ସୁନା ଦାମ୍ ବେଲଗାମ୍ ୭୨,୦୦୦ ଟପିଲା, ରୁପା କେଜି~ ୮୯,୦୦୦

ଭୁବନେଶ୍ବର: ଗତ ମାସରୁ ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ସବୁଥର ରେକର୍ଡ କରୁଛି। ଥମିବାର ନାଁ ଧରୁନାହିଁ। ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ପାର୍ କରିଛି। ସ୍ଥାନୀୟ ଗହଣା ବ୍ୟବସାୟୀଙ୍କ ସୂଚନା ଅନୁସାରେ ୨୪ କ୍ୟାରେଟ୍ ସୁନା ଦାମ୍ ୩୮୦ ଟଙ୍କା ବୃଦ୍ଧି ପାଇ ୭୨,୧୧୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଦାମ ମଧ୍ୟ ମଙ୍ଗଳବାର ୩୫୦ ଟଙ୍କା ବୃଦ୍ଧି ପାଇ ୬୬,୧୦୦ ଟଙ୍କା ହୋଇଛି। ପ୍ରଥମ ଥର ସ୍ଥାନୀୟ ବଜାରରେ ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦାମ୍‌କୁ ଯଥାକ୍ରମେ ୬୬ ହଜାର ଟଙ୍କା ଓ ୭୨ ହଜାର ଟଙ୍କାଠାରୁ ଉପର ସ୍ତରରେ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ରୁପାର ଦ‌ାମ୍ କିଲୋଗ୍ରାମ ପିଛା ୮୯ ହଜାର ଟଙ୍କା ଅତିକ୍ରମ କରିଛି। ମଙ୍ଗଳବାର ରୁପା ଦାମ୍‌ରେ ୧୦୦୦ ଟଙ୍କା ବୃଦ୍ଧି ପାଇଛି। ଚଳିତ ମାସର ୧ ତାରିଖରେ ରୁପା କେଜି ୭୮,୬୦୦ ଟଙ୍କା ଥିଲା।

ଅଳଙ୍କାର ଆଦିଗୁଡ଼ିକୁ ୨୨ କ୍ୟାରେଟ ସୁନାରେ ପ୍ରସ୍ତୁତ କରାଯାଉଥିବା ବେଳେ କଏନ୍ ଓ ବିସ୍କୁଟଗୁଡ଼ିକ ହେଉଛି ୨୪ କ୍ୟାରେଟ ସୁନା। ସୁନା ଦାମ୍‌ରେ ବୃଦ୍ଧି ଗହଣା ବ୍ୟବସାୟକୁ ବିଶେଷ ପ୍ରଭାବିତ କରିନଥିବା ନେଇ ବ୍ୟବସାୟୀମାନେ ମତ ଦେଉଥିବା ବେଳେ ଅକ୍ଷୟ ତୃତୀୟାରେ ବହୁତ ଭଲ କାରବାର ହେବ ବୋଲି ସେମାନେ ଆଶାବାଦୀ ରହିଛନ୍ତି। କିଛି ସୋ’ରୁମ୍‌ର ସୂଚନା ଅନୁସାରେ ଲୋକମାନେ ସୁନା କିଣୁଛନ୍ତି। କିନ୍ତୁ ପୂର୍ବାପେକ୍ଷା କମ୍ ପରିମାଣର ସୁନା ନେଉଛନ୍ତି। ବିବାହ କାର୍ଯ୍ୟ ଲାଗି ଆବଶ୍ୟକ ସୁନା ଅଧିକ ବିକ୍ରି ହେଉଥିବା ଜଣାପଡ଼ିଛି।ଚଳିତ ମାସ ପହିଲାରେ ୨୨ କ୍ୟାରେଟ୍ ସୁନା ଦାମ୍ ୬୩,୭୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍‌ ସୁନା ଦାମ୍ ୬୯,୫୩୦ ଟଙ୍କା ଥିଲା। ଦଶ ଦିନ ମଧ୍ୟରେ ଏହି ଦାମ୍‌ରେ ଯଥାକ୍ରମେ ୨୩୫୦ ଟଙ୍କା ଏବଂ ୨୫୮୦ ଟଙ୍କା ବୃଦ୍ଧି ହୋଇଛି। ଆନ୍ତର୍ଜାତିକ ବଜାରରେ ଉଭୟ ସୁନା ଓ ରୁପା ମହଙ୍ଗା ହେଉଥିବାରୁ ସ୍ଥାନୀୟ ବଜାରରେ ତାହାର ପ୍ରତିଫଳନ ଦେଖିବାକୁ ମିଳୁଛି। ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାର ହ୍ରାସ କରିବା ବିଷୟରେ ବିଚାର କରୁଥିବା ବେଳେ ରୁଷ୍‌-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ୍‌-ହମାସ ଯୁଦ୍ଧ, ଅଶୋଧିତ ତୈଳ ଦରରେ ବୃଦ୍ଧି, ବିଭିନ୍ନ ଦେଶର ମୁଦ୍ରା ତୁଳନାରେ ଡଲାର ମହଙ୍ଗା ହେବା ଆଦି କାରଣ ଲାଗି ସୁନା ଓ ରୁପା ଦାମ୍ ବଢ଼ୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର