ଦଶହରାରେ ଭିଜିବ ଦ୍ବୈତ ନଗରୀ, ଆସୁଛି ଆହୁରି ୨ ଘୂର୍ଣ୍ଣିବଳୟ

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଘୂର୍ଣ୍ଣିବଳୟ ଏବେ ଆନ୍ଧ୍ର ମୁହାଁ ହେବାରେ ଲାଗିଛି। ଏହାର ପ୍ରଭାବରେ ଭୋର ସମୟରୁ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି। ଖାଲି ସେତିକି ନୁହେଁ, ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ କିନ୍ତୁ ବୁଧବାର ହାଲକା ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବ। କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା ରହିଛି । ଭୁବନେଶ୍ବରରେ ଦିନ ତମାମ ବର୍ଷା ହେବନାହଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ କଟକରେ ଦିନ ତମାମ ଆକାଶ ମେଘାଛନ୍ନ ରହିବ। ରାତିରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେବେ ବୁଧବାର ମହାଦଶମୀ ଉତ୍ସବ ମାହୋଲକୁ ଯଦିଓ ଫିକା କରିବା ସମ୍ଭାବନା ନହିଁ। ତଥାପି ଦଶହରା ଭିଜିବା ସମ୍ଭାବନା ରହିଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୭ ଓ୧୩ ତରିଖରେ ଦୁଇଟି ସାମୁଦ୍ରିକ ଘୂର୍ଣ୍ଣିବଳୟ ହେବା ସଂକେତ ମିଳୁଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୃଷ୍ଟ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବିଶେଷକରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ୭୦ରୁ ୨୦୦ ମିମି ଓ ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଖୋର୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଲଘୁଚାପଟି ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ। ଫଳରେ ରାଜ୍ୟରେ ୫ତାରିଖ ବର୍ଷାର ପ୍ରକୋପ କିଛି ମାତ୍ରାରେ କମିବ। କିନ୍ତୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଜଗପତି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସୋମବାର ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ସମଗ୍ର ଉପକୂଳ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହୋଇଛି। ୫ ତାରିଖରେ ବି ଏହା ଜାରି ରହିବ। ୭ତାରିଖ ଦିନ ଦକ୍ଷିଣ ବଙ୍ଗୋପସାଗରରେ ଏହି ମାସର ଦ୍ବିତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ କେନ୍ଦ୍ରାପଡ଼ାର ଦକ୍ଷିଣସ୍ଥ ଉପକୂଳ ଜିଲ୍ଲା(ଜଗତସିଂହପୁର, କଟକ, ପୁରୀ, ନୟାଗଡ଼ ଓ ଗଞ୍ଜାମ)ରେ ୮ ଓ ୯ ତାରିଖ ଦୁଇ ଦିନ ମଧ୍ୟମଧରଣର ବର୍ଷା ହୋଇପାରେ। ୧୦ ରୁ ୧୨ ରାଜ୍ୟର କିଛି କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେଲେ ବି ପାଗ ଶୁଖିଲା ରହିବ। ୧୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଏହି ମାସର ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସଂକେତ ମିଳୁଛି ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର