‘ସମ୍ବାଦ’ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ୨୪ରେ

ଭୁବନେଶ୍ବର: ‘ସମ୍ବାଦ’ର ୪୦ତମ ସ୍ବନକ୍ଷତ୍ର ଅବସରରେ ଆସନ୍ତା ୨୪ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଜୋନ୍ ସ୍ତରୀୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା ପାଇଁ କେନ୍ଦ୍ର ତାଲିକା ଘୋଷଣା କରାଯାଇଛି। ୯ଟି ଜୋନ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭୁବନେଶ୍ବର ଜୋନରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି କଟକ ଜୋନରେ କଳାବିକାଶ କେନ୍ଦ୍ର, ବାରବାଟୀ ଷ୍ଟାଡିୟମ ରୋଡ୍‌, ଅନୁଗୁଳ ଜୋନରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ବର ଜୋନରେ ସମ୍ବାଦ ଭବନ, ଶିଳ୍ପାଞ୍ଚଳ ଏରିଆରେ ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ହେବ। ଯାଜପୁର ଜୋନରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ, ଦଳା ଛକ
ବ୍ୟାସନଗର, ରାଉରକେଲା ଜୋନରେ ଦିଲ୍ଳୀ ପବ୍ଲିକ ସ୍କୁଲ, ସେକ୍ଟର ୧୪, ବ୍ରହ୍ମୁପର ଜୋନରେ ଅଭିନନ୍ଦନ କଲ୍ୟାଣ ମଣ୍ଡପ, ଉତ୍କଳ ଆଶ୍ରମ ରୋଡ୍, ଜୟପୁର ଜୋନରେ ସରକାରୀ ମହିଳା ମହାବିଦ୍ୟାଳୟରେ ଉଭୟ ପ୍ରତିଯୋଗିତା ହେବ। ସମ୍ବଲପୁର ଜୋନରେ ସମ୍ବାଦ ଭବନ, ସାକ୍ଷୀପଡ଼ାରେ ବିତର୍କ ଏବଂ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ପ୍ରେକ୍ଷାଳୟରେ ହେବ ସାରେଗାମା ପ୍ରତିଯୋଗିତା।

ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇପାରିବେ। ଏଥିପାଇଁ ଅନଲାଇନ୍ ‌ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ https://competition.sambad.in/ରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣରେ କୌଣସି ସମସ୍ୟା ଦେଖାଦେଲେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଆସି ସିଧାସଳଖ ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିପାଇଁ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଆଣିବାକୁ ପଡ଼ିବ। ସାରେଗାମା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ଭଜନ ଓ ଲଘୁ ସଙ୍ଗୀତ ଗାଇପାରିବେ। ସେମାନଙ୍କୁ ବାଦ୍ୟଯନ୍ତ୍ରର ସହାୟତା ଯୋଗାଇ ଦିଆଯିବ। କୌଣସି ଅଶ୍ଳୀଳ ଓ ଦ୍ବିଅର୍ଥବୋଧକ ଗୀତ ଗାଇପାରିବେ ନାହିଁ।

ସେହିପରି ବିତର୍କ ପ୍ରତିଯୋଗିତାର ବିଷୟବସ୍ତୁ ପ୍ରତିଯୋଗିତା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପ୍ରଦାନ କରାଯିବ। ଜୋନସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର ତିନି ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ପାଇଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ପାଇଁ ୭ ହଜାର ୫୦୦ ଏବଂ ତୃତୀୟ ପୁରସ୍କାର ବାବଦ ୫ ହଜାର ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ପ୍ରତିଯୋଗିତା ସଂପର୍କରେ ଅଧିକ ସୂଚନା ପାଇଁ ନିୟମିତ ‘ସମ୍ବାଦ’ ପଢ଼ିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର