ନୂତନ ଜିଲ୍ଳାପାଳ ଓ ଏସ୍‌ପିଙ୍କୁ ଭେଟି ସମସ୍ୟା ଜଣାଇଲେ ଟ୍ରାକ୍ଟର ମାଲିକ ସଂଘ

ମନଇଚ୍ଛା ଜରିମାନା ଓ ଟ୍ରାକ୍ଟର ଜବତ ପ୍ରସଙ୍ଗକୁ ନେଇ କଲେ ଆଲୋଚନା 

ରାୟଗଡ଼ା: ମା’ ମଝିଘରିଆଣୀ ଟ୍ରାକ୍ଟର ମାଲିକ ସଂଘ ସଭାପତି ପଦ୍ମନାଭ ଦାସଙ୍କ ନେତୃତ୍ୱରେ ଟ୍ରାକ୍ଟର ମାଲିକମାନେ ନୂତନ ଜିଲ୍ଳାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ହରିଶ ବି.ସିଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରି ନିଜର ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି। ସଂଘ ସଦସ୍ୟଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ପରେ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଏବଂ ନିୟମ ଭିତରେ ରହି ସମସ୍ତେ କିଭଳି ଉପକୃତ ହୋଇ ପାରିବେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ  କହିଥିବା ବେଳେ ଜିଲ୍ଳା ଏସପିଙ୍କ ଠାରୁ ମଧ୍ୟ ସାନ୍ତ୍ୱନାମୂଳକ ଉତ୍ତର ମିଳିଥିବା ନେଇ ଟ୍ରାକ୍ଟର ମାଲିକ ସଂଘ ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି।
ସାକ୍ଷାତ ସମୟରେ ସଂଘର କୈଳାସ ଗୌଡ଼, ମଙ୍ଗୁଳୁ ଗୌଡ଼, ଗୋପାଳ କାଡ୍ରକା, ପି.ଶିବା, ଗୈାରୀ ଶଙ୍କର ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉ କି ଗତ ଜାନୁଆରି ୨୭ତାରିଖରେ ରାୟଗଡା ଜିଲ୍ଳା ସଦର ତହସିଲ ଅନ୍ତର୍ଗତ ନାଗାବଳୀ ନଦୀ ଅବବାହିକାରେ ଥିବା ବେହେରାଗୁଡା, ତୁମ୍ବିଗୁଡା, କୁମତଲପେଟା, କୋତୁରୁ, ଜଗନ୍ନାଥପୁର ଆଦି ବାଲି ପଟାରୁ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ବାଲି ଅଣାଯାଉଥିବା ବେଳେ ଅତିରିକ୍ତ ତହସିଲଦାର ଦେବାଶିଷ ବିଶ୍ୱାସ ୭ଟି ଟ୍ରାକ୍ଟରକୁ ବିଭିନ୍ନ ସ୍ଥାନରୁ ଜବତ କରିଥିଲେ।ଏଥିସହ ଟ୍ରାକ୍ଟର ପିଚ୍ଛା ୧୫ହଜାର ଟଙ୍କା ଲେଖାଁଏ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରାକ୍ଟରମାଲିକମାନେ ଜରିମାନା ଜମା କରିଥିବା ବେଳେ ଉକ୍ତ ଦିନ ଠାରୁ ରାୟଗଡାରେ ବାଲି ଯୋଗାଣରେ ଅସହଯୋଗ କରିଥିବାରୁ ସମସ୍ତ ନିର୍ମାଣଧୀନ ସରକାରୀ ଓ ବେସରକାରୀ ଗୃହ,ପ୍ରକଳ୍ପ କାର୍ଯ୍ୟଗୁଡିକ ଠପ୍ ହୋଇଯାଇଛି।
ବାଲିଘାଟଗୁଡିକରେ ଲିଜଧାରୀମାନେ ୱାଇଫର୍ମ ନ ଥିବା କହି ଟ୍ରାକ୍ଟରମାଲିକଙ୍କୁ ଫେରାଉଥିବା ବେଳେ ଟ୍ରାକ୍ଟର ଉପରେ ନିର୍ଭର କରି ଚଳୁଥିବା ପରିବାରଙ୍କ ପେଟପାଟଣା ପାଇଁ ମାଲିକମାନେ ସହର ତଥା ଗ୍ରାମାଂଚଳରେ ବାଲି ଯୋଗାଇବା ପାଇଁ ବାଧ୍ୟ ହୋଇ ବିନା ୱାଇଫର୍ମରେ ବାଲି ଆଣୁଛନ୍ତି। ତେବେ ୱାଇଫର୍ମ ପ୍ରଦାନ କରିବାକୁ ଲିଜଧାରୀ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ଅନେକ ସମୟରେ ଟ୍ରାକ୍ଟର ମାଲିକମାନେ ଦାବି କରୁଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ଏବଂ ଟ୍ରାକ୍ଟରକୁ ଜବତ କଲେ ମୋଟା ଅଙ୍କର ଜୋରିମାନା ଦେବାକୁ କହୁଥିବା ନେଇ ଟ୍ରାକ୍ଟରମାଲିକମାନେ ପ୍ରକାଶ କରିଥିଲେ।
ସମ୍ବନ୍ଧିତ ଖବର