କିଏ ହେବେ ମୁଖ୍ୟ ସଚିବ: ଦୌଡ଼ରେ ସବୁଠୁ ଆଗରେ ଅନୁ ଗର୍ଗ

ପ୍ରଦୀପଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଚର୍ଚ୍ଚା

ଭୁବନେଶ୍ବର: ନୂଆ ବର୍ଷରେ କିଏ ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ? ନା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ସରକାର ବଢ଼ାଇବେ? ଡିସେମ୍ବର ମାସର ତାରିଖ ଯେତେ ଗଡ଼ୁଛି, କ୍ଷମତା କରିଡର୍‌ରେ ଏହି ଚର୍ଚ୍ଚା ସେତିକି ଜୋର୍‌ ଧରୁଛି। ରାଜନୈତିକ ଓ ପ୍ରଶାସନିକ ମହଲର ଆଖି ମଧ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଉପରେ ନିବଦ୍ଧ ରହିଛି।

ମୁଖ୍ୟ ଶାସନ ସଚିବ ପି. କେ. ଜେନା ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଛନ୍ତି। ଗତ ମାର୍ଚ୍ଚ ମାସରେ ସେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଜଣେ ଟାଣୁଆ ପ୍ରଶାସକ ଭାବେ ତାଙ୍କର ବେଶ୍ ସୁନାମ ରହିଛି। ପୂର୍ବରୁ କୌଣସି ମୁଖ୍ୟ ଶାସନ ସଚିବ ଅବସର ଗ୍ରହଣ କଲା ବେଳେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସେତେଟା ଚର୍ଚ୍ଚା ହେଉ ନଥିଲା। କିନ୍ତୁ ଏବେ ସେହି ଚର୍ଚ୍ଚାକୁ ନିଜେ ସରକାର ହିଁ ଖୋରାକ ଯୋଗାଇଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କ୍ଷେତ୍ରରେ ରାଜ୍ୟ ସରକାର ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ପ୍ରଶାସନିକ ମହଲକୁ ଚକିତ କରିଦେଇଥିଲେ। ନବୀନ ପଟ୍ଟନାୟକଙ୍କ ସରକାରର ୨୨ ବର୍ଷ ଭିତରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ାଯାଇଥିଲା। ଥରେ ନୁହେଁ, ଦୁଇ ଥର। ୬ ମାସ ଲେଖାଏଁ ମୋଟ୍‌ ଏକ ବର୍ଷ ତାଙ୍କର କାର୍ଯ୍ୟକାଳ ବଢ଼ିଥିଲା। ସେହି ସମୟରେ ପି. କେ. ଜେନା ଉନ୍ନୟନ କମିସନର୍‌ ଥିଲେ। ଯେହେତୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ାଇବାର ପରମ୍ପରା ଆରମ୍ଭ ହୋଇସାରିଛି, ତେଣୁ ସ୍ବାଭାବିକ ଭା‌ବେ ଶ୍ରୀ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଚର୍ଚ୍ଚା ଧରିଛି। ଏମିତି ବି ତାଙ୍କ ୯ ମାସ କାର୍ଯ୍ୟକାଳ ଭିତରେ ସେ ତୃତୀୟ ମହଲାକୁ ଅସନ୍ତୁଷ୍ଟ କଲା ପରି କୌଣସି କାମ କରି ନାହାନ୍ତି। ଆଗକୁ ନିର୍ବାଚନ ଥିବାରୁ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ବ ନ ଦେଇ ଆଉ ୬ ମାସ ଶ୍ରୀ ଜେନାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରିବାରେ କିଛି ଅସ୍ବାଭାବିକତା ନାହିଁ। କିନ୍ତୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ପଦବି ଖାଲି ପଡ଼ିବା ପରେ ଗୋଟିଏ ମହଲ ଭିନ୍ନ ବିଚାର କରୁଛନ୍ତି। ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଣି ସରକାର ଏହି ପଦବି ଖାଲି କରିଛନ୍ତି, ଖାସ୍ ପ୍ରଦୀପ ଜେନାଙ୍କୁ ସେ ଦାୟିତ୍ବ ଦେବାକୁ। ଅବଶ୍ୟ ଏଥିପାଇଁ ଗୋଟିଏ ପ୍ରକ୍ରିୟା ରହିଛି। ଏ ଚର୍ଚ୍ଚାକୁ ଆଦୌ ଟାଳି ହେଉନାହିଁ। କାରଣ ଶ୍ରୀ ଜେନାଙ୍କ ବିଦ୍ୟୁତ୍ ବିଭାଗରେ ଅଭିଜ୍ଞତା ରହିଛି ଓ ଅନେକ ନୂଆ ପଦକ୍ଷେପ ନେଇଛନ୍ତି। ଏଣୁ ସରକାର ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ତାଙ୍କୁ ନିଯୁକ୍ତି ଦେଇପାରନ୍ତି।

ଏଭଳି କ୍ଷେତ୍ରରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ, ତାହାକୁ ନେଇ ଭିନ୍ନ ଭିନ୍ନ ଆକଳନ ଚାଲିଛି। ୧୯୮୭ ଓ ୧୯୮୮ ବ୍ୟାଚ୍‌ର ଅନେକ ବରିଷ୍ଠ ଅଧିକାରୀଙ୍କୁ ପଛ କରି ପିକେ ଜେନାଙ୍କ ଉପରେ ସରକାର ଆସ୍ଥା ସ୍ଥାପନ କରିଥିଲେ। ସେହି ବରିଷ୍ଠଙ୍କ ମଧ୍ୟରୁ ଏବେ ବି କେତେ ଜଣ ଅବସର ନେଇ ନାହାନ୍ତି। ୧୯୮୭ ବ୍ୟାଚ୍‌ର ଦୁଇ ଜଣ ଅଫିସର୍ ତୁହିନକାନ୍ତ ପାଣ୍ଡେ ଓ ରାଜେଶ ବର୍ମା ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ। ଏହି ଦୁଇ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେବାର ସମ୍ଭାବନା ଆପାତତଃ ନାହିଁ। ୧୯୮୮ ବ୍ୟାଚ୍‌ର ସି ଜେ ବେଣୁଗୋପାଳଙ୍କର ଚାକିରି ଆଉ ୧୧ ମାସ ରହିଛି। ସେ ଏବେ କେବିକେର ମୁଖ୍ୟ ପ୍ରଶାସକ ଅଛନ୍ତି। ଏହି ବ୍ୟାଚ୍‌ର ପ୍ରଦୀପ କୁମାର ମହାପାତ୍ରଙ୍କ ଚାକିରି ଆଉ ୫ ମାସ ଅଛି। ସେ ଏବେ ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଅଛନ୍ତି। ଶ୍ରୀ ବେଣୁଗୋପାଳଙ୍କ ନାମ ପୂର୍ବରୁ ମୁଖ୍ୟ ଶାସନ ସଚିବ ପଦବି ପାଇଁ ଚର୍ଚ୍ଚାରେ ଥିଲେ ବି ସେମିତି କିଛି ଘଟି ନଥିଲା।

ଶ୍ରୀ ଜେନାଙ୍କ ଠାରୁ କନିଷ୍ଠ ଅଧିକାରୀଙ୍କ କଥା ବିଚାରକୁ ନେଲେ ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ରେ ୫ ଜଣ ଅଧିକାରୀଙ୍କ ନାମ ଆସିବ। ଏମାନେ ସମସ୍ତେ ଏବେ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ। ସେମାନେ ‌ହେଲେ ନୀତେନ୍ ଚନ୍ଦ୍ର, ମନୋଜ ଆହୁଜା, ସଞ୍ଜୀବ ଚୋପ୍ରା, ଆରତୀ ଆହୁଜା ଓ ଜି ଶ୍ରୀନିବାସ। ଏମାନଙ୍କ ଭିତରୁ ସଞ୍ଜୀବ ଚୋପ୍ରା ସରକାରଙ୍କ ଗୁଡ୍‌ ବୁକ୍‌ରେ ଥିଲେ ବି ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଚାଲିଯାଇଥିଲେ। ତାଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ସମ୍ଭାବନା କ୍ଷୀଣ। ଏହା ପରେ ୧୯୯୧ ବ୍ୟାଚ୍‌ର ୪ ଜଣ ଅଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ସୌରଭ ଗର୍ଗ ଓ ସଞ୍ଜୟ ରସ୍ତୋଗି ଏବେ କେନ୍ଦ୍ରରେ। ଏହି ବ୍ୟାଚ୍‌ର ଅନୁ ଗର୍ଗ ଏବେ ଉନ୍ନୟନ କମିସନର। ସତ୍ୟବ୍ରତ ସାହୁ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଅନୁ ଗର୍ଗଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କରାଯିବା ନେଇ ସର୍ବାଧିକ ଚର୍ଚ୍ଚା ରହିଛି। ଯେହେତୁ ସେ ଏବେ ଉନ୍ନୟନ କମିସନର ଅଛନ୍ତି, ତେଣୁ ତାଙ୍କର ହିଁ ମୁଖ୍ୟ ଶାସନ ସଚିବ ପଦବିକୁ ପଦୋନ୍ନତି ହେବ ବୋଲି କୁହାଯାଉଛି। ଲଗାତର ଭାବେ ତିନି ଜଣ ଉନ୍ନୟନ କମିସନର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିବାର ଦେଖିବାକୁ ମିଳିଛି।

ଆହୁରି ମଧ୍ୟ ପୁଲିସ୍ ଡିଜି ପଦବିରେ ଜଣେ ମହିଳା ଆଇପିଏସ୍‌ ଅଧିକାରୀ ଦୌଡ଼ରେ ଆଗରେ ରହିଥିବାରୁ ଉଭୟ ଡିଜି ଓ ମୁଖ୍ୟ ଶାସନ ସଚିବ ପଦବିରେ ମହିଳାଙ୍କୁ ଦାୟିତ୍ବ ଦେଇ ସରକାର ମହିଳା ସଶକ୍ତୀକରଣ ପ୍ରସଙ୍ଗକୁ ନିର୍ବାଚନକୁ ନେଇପାରିବେ। ଯଦି ଶ୍ରୀମତୀ ଗର୍ଗ ମୁଖ୍ୟ ଶାସନ ସଚିବ ହୁଅନ୍ତି, ତେବେ ଓଡ଼ିଶାରେ ପ୍ରଥମ ମହିଳା ଆଇଏଏସ୍‌ ଅଧିକାରୀ ଭାବେ ସେ ଏହି ଦାୟିତ୍ବ ପାଇବେ। ତାଙ୍କ ଚାକିରି ଆହୁରି ୫ ବର୍ଷ ବାକି ଅଛି। ତେଣୁ ବରିଷ୍ଠମାନଙ୍କୁ ଅସନ୍ତୁଷ୍ଟ କରି ଏତେ ଜଲ୍‌ଦି ତାଙ୍କୁ ଦାୟିତ୍ବ ଦିଆଯିବା ନେଇ ଭିନ୍ନ ମତ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର