ତାତିରେ ଛଟପଟ ସାରାରାଜ୍ୟ: ଏପ୍ରିଲ ୬ ଯାଏ ନିସ୍ତାର ନାହିଁ

୪୧ ଡିଗ୍ରି ଡେଇଁଲା ୭ ସହର, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର: ଦିନର ତାପମାତ୍ରା ବଢ଼ୁଛି। ଏଥିସହ ତାତିରେ ଆଉଟୁପାଉଟୁ ହେଉଛି ସାରାରାଜ୍ୟ। ଲଗାତାର ଦ୍ବିତୀୟ ଦିନ ପାଇଁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାପମାତ୍ରା ରେକର୍ଡ ଭାଙ୍ଗିଛି। ଚଳିତବର୍ଷ ପ୍ରଥମ ଥର ପାଇଁ ୭ଟି ସହରର ତାପମାତ୍ରା ୪୧ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ରେ ୪୧.୫, ବୌଦ୍ଧରେ ୪୧.୪, ଭବାନୀପାଟଣାରେ ୪୧.୨, ନୟାଗଡ଼, ବଲାଙ୍ଗୀର ଓ ତାଳଚେରରେ ୪୧ ଡିଗ୍ରି, ଅନୁଗୁଳରେ ୪୦.୭ ଓ ଝାରସୁଗୁଡ଼ାରେ ୪୦.୩ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଷ୍ମ-ଆର୍ଦ୍ର ପାଣିପାଗ, ଗ୍ରୀଷ୍ମ ପ୍ରବାହ ତଥା ଉଷ୍ମ ରାତି ପରିସ୍ଥିତି ଲାଗି ରହିବ। ୪ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଉତ୍ତପ୍ତ ବାୟୁ ଓ ସୂର୍ଯ୍ୟକିରଣର ତିବ୍ରତା ବଢ଼ୁଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ତେବେ ପରବର୍ତ୍ତୀ ସମୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ। ୩ରୁ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ରାତିର ତାପମାତ୍ରା ସ୍ବାଭାବିକ ତୁଳନାରେ ୪.୫ ଡିଗ୍ରି ଅଧିକ ଓ ଦିନର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଥିବାରୁ କିଛି ଜିଲ୍ଲାକୁ ଉଷ୍ମ ରାତି ନେଇ ସତର୍କ କରାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତା ଉପକୂଳ ଓଡ଼ିଶାରେ ୫୦ରୁ ୭୦% ମଧ୍ୟରେ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ୩୦ରୁ ୫୦% ମଧ୍ୟରେ ସୀମିତ ରହୁଥିବାରୁ ଗୁଳୁଗୁଳି ତଥା ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ଲାଗିରହିବାର ସମ୍ଭାବନା ରହୁଛି। ଏହାଦ୍ବାରା ଦିନର ପିକ୍‌ ଆୱାର(ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା)ରେ ସତର୍କ ରହିବାକୁ ଲୋକଙ୍କୁ ସଚେତନ କରାଯାଇଛି। ଅତ୍ୟନ୍ତ ଆବଶ୍ୟକ ନ ଥିଲେ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ୬ରୁ ୮ ତାରିଖ ମଧ୍ୟରେ ପଶ୍ଚିମା ବାୟୁ ପ୍ରଭାବରେ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି।

ସେଣ୍ଟର ଫର୍ ଏନଭର୍ନମେଣ୍ଟ ଆଣ୍ଡ କ୍ଳାଇମେଟ୍‌(ସିଇସି) ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଉତ୍ତର-ପଶ୍ଚିମ ଭାରତ ଭୂଖଣ୍ଡ ଆଡ଼ୁ ପ୍ରବାହିତ ହେଉଥିବା ଉତ୍ତପ୍ତ ବାୟୁ ଓ ମୁକ୍ତ ଆକାଶ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତି ସୃଷ୍ଟି କରିଛି। ଏଥିସହ ବଙ୍ଗୋପସାଗର ଆଡୁ ରାଜ୍ୟ ମଧ୍ୟକୁ ପବନ ପ୍ରବାହିତ ନ ହେବା ଓ କମ୍ ଆର୍ଦ୍ରତା ଦିନର ତାପମାତ୍ରାକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଏପ୍ରିଲ ୭ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ରୁ ୪୨ ଡିଗ୍ରି ରହିବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାରେ ୩୭ରୁ ୩୯ ଡିଗ୍ରି ରହିବ। ଏପ୍ରିଲ ୭ ଅପରାହ୍ଣ କିମ୍ବା ରାତିରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି। ଏପ୍ରିଲ ୮ରୁ ୧୦ ପର୍ଯ୍ୟନ୍ତ ଏହା ଦିନର ତାପମାତ୍ରାକୁ ସାମାନ୍ୟ କମାଇ ଦେଇପାରେ। ଏହି ସମୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରିରୁ କମ୍‌ ରହିବ। ଏପ୍ରିଲ ୧୧ରୁ ଦିନର ତାପମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଆସନ୍ତା ୩ରୁ ୬ ତାରିଖ ମଧ୍ୟ‌ରେ ଭଦ୍ରକ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, କଟକ, ନୟାଗଡ, ବୌଦ୍ଧ, ସୋନପୁର ଓ କନ୍ଧମାଳ ଜିଲ୍ଲାରେ ହିଟ୍‌ୱେଭ୍‌ ଏବଂ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, ନୟାଗଡ଼, ଖୋର୍ଦ୍ଧା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଉଷ୍ମ ରାତି ରହିବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ସାଧାରଣ ଲୋକଙ୍କ ପାଇଁ ସହନଶୀଳ ହୋଇଥିବା ବେଳେ ଛୋଟ ପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କ ପାଇଁ ହାନିକାରକ। ତେଣୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା(ପିକ୍‌ ସମୟ) ମଧ୍ୟରେ ସେମାନେ ଯେତେଦୂର ସମ୍ଭବ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ନ ରହିବା, ହାଲୁକା ପୋଷାକ ପରିଧାନ କରିବା, ପିକ୍‌ ସମୟରେ ବାହାରକୁ ଯିବା ସମୟରେ ଓଦା କପଡ଼ା, ଟୋପି, ଛତା ମାଧ୍ୟମରେ ମୁଣ୍ଡକୁ ଘୋଡ଼ାଇବା, ପର୍ଯ୍ୟାପ୍ତ ପରିମାଣର ପାଣି ସମେତ ଓଆରଏସ୍‌, ଘରେ ପ୍ରସ୍ତୁତ ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ଆଦି ପିଇବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର