍ଡି

ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। କିନ୍ତୁ ଏଥିପାଇଁ କେବଳ ଜଣେ ତଳସ୍ତରର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ୍ ନୁହେଁ। ତଦନ୍ତ ହୋଇ ପ୍ରକୃତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।
-ଅରୁଣ କୁମାର ତ୍ରିପାଠୀ, ଭଂଜନଗର

ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ନିଶ୍ଚିତପକ୍ଷେ ଅକ୍ଷମଣୀୟ ତ୍ରୁଟି। ଆଗକୁ ଯେମିତି ଏଭଳି ତ୍ରୁଟି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ।
-ନୀଳମାଧବ ପ୍ରଧାନ, କବିସୂର୍ଯ୍ୟନଗର

ରାଷ୍ଟ୍ରପତି ହେଉଛନ୍ତି ଆମ ଦେଶର ଗୌରବ। ତାଙ୍କର ସଭାରେ ଯେଉଁମାନେ ଏଭଳି ଦାୟିତ୍ବହୀନ କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ ଯଦି କଡ଼ା କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଭବିଷ୍ୟତରେ ପୁଣି ଏଭଳି ଘଟଣାର ପୁନରାବୃତ୍ତି ଘଟିବ ଏବଂ ଆମ ରାଜ୍ୟ ବଦନାମ୍ ହେବ।
-ବିଶ୍ବନାଥ ମଲଣା, କମାପଲ୍ଲୀ, ବ୍ରହ୍ମପୁର

ସମ୍ବନ୍ଧିତ ଖବର