ପୁରୁଣା ଭୁବନେଶ୍ବର: ଶିଶୁପାଳଗଡ଼ ମହୋତ୍ସବର ତୃତୀୟ ସନ୍ଧ୍ୟା ବାଳିକାମାନଙ୍କ ସମରକଳାରୁ ଆରମ୍ଭ ହୋଇଥିଲା। ବାଳିକାମାନେ ଖଣ୍ଡା, ଲାଠି ମାଧ୍ୟମରେ ସାହସିକତାର ସହିତ ପାଇକ ଆଖଡ଼ା ପ୍ରଦର୍ଶନ କରିଥିଲେ। ପରେ ଶ୍ରୀଡ୍ୟାନ୍ସ ଇନଷ୍ଟିଚ୍ୟୁଟ୍ର ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ‘ରାମ ପାଦ ପୂଜା’ ଏବଂ ସୋନି ଡ୍ୟାନ୍ସ ଗ୍ରୁପର କଳାକାର ମାନଙ୍କ ଦ୍ୱାରା ‘ଗଶେଶ ବନ୍ଦନା’ ନୃତ୍ୟ ପରିବେଷିତ ହୋଇଥିଲା। ନୃତ୍ୟ ନିର୍ଦ୍ଦେଶକ ହରିହର ଦାଶ ଓ ସାଥୀଙ୍କ ନୃତ୍ୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରିଥିଲା। ସେହିପରି ମୁମ୍ବାଇର କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ଛେୟାଁ ଛେୟାଁ…, ରମତା ଯୋଗୀ…, ଗଲିୟାଁ…, ଅଧୁରି ଜିନ୍ଦେଗି…., ଇତ୍ୟାଦି ସଂଗୀତ ପରିବେଷଣ କରିବା ବେଳେ ଶତାଧିକ ଦର୍ଶକ ଷ୍ଟେଜ୍ ନିକଟକୁ ଆସି ନାଚିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭିକି ଡ୍ୟାନ୍ସ ଗ୍ରୁପର କୁନି କୁନି କଳାକାରମାନେ ନୃତ୍ୟ ମାଧ୍ୟମରେ ସର୍ଜିକାଲ ଷ୍ଟ୍ରାଇକ ଓ ଶିଶୁ ଶ୍ରମିକ ନୃତ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ଏବଂ କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇଥିଲେ। କାପୋକର ସଂପାଦକ ଚିତ୍ତରଞ୍ଜନ ମହାନ୍ତି, ସହ ସଂପାଦକ ରବୀନ୍ଦ୍ର ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ବଳନ କରି ଅତିଥିଙ୍କ ସହ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାପୋକ ଅନୁଷ୍ଠାନ ତରଫରୁ ସମସ୍ତ କଳାକାର ଏବଂ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାପୋକର ସଭ୍ୟ ଭକ୍ତ ଭୂଷଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତାକାଲି ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଧାରାବାହିକ କଳାକାର ମାନଙ୍କ ପାଇଁ ସମର୍ପିତ ହେବ। ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବାବୁସାନ, ପପୁ ପମ୍ ପମ୍, ସୋମେଶ, ଲିପ୍ସା ମିଶ୍ର, ଅନୁ ଚୌଧୁରୀ, ଏଲିନା ସାମନ୍ତରାୟ, ଶୁଭାଶିଷ ଶର୍ମାଙ୍କ ସମେତ ୩୫ରୁ ଅଧିକ କଳାକାରଙ୍କୁ ଶିଶୁପାଳଗଡ଼ ମହୋତ୍ସବରେ ଓଲିଉଡ ସମ୍ମାନ-୨୦୨୦ରେ ସମ୍ବର୍ଦ୍ଧିତ କରାଯିବ।