ସେତୁ ନିର୍ମାଣରେ କଚ୍ଛପ ଗତି! ହାତକୁ ନିଆଯାଇଛି ୧୦୫ଟି ପ୍ରକଳ୍ପ, ୮୬ ‌ସରିଛି

୧୮ ଅଧପନ୍ତରିଆ, ଅନ୍ୟ ଗୋଟିଏ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ

ରାଉରକେଲା: ସ୍ମାର୍ଟସିଟି ରାଉରକେଲା ଉପକଣ୍ଠରେ ପ୍ରବାହିତ ଦେଓ ନଦୀରେ ୨୦୧୭-୧୮ ମସିହାରୁ ସେତୁ ନିର୍ମାଣ ଚାଲିଛି। ମିଟ୍‌କୁନ୍ଦୁରୀ-ସେମେର୍ତ୍ତାକୁ ସଂଯୋଗ କରୁଥିବା ଏହି ସେତୁ ପାଇଁ ୭ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ନିର୍ମାଣ ଆରମ୍ଭ ହେବାର ୬ ବର୍ଷ ବିତିଲାଣି; କିନ୍ତୁ ଏଯାଏ ସେତୁ ନିର୍ମାଣ ସମ୍ପନ୍ନ ହୋଇନି। ଗୋଟିଏ ସ୍ଲାବ୍‌ ଓ ଆପ୍ରୋଚ୍‌ ରୋଡ୍‌ ତିଆରି ହୋଇପାରୁନି। ସ୍ଥାନୀୟ ଗ୍ରାମବାସୀଙ୍କ ମିଟ୍‌କୁନ୍ଦୁରୀଠାରେ ୨୭ ଡିସିମିଲ ଓ ଖୁଣ୍ଟଗାଁଠାରେ ୪୬ ଡିସିମିଲ, ମୋଟ୍‌ ୭୩ ଡିସିମିଲ୍‌ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ପ୍ରକଳ୍ପ ଅଧପନ୍ତରିଆ। ଫଳରେ କୁଆରମୁଣ୍ଡା-ନୂଆଗାଁ ବ୍ଲକ ଅଞ୍ଚଳର ୨୦ ହଜାରରୁ ଅଧିକ ଲୋକଙ୍କୁ ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହୋଇ ରାଉରକେଲାକୁ ଆସୁଛନ୍ତି। କେବଳ ଏହି ଗୋଟିଏ ଉଦାହରଣ ନୁହେଁ; ବରଂ ରାଉରକେଲା ଗ୍ରାମ୍ୟ ନିର୍ମାଣ ବିଭାଜନ(ଆର୍‌ଡବ୍ଲ୍ୟୁ ଡିଭିଜନ) ଅଧିନରେ ନିର୍ମାଣାଧୀନ ଏକାଧିକ ପ୍ରକଳ୍ପରେ ସମାନ କଚ୍ଛପ ଗତି ପରିଲକ୍ଷିତ ହୁଏ।
ଏ ପର୍ଯ୍ୟନ୍ତ ଆର୍‌ଡବ୍ଲ୍ୟୁ ବିଭାଗ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଯୋଜନାରେ ମୋଟ୍‌ ୧୦୫ଟି ସେତୁ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିମଧ୍ୟରୁ ୮୬ଟି ସେତୁ ନିର୍ମାଣ ସମ୍ପନ୍ନ ହୋଇଥିବାବେଳେ ୧୮ଟି ପ୍ରକଳ୍ପ ନିର୍ମାଣାଧୀନ। ସଂପ୍ରତି ଗୋଟିଏ ନୂଆ ସେତୁ ନିର୍ମାଣ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଆର୍‌ଡବ୍ଲ୍ୟୁ ରାଉରକେଲା ଡିଭିଜନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସର୍ବାଧିକ ୨୭ଟି ସେତୁ ନିର୍ମାଣ କରାଯାଇଥିବାବେଳେ ଗୋଟିଏ ସେତୁ ପ୍ରକଳ୍ପ ନିର୍ମାଣାଧୀନ। ସେହିଭଳି ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଅନୁଦାନରୁ ୨୫ଟି ସେତୁ ନିର୍ମାଣ କରାଯାଇଥିବାବେଳେ ୮ଟି ନିର୍ମାଣାଧୀନ ଏବଂ ବିଜୁ ସେତୁ ଯୋଜନାରେ ୨୫ଟି ପ୍ରକଳ୍ପ ନିର୍ମାଣ କରାଯାଇଥିବାବେଳେ ୮ଟି ପ୍ରକଳ୍ପର ନିର୍ମାଣକାର୍ଯ୍ୟ ଚାଲିଛି। ଏତଦ୍‌ବ୍ୟତୀତ ଓମ୍‌ବାଡ୍‌ସି ପକ୍ଷରୁ ୯ଟି ସେତୁ ନିର୍ମାଣ କରାଯାଇଥିବାବେଳେ ୧ ସେତୁର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଏବଂ ଆଇଡିଆଇବି ପକ୍ଷରୁ ହାତକୁ ନିଆଯାଇଥିବା ଗୋଟିଏ ସେତୁର ନିର୍ମାଣ କାର୍ଯ୍ୟ ଏଯାବତ୍‌ ସଂପନ୍ନ ହୋଇପାରିନି। ଅର୍ଥାତ୍‌, ଅଧପନ୍ତରିଆ ହୋଇଥିବା ସେତୁ ମଧ୍ୟରେ ଡିଏମ୍‌ଏଫ୍‌ ଅନୁମୋଦିତ ୮ଟି ପ୍ରକଳ୍ପ ଥିବାବେଳେ ବିଜୁ ସେତୁ ଯୋଜନାର ୭ଟି ଏବଂ ଆଇଡିଆଇବି, ଓମ୍‌ବାଡ୍‌ସି ଓ ପିଏମ୍‌ଜିଏସ୍‌ୱାଇ ଯୋଜନାରେ ଗୋଟିଏ ଲେଖାଏ ପ୍ରକଳ୍ପ ନିର୍ମାଣାଧୀନ ରହିଛି। କେଉଁଠି ଜମି ଅଧିଗ୍ରହଣରେ ପ୍ରଶାସନର ବିଫଳତା ସହ କେଉଁଠି ବିଭାଗର ଚିରାଚରିତ ଅବହେଳା ଯୋଗୁଁ ସେତୁ ନିର୍ମାଣ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇପାରୁନି।
ସମ୍ବନ୍ଧିତ ଖବର