କରୋନା ମୁକାବିଲାର ସୂତ୍ର : କର୍ଣ୍ଣାଟକର ‘ଟ୍ରେସ୍, ଟେଷ୍ଟ ଓ ଟ୍ରିଟ୍’
ଦେଶ ଏବେ କରୋନା ମହାମାରୀର ମୁକାବିଲା କରୁଛି। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ନିଜ ନିଜ ଢଙ୍ଗରେ କରୋନାର ମୁକାବିଲା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ଦେଶର କେତେକ ରାଜ୍ୟ କରୋନା ମୁକାବିଲା କ୍ଷେତ୍ରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇପାରିଛନ୍ତି। ସଂପୃକ୍ତ ରାଜ୍ୟଗୁଡ଼ିକ ନେଇଥିବା ପଦକ୍ଷେପ ସାରା ଦେଶରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଯଦିଓ କୌଣସି ମଡେଲ ଚିରସ୍ଥାୟୀ ନୁହେଁ, ତଥାପି ଏ ପର୍ଯ୍ୟନ୍ତ କରୋନା ମୁକାବିଲାରେ ସଂପୃକ୍ତ ରାଜ୍ୟ ଏକପ୍ରକାର ଏଥିରେ ସଫଳ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରେ ସବୁଠାରୁ ଆଗରେ ରହିଛି କେରଳ। ଏହାସହ ରାଜ୍ୟସ୍ଥାନ, କର୍ଣ୍ଣାଟକ ସରକାର ମଧ୍ୟ ନିଜ ନିଜ ଶୈଳୀରେ କରୋନାର ମୁକାବିଲା କରି ଯଥାସମ୍ଭବ କରୋନାକୁ ନିୟନ୍ତ୍ରଣରେ ରଖିପାରିଛନ୍ତି। ଦେଶର କିଛି ହାତଗଣିତ କରୋନା ମଡେଲ ସଂପର୍କରେ ସ୍ବତନ୍ତ୍ର ଉପସ୍ଥାପନା…
ପ୍ରସ୍ତୁତି: କ୍ଷିତୀଶ ରାୟ ଓ ସସ୍ମିତା ସାହୁ
ଅଳଙ୍କରଣ: କମଳ ପଣ୍ଡା
Sambad is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକର ‘ଟ୍ରେସ୍, ଟେଷ୍ଟ ଓ ଟ୍ରିଟ୍’
ଦେଶର କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଥିଲା କର୍ଣ୍ଣାଟକରେ। ଏହା ପରଠାରୁ କର୍ଣ୍ଣାଟକ ସରକାର କରୋନା ମୁକାବିଲା ନେଇ ତତ୍ପର ହୋଇ ପଡ଼ିଥିଲେ। ଦେଶର ଅନ୍ୟ ମେଟ୍ରୋ ସହରରେ କରୋନା ଯେଉଁଭଳି ଭାବେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି ଏହା ତୁଳନାରେ ୧.୨ କୋଟି ଜନସଂଖ୍ୟା ବିଶିଷ୍ଟ ବାଙ୍ଗାଲୋରରେ କରୋନା ଏକପ୍ରକାର ନିୟନ୍ତ୍ରଣରେ ରହିଛି। ପଜିଟିଭ୍ଙ୍କ କଣ୍ଟାକ୍ଟଙ୍କ ଟ୍ରେସିଂଠାରୁ ଆରମ୍ଭ କରି ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦିଗରେ କର୍ଣ୍ଣାଟକ ଆଗରେ ରହିଛି। ୩ଟି ବା ଟ୍ରେସ୍, ଟେଷ୍ଟ ଓ ଟ୍ରିଟ୍ ମଡେଲର ଅନୁକରଣ କରାଯାଉଛି। ବଡ଼ କଥା ହେଉଛି, ରାଜ୍ୟ ସରକାର କରୋନା ମୁକାବିଲା ନେଇ ବିଶେଷଜ୍ଞମାନଙ୍କ ମତକୁ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି। ତେଣୁ କର୍ଣ୍ଣାଟକ ସରକାରଙ୍କ କରୋନା ନିୟନ୍ତ୍ରଣ ମଡେଲକୁ ବିଳମ୍ବରେ ହେଲେ ମଧ୍ୟ ଦେଶବ୍ୟାପୀ ଏବେ ଯଥେଷ୍ଟ ଗୁରୁତ୍ବ ଦିଆଯିବା ଆରମ୍ଭ କରିଛି।
୪ଘଣ୍ଟାରେ କଣ୍ଟାକ୍ଟ ଟ୍ରେସ୍: କର୍ଣ୍ଣାଟକ ସରକାର କଣ୍ଟାକ୍ଟ ଟ୍ରେସିଂକୁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ପ୍ରାଇମେରି ଓ ସେକେଣ୍ଡାରି କଣ୍ଟାକ୍ଟ ମଧ୍ୟରୁ ଅନେକଙ୍କୁ ୪/୫ଘଣ୍ଟା ଭିତରେ ଟ୍ରେସ୍ କରାଯାଉଛି। ଏପରିକି ସ୍ଥଳବିଶେଷରେ କେରଳଠାରୁ ମଧ୍ୟ କର୍ଣ୍ଣାଟକରେ ଅଧିକ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିବା ନଜରକୁ ଆସିଛି।
ଟେକ୍ନୋଲୋଜି: ଭାରତର ଟେକ୍ ହବ୍ ହେଉଛି ବେଙ୍ଗାଲୁରୁ। ତେଣୁ ସ୍ଥାନୀୟ ସରକାର କରୋନା ମୁକାବିଲା ପାଇଁ ଏକାଧିକ୍ ଆପ୍ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଏକ ହାଇଟେକ୍ କୋଭିଡ୍ ୱାର୍-ରୁମ୍ ଖୋଲାଯାଇଛି। ସେହିଠାରୁ ହିଁ ସବୁ କିଛି ନିୟନ୍ତ୍ରଣ କରାଯାଉଛି। ଏପରିକି ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତିମାନଙ୍କୁ ପ୍ରତି ୨ଘଣ୍ଟାରେ ଥିବା ନିଜର ସେଲଫି ସଂପୃକ୍ତ ଆପ୍ ଅପଲୋଡ୍ କରିବା ପାଇଁ କୁହାଯାଉଛି।
ପ୍ରଶାସନ ନୁହେଁ ବିଶେଷଜ୍ଞ ମତକୁ ଗୁରୁତ୍ବ: କରୋନା ମୁକାବିଲା କ୍ଷେତ୍ରରେ ଅନେକ ରାଜ୍ୟ ସରକାର ପ୍ରାଶାସନିକ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି। ମାତ୍ର କର୍ଣ୍ଣାଟକରେ ଏହାର ଓଲଟା ଦେଖିବାକୁ ମିଳିଛି। ପ୍ରଶାସନ ଅପେକ୍ଷା ରାଜ୍ୟ ସରକାର କରୋନା ମୁକାବିଲା ନେଇ ବିଶେଷଜ୍ଞଙ୍କ ମତକୁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ପରିଣାମ ସ୍ବରୂପ ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି।