୫ ପାକ୍‌ ଆତଙ୍କବାଦୀ ନିପାତ: ୯.୫ କିଗ୍ରା ହେରୋଇନ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ପଞ୍ଜାବର ସୀମାରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ବିଏସ୍‌ଏଫ୍‌ ଯବାନମାନେ ଆଜି ଭୋରୁ ନିପାତ କରିଛନ୍ତି। ଏହି ଘଟଣା ପରେ ସେଠରେ ସର୍ଚ୍ଚ ଅପରେସନକୁ ବଢ଼ାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ପଟୁ କିଛି ବ୍ୟକ୍ତି ଅସ୍ତ୍ରଶସ୍ତ୍ର ସହିତ ଭାରତ ମଧ୍ୟକୁ ଅନୁପ୍ରବେଶ କରୁଥିବା ବିଏସ୍‌ଏଫ୍‌ର ୧୦୩ ବାଟାଲିୟନ ଯବାନମାନେ ଦେଖିବାକୁ ପାଇଥିଲେ। ପାକିସ୍ତାନ ସହିତ ପଞ୍ଜାବର ଅନ୍ତର୍ଜାତୀୟ ସୀମା ତର୍ନ ତରନ୍ ନିକଟରେ ସେମାନେ ଭାରତ ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ। ଏହା ଜାଣିବା ପରେ ସେମାନଙ୍କୁ ବିଏସଏଫ ଯବାନମାନେ ସେହିସ୍ଥାନରେ ଅଟକିବାକୁ କହିଥିଲେ। କିନ୍ତୁ ସେମାନେ ନଅଟକି ଯବାନମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ଆତ୍ମରକ୍ଷା ପାଇଁ ଯବାନମାନେ ପାଲଟା ଗୁଳିଚାଳନା କରି ସେମାନଙ୍କୁ ନିପାତ କରିଛନ୍ତି। ନିପାତ ହୋଇଥିବା ୫ ଆତଙ୍କବାଦୀଙ୍କ ନିକଟରୁ ପ୍ରାୟ ୯.୫ କିଗ୍ରା ହେରୋଇନ ଏବଂ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୯.୫ କିଗ୍ରା ‌ହେରୋଇନ ୯ଟି ପ୍ୟାକେଟରେ ଥିଲା। ସେହିଭଳି ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଏକେ-୪୭ ରାଇଫଲ, ଦୁଇଟି ମାଗାଜିନ, ୨୭ ରାଉଣ୍ଡ ଗୁଳି, ୪ଟି ୯ ଏମଏମ ପିସ୍ତଲ ଆଦି ରହିଛି। ଏଥିସହିତ ୨ଟି ଆଣ୍ଡ୍ରଏଡ୍‌ ଫୋନ୍ ଏବଂ ୬୧୦ ଟଙ୍କାର ପାକିସ୍ତାନୀ ମୁଦ୍ରା ଜବତ ‌କରାଯାଇଛି।

ଗତ ଦଶନ୍ଧି ମଧ୍ୟରେ ଏତେ ସଂଖ୍ୟାରେ ପାକ୍ ଅନୁପ୍ରବେଶକାରୀ କେବେ ବି ଭାରତକୁ ‌ପ୍ରବେଶ କରିବା ସମୟରେ ଧରାପଡ଼ି ନିପାତ ହୋଇ ନଥିବା କୁହାଯାଉଛି। ସୀମାରେ ଥିବା ‌ଉଚ୍ଚା ଘାସ ଭିତରେ ସେମାନେ ଭାରତ ଭିତରକୁ ଅନୁପ୍ରବେଶ ପ୍ରୟାସ କରୁଥିଲେ। ବିଏସଏଫ ପକ୍ଷରୁ ପୋଷ୍ଟ କରାଯାଇଥିବା ଫଟୋରୁ ଜଣାଯାଇଛି, ଦୁଇ ଅନୁ‌ପ୍ରବେଶକାରୀଙ୍କର ମୃତ ଶରୀର ମଧ୍ୟରୁ ଜଣଙ୍କ ଶରୀର ଉପରେ ଅନ୍ୟ ଜଣଙ୍କର ଶରୀର ପଡ଼ି ରହିଥିବାବେଳେ ଅନ୍ୟ ୩ ଜଣଙ୍କର ଶରୀର ଭିନ୍ନ ଭିନ୍ନ ସ୍ଥାନରେ ପଡ଼ି ରହିଛି। ଜବତ ସାମଗ୍ରୀକୁ ବିଏସଏଫ ପକ୍ଷରୁ ପୁଲିସକୁ ହସ୍ତାନ୍ତର କରାଯିବ। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସହିତ ଭାରତର ପ୍ରାୟ ୩୩୦୦ କିମି ସୀମା ରହିଛି। ପଞ୍ଜାବ ସମେତ ଜାମ୍ମୁ କାଶ୍ମୀର, ରାଜସ୍ଥାନ ଓ ଗୁଜରାଟ ସହିତ ପାକିସ୍ତାନର ସୀମା ରହିଛି।

ସମ୍ବନ୍ଧିତ ଖବର