ଘରୁ ଖାଇବା ଆସିବ ବୋଲି ପୁଅ ‌ହଷ୍ଟେଲ୍‌ରେ ଅପେକ୍ଷା କରିଥିଲା, ଅନୁଗୁଳରେ ବାପା-ମା’ଙ୍କୁ ଚାପି ଦେଲା ଟ୍ରକ୍‌

ବଡ଼କେରା (ସୁନୀଲ କୁମାର ଦଳବେହେରା): ‘ଘରୁ ବାପା ଓ ମା’ ଆସିବେ। ସାଥୀରେ କିଛି ନେଇକି ଆସିବେ। ଏଥିରେ ଖାଇବା ଜିନିଷ ମଧ୍ୟ ସାମିଲ ଥିବ। ହଷ୍ଟେଲର ଦୈନନ୍ଦିନ ଖାଦ୍ୟ ଖାଇ ବିରକ୍ତ ଲାଗୁଛି। ମା’ଙ୍କ ହାତ ରନ୍ଧା ଖାଦ୍ୟ ମିଳିଲେ ବହୁତ ଖୁସି ଲାଗିବ।’ ଅନୁଗୁଳ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ନୀଳାମ୍ବର ବେହେରା ମନେମନେ ଏମିତି କେତେ କଥା ଭାବିଥିଲା। ହାଇସ୍କୁଲ ଠାରୁ ଅଳ୍ପ ଦୂରରେ ଥିବା ବିବେକାନନ୍ଦ ହଷ୍ଟେଲରେ ରହୁଥିବା ପୁଅ ନୀଳାମ୍ବର ପାଖରେ ବାପା-ମା ନିଜ ପହଞ୍ଚିବା ପୂର୍ବରୁ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଛନ୍ତି। ଅନୁଗୁଳ ସହରଠାରୁ ଅଳ୍ପ ଦୂରରେ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣ ସାଢ଼େ ୩ଟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା (୪୦) ଓ ତାଙ୍କ ସ୍ତ୍ରୀ ମମତା ବେହେରା(୩୫)ଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଏକ କାରଖାନାରେ ଅକ୍ଷୟ ବେହେରା ହାଇଡ୍ରା ଅପରେଟର ଥିଲେ। ତାଙ୍କ ସ୍ତ୍ରୀ ମମତା ବେହେରା ତାଙ୍କ ଗ୍ରାମ ପଞ୍ଚାୟତରେ କୌଣସି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତାଙ୍କର ଏକମାତ୍ର ପୁଅ ନୀଳାମ୍ବର ଅନୁଗୁଳ ସହରର ସୁସୁଡ଼ାସ୍ଥିତ ଏକ ହଷ୍ଟେଲରେ ରହି ପାଠ ପଢ଼ୁଛି। ସ୍ବାମୀ ଓ ସ୍ତ୍ରୀ ଆଜି ରବିବାର ଛୁଟି ଥିବାରୁ ଅପରାହ୍‌ଣରେ ପୁଅକୁ ହଷ୍ଟେଲରେ ଦେଖା କରିଥାନ୍ତେ। ସେଥିପାଇଁ ଘରୁ କିଛି ଖାଇବା ଜିନିଷ ନେଇକି ଯାଇଥିଲେ। ପୁଅକୁ ହଷ୍ଟେଲରେ ଦେଖା କରିବା ପରେ ସେଠାରୁ ସେମାନେ ସେମାନେ ବାଳୁଅକଟାକୁ ଯାଇଥାନ୍ତେ। ବାଳୁଅକଟାରେ ଅକ୍ଷୟ ବେହେରାଙ୍କ ଶଶୁରଙ୍କ ଘର। ସେ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି।

ତେବେ ୫୫ ନମ୍ବର ଜାତୀୟ ରାଜପଥରେ ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ସ୍ବାମୀ ଓ ସ୍ତ୍ରୀ ବାଇକ୍‌ରେ ଯିବା ‌ବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଯାଇଥିଲା। କରଡ଼ଗାଡ଼ିଆ ଠାରେ ସେମାନେ ଆଗରେ ଯାଉଥିବା ଏକ ଟ୍ରକ୍‌ ପଛରେ ଥିଲେ। ସେମାନଙ୍କର ପଛପଟରୁ ଅନ୍ୟ ଏକ ଟ୍ରକ୍‌ ଆସୁଥିଲା। ପଛରୁ ଆସୁଥିବା ଟ୍ରକ୍‌ର ଗତି ଅଧିକ ଥିବାରୁ ସେମାନଙ୍କର ଉପରେ ଚଢ଼ିଯାଇଥିଲା। ଫଳରେ ସେମାନେ ଦୁଇଟି ଟ୍ରକ୍‌ ମଧ୍ୟରେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର