ଅଟେଇ ସଂରକ୍ଷିତ ଜଙ୍ଗଲରେ ବିରଳ ପ୍ରଜାତିର ଚଉଶିଙ୍ଗା, ଗୟଳ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରେ ଅଛନ୍ତି ବିରଳ ପ୍ରଜାତିର ଗୟଳ ଏବଂ ଚଉଶିଙ୍ଗା। ସିଡ୍ୟୁଲ-୧ ପ୍ରଜାତିରେ ଆସୁଥିବା ଏହି ବନ୍ୟଜନ୍ତୁ ସାଧାରଣତଃ କେନ୍ଦୁଝର ଜଙ୍ଗଲରେ ଦେଖାଯାଆନ୍ତି ନାହିଁ। ପ୍ରଥମ ଥର ପାଇଁ ଗୟଳ ଏବଂ ଚଉଶିଙ୍ଗା ଅଟେଇ ସଂରକ୍ଷିତ ଜଙ୍ଗଲରେ ଦେଖାଦେବା ପରେ ବନ ବିଭାଗ ସୁରକ୍ଷା ପାଇଁ ଗୁରୁତ୍ବ ଦେଇଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ବାଘର ଗତିବିଧି ଉପରେ ନଜର ରଖିବାକୁ ଘଟଗାଁ, ପାଟଣା ଏବଂ ଆଖପାଖ ବନାଞ୍ଚଳରେ ୫୫ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାରେ ଅନ୍ୟ ଜୀବଜନ୍ତୁଙ୍କ ଫଟୋ କଏଦ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷ କରି ଅଟେଇର ଜଙ୍ଗଲ ଭିତରେ ଗୟଳ ଏବଂ ଚଉଶିଙ୍ଗା ବୁଲୁଥିବା ଫଟୋ କ୍ୟାମେରାରେ କଏଦ ହୋଇଛି। ସେହିପରି ବନ ବିଭାଗ ଲଗାଇଥିବା କ୍ୟାମେରାରେ ନେଉଳ, ହରିଣ, କୁଟୁରା, ଭାଲୁ ଭଳି ଜୀବଜନ୍ତୁଙ୍କ ଫଟୋ କଏଦ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି, ସାଧାରଣତଃ ଶିମିଳିପାଳ ଏବଂ ସାତକୋଶିଆରେ ଗୟଳ ଏବଂ ଚଉଶିଙ୍ଗା ଦେଖାଯାଆନ୍ତି। କେନ୍ଦୁଝର ଜିଲ୍ଲାର ଅଟେଇ ଜଙ୍ଗଲ‌େ ମଧ୍ୟ ଏହି ଜୀବ ଅଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର