ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ: ଇତିହାସ ବଦଳାଇବା ଲକ୍ଷ୍ୟରେ ବ୍ରଜ

ଗଡ଼ ଫେରିପାଇବାକୁ ବିଜେପିର ଯୋଜନା

ତାଳଚେର : ଲଗାତାର ୩ ଥର ହେଲା ତାଳଚେର ବିଧାୟକ ଭାବେ ବିଜୟୀ ହୋଇଛନ୍ତି ବ୍ରଜକିଶୋର ପ୍ରଧାନ। ୨୦୦୯ ପରଠାରୁ ସେ ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନକୁ ନିଜ ପାଖରେ ରଖିଛନ୍ତି। ଏବେ ବିଜେପି ତାଳଚେରକୁ ଅଧିକ ଗୁରୁତ୍ବ ଦେଉଥିବାରୁ ଏହି ଆସନକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆସନ୍ତା ନିର୍ବାଚନରେ ଏଠାରୁ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ପ୍ରାର୍ଥୀ ହେବା ସମ୍ଭାବନା ଥିବାରୁ ଏଠାରେ ହାଇଭୋଲଟେଜ୍‌ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ବ୍ରଜ ନିଜ ଲୋକପ୍ରିୟତାକୁ ପୁଞ୍ଜି କରି ଏବେଠାରୁ ରଣନୀତି ପ୍ରସ୍ତୁତ କଲେଣି। ଏପଟେ ତାଙ୍କ ବାଟ ଓଗାଳିବା ପାଇଁ ଧର୍ମେନ୍ଦ୍ରଙ୍କ ଇସାରାରେ ତାଳଚେର ବିଜେପି ସଂଗଠନ ସଜାଡ଼ି ଶକ୍ତି ବଢ଼ାଇବାରେ ଲାଗିଛି।

୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ତାଳଚେର ବିଧାନସଭା କ୍ଷେତ୍ର ସଂରକ୍ଷିତ ଥିଲା। ବର୍ତ୍ତମାନର ସାଂସଦ ମହେଶ ସାହୁ ୧୯୯୫ରୁ ଲଗାତାର ୩ ଥର ପାଇଁ ଏହି ଆସନରୁ ବିଜୟୀ ହୋଇ ରେକର୍ଡ କରିଥିଲେ। କିନ୍ତୁ ୨୦୦୯ରେ ବଦଳିଥିଲା ଚିତ୍ରପଟ୍ଟ। ଦୀର୍ଘ ବର୍ଷ ଧରି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ଏହି ଆସନ ଅଣ ସଂରକ୍ଷିତ ହୋଇଥିଲା। ଆଉ ବିଜେପି ଟିକେଟରୁ ୩ ଥର ବିଧାୟକ ହୋଇଥିବା ମହେଶ ସାହୁ ଦଳ ଛାଡ଼ି ବିଜେଡିରେ ମିଶିଥିଲେ। ଠିକ୍‌ ସେହିବର୍ଷ ବିଜେଡି-ବିଜେପି ମେଣ୍ଟ ବି ଭାଙ୍ଗିଥିଲା। ପ୍ରଥମ ଥର ପାଇଁ ବିଜେଡି ଟିକେଟରେ ମହେଶ ସାହୁ ତାଳଚେରରେ ଭାଗ୍ୟ ପରୀକ୍ଷା କରିଥିଲାବେଳେ ସ୍ବାଧୀନ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ବ୍ରଜକିଶୋର ୨୦୦୯ ନିର୍ବାଚନ ଜିତିଥିଲାବେଳେ ବିଜେପି ତୃତୀୟ ସ୍ଥାନକୁ ଖସି ଯାଇଥିଲା। ଏହି ନିର୍ବାଚନ ପରେ ବ୍ରଜ ବିଜେଡିରେ ମିଶିଥିଲାବେଳେ ୨୦୧୪ରେ ବିଜେଡି ଟିକେଟରୁ ଲଢ଼ିଥିଲେ। ଆଉ ଏହି ନିର୍ବାଚନରେ ସେ ଭୋଟ ବ୍ୟବଧାନ ବଢ଼ାଇବା ସହ ଲଗାତାର ଦ୍ବିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଦଳ ତାଙ୍କ ଉପରେ ପୁଣି ଭରସା କରିଥିଲା। ଦଳର ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ କରି ବ୍ରଜ ପ୍ରାୟ ୨୪ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇ ହାଟ୍ରିକ ଅର୍ଜନ କରିଥିଲେ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲାବେଳେ ବ୍ରଜଙ୍କୁ ପୁଣି ଥରେ ଦଳ ଟିକେଟ୍‌ ଦେଇପାରେ ବୋଲି ଆଲୋଚନା ହେଉଛି।

୨୦୨୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଢେଙ୍କାନାଳରୁ ଲୋକସଭା ଲଢ଼ିପାରନ୍ତି ବୋଲି ମଧ୍ୟ ସମ୍ଭାବନା ରହିଛି। ଏହି ଲୋକସଭା ଅଧୀନରେ ତାଳଚେର ଆସୁଥିବାରୁ ସ୍ବାଭାବିକ ଭାବେ ଏହା ଉପରେ ଦଳ ଅଧିକ ନଜର ରଖିଛି। ପୁଣି ଧର୍ମେନ୍ଦ୍ରଙ୍କର ଏହା ନିଜ ସହର ହୋଇଥିବାରୁ ସେ ଏହାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ତେବେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚାଲିଛି ଚାଲିଛି ମାନସମନ୍ଥନ। ଦଳର ବରିଷ୍ଠ ନେତା କାଳନ୍ଦୀ ସାମଲ ଲଗାତାର ୩ ଥର ଏଠାରୁ ପରାଜିତ ହୋଇଥିଲେ ମଧ୍ୟ ଦଳର ଭରସା ତାଙ୍କ ଉପରୁ ତୁଟିନି। ଧର୍ମେନ୍ଦ୍ରଙ୍କ ପାଖ ଲୋକ ଭାବେ ସେ ଟିକେଟ ଦାବିଦାର ଅଛନ୍ତି। ଏପଟେ ଏହି ଆସନରୁ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଦଳର ଗୋଟିଏ ଗୋଷ୍ଠୀ କହୁଛନ୍ତି। ଏ ଭିତରେ ମୃଦଳା ମଧ୍ୟ ବିଭିନ୍ନ ସଭାସମିତି ସହ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଦଳୀୟ ସଂଗଠନ କଥା‌ ସିଧାସଳଖ ବୁଝୁଛନ୍ତି। ତେଣୁ ସେ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଅଧିକ ବଳ ମିଳୁଛି। କୌଣସି କାରଣରୁ ସେ ନ ଲଢ଼ିଲେ ବରିଷ୍ଠ ନେତା ମନୋଜ ପ୍ରଧାନ ଏଠାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଏହା ବାଦ୍‌ ଦଳର ଆଉ କିଛି ନେତା ବିଧାୟକ ଟିକେଟ ଦୌଡ଼ରେ ଅଛନ୍ତି। କିନ୍ତୁ ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

ବର୍ତ୍ତମାନର ରାଜନୈତିକ ଚିତ୍ର ଓ ସଂଗଠନକୁ ଦେଖିଲେ ବିଜେଡି ଓ ବିଜେପି ଭିତରେ ଏଠାରେ ଲଢ଼େଇ ହେବାର ସମ୍ଭାବନା ରହିଛି। କଂଗ୍ରେସ ସଂଗଠନ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଥିବାରୁ ଦଳ ପ୍ରତିନ୍ଦ୍ବନ୍ଦ୍ବିତାରେ ରହିଲା ପରି ଲାଗୁନି। ଗତ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଦଳ ଅତି ଶୋଚନୀୟ ପ୍ରଦର୍ଶନ କରିଥିଲାବେଳ ଗତ ସାଧାରଣ ନିର୍ବାଚନରେ ମାତ୍ର ୩.୬୨ ପ୍ରତିଶତ ଭୋଟ ପାଇଥିଲା। ତେଣୁ ବିଜେଡି ଓ ବିଜେପି ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର