ଛତା କେବଳ ବର୍ଷାଦିନର ସାଥୀ ତାହା ନୁହେଁ, ଖରାଦିନେ ମଧ୍ୟ ଅନେକ ଲୋକ ଛତା ବ୍ୟବହାର କରୁଛନ୍ତି। ବିଶେଷକରି ରାସ୍ତାରେ ଚାଲି କରି ଯାଉଥିବା ଝିଅ, ମହିଳା ଏବଂ ବରିଷ୍ଠ ନାଗରିକମାନେ ଖରାଦିନେ ସାଥିରେ ଛତା ନେଉଛନ୍ତି। ଏହାଦ୍ୱାରା ସେମାନଙ୍କ ଶରୀରକୁ ସୂର୍ଯ୍ୟ କିରଣ, ଗରମ ଏବଂ ଅତି ବାଇଗଣୀ ରଶ୍ମୀ ପ୍ରଭାବରୁ ରକ୍ଷା ମିଳୁଛି। ବୟସ୍କ ବ୍ୟକ୍ତିମାନେ ସାଧାରଣତଃ ବଡ଼ ଛତା ସାଥିରେ ନେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବେତ ବେଣ୍ଟ ଲାଗିଥିବା ଛତା ନେଉଥିବାବେଳେ ମହିଳା ଏବଂ ଝିଅମାନେ ସାଥିରେ ଆଧୁନିକ ଡିଜାଇନ୍ର ଫୋଲ୍ଡିଂ ଛତା ନେଉଛନ୍ତି। ଫଳରେ ଖରାଦିନ ଆସିଲେ ଛତା ବିକ୍ରି ବଢ଼ି ଯାଉଛି। ଏବେ ବଜାରରେ ବିଶେଷକରି ରିଫ୍ଲେକ୍ଟିଭ ଡିଜାଇନ୍, କମ୍ପାକ୍ଟ ଡିଜାଇନ୍ର ରଙ୍ଗିନ ଛତାର ଆଦର ଅଧିକ ରହିଥିବା ଦେଖାଯାଇଛି। ଏହାକୁ ନେଇ ଆମର ଏହି ସ୍ୱତନ୍ତ୍ର ପ୍ରସ୍ତୁତି:
Sambad is now on WhatsApp
Join and get latest news updates delivered to you via WhatsApp
ଡ୍ରେସ୍ ଓ ଶାଢ଼ିର ରଙ୍ଗ ଅନୁଯାୟୀ ଛତା
ପୂର୍ବରୁ ସାଧାରଣତଃ ଲୋକମାନେ କଳା ରଙ୍ଗର ଛତା ବ୍ୟବହାର କରୁଥିଲେ। ଏବେ ବିଭିନ୍ନ ରଙ୍ଗର ଛତା ବଜାରରେ ଉପଲବ୍ଧ ହେଉଛି। ଝିଅ ଓ ମହିଳାମାନେ ଡ୍ରେସ୍ ଓ ଶାଢ଼ିର ରଙ୍ଗକୁ ମ୍ୟାଚ୍ କରିବା ଭଳି ଛତା ବ୍ୟବହାର କରୁଛନ୍ତି।
ରିଫ୍ଲେକ୍ଟିଭ ଡିଜାଇନ୍
ଖରାରୁ ରକ୍ଷା ପାଇବା ପାଇଁ ମହିଳାମାନେ ସାଧାରଣ ଡିଜାଇନ୍ର ଛତା ବ୍ୟବହାର କରିବା ସହିତ ଆଜିକାଲି ରିଫ୍ଲେକ୍ଟିଭ ଡିଜାଇନ୍ର ଛତା ମଧ୍ୟ ବ୍ୟବହାର କରୁଥିବା ଦେଖାଯାଉଛି। ଏହି ଛତାକୁ ବ୍ୟବହାର କରିବା ଦ୍ୱାରା ଆଲୋକର ପ୍ରତିଫଳନ ହେଉଛି। ଫଳରେ ଅନ୍ଧାରରେ ଯିବା ସମୟରେ ଛତା ବ୍ୟବହାରକାରୀମାନେ ସେମାନଙ୍କ ଉପସ୍ଥିତି ଜାହିର କରି ପାରିଥାନ୍ତି।
କମ୍ପାକ୍ଟ ଛତା
ଭ୍ୟାନିଟି, ସ୍କୁଲ ବ୍ୟାଗ୍ ଏବଂ ହ୍ୟାଣ୍ଡ୍ବ୍ୟାଗ୍ ଆଦିରେ ନେଇ ହେଉଥିବା ଭଳି ଛତାକୁ ସାଧାରଣତଃ କମ୍ପାକ୍ଟ ଛତା କୁହାଯାଉଛି। ଏହି ଛତାଗୁଡ଼ିକ ଦୁଇଟି ଏବଂ ତିନୋଟି ଫୋଲ୍ଡ ବିଶିଷ୍ଟ। ସୁଇଚ୍ ଟିପିଲେ ଏହି ଛତା ଆପେ ଖୋଲିଥାଏ। ବ୍ୟବହାର ପାଇଁ ଏହା ସହଜ ହୋଇଥିବାରୁ ଲୋକମାନେ ଏ ପ୍ରକାର ଛତାକୁ ଅଧିକ ବ୍ୟବହାର କରୁଥିବା ଦେଖାଯାଉଛି।
ମ୍ୟାଟେରିଆଲ ଏବଂ ବ୍ରାଣ୍ଡ୍ ଅନୁସାରେ ଦର
ବଜାରରେ ବିଭିନ୍ନ ମ୍ୟାଟେରିଆଲରେ ପ୍ରସ୍ତୁତ ଛତା ଭିନ୍ନ ଭିନ୍ନ ବ୍ରାଣ୍ଡ୍ ନାମରେ ଉପଲବ୍ଧ ହେଉଛି। ମାର୍କେଟରେ ଏଗୁଡ଼ିକ ସହଜରେ ମିଳୁଛି। ତେବେ ଛତାରେ ବ୍ୟବହୃତ ସାମଗ୍ରୀ ଏବଂ ବ୍ରାଣ୍ଡ୍ ଅନୁସାରେ ଦର ରହୁଛି। ଅନ୍ଲାଇନ୍ରେ ବିଭିନ୍ନ ପ୍ରକାରର ଛତା ମିଳୁଛି। ଏଗୁଡ଼ିକରେ ବିଭିନ୍ନ ସମୟରେ ରିହାତି ମଧ୍ୟ ପ୍ରଦାନ କରାଯାଉଛି।