ପାନ୍ଥନିବାସରେ ଜମିବ ରଜ, ପିଠା ବାଣ୍ଟିବ ’ପିଠା ଅନ୍‌ ହ୍ବିଲ୍‌’

ଭୁବନେଶ୍ବର: ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜର ପ୍ରଚାରପ୍ରସାର ଓ ପରମ୍ପରା ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାନ୍ଥନିବାସ ପରିସରେ ଆୟୋଜିତ ହେଉଥିବା ‘ରଜ ମହୋତ୍ସବ’ କାର୍ଯ୍ୟକ୍ରମ ଚଳିତ ବର୍ଷ ବି ଆୟୋଜିତ ହୋଇଯାଇଛି। କରୋନା କଟକଣା ପାଇଁ ଦୀର୍ଘ ୨ବର୍ଷ ଧରି ରଜ ପର୍ବ ପ୍ରଭାବିତ ହେଉଥିଲା। ହେଲେ ଚଳିତଥର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଧୁମ୍‌ଧାମ୍‌ରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବା ସହ ଆଜି ‘ପିଠା ଅନ୍ ହ୍ୱିଲ୍‌’କୁ ମଧ୍ୟ ଉନ୍ମୋଚିତ କରାଯାଇଛି। ମଙ୍ଗଳବାରଠାରୁ ଏହି ‘ପିଠା ଅନ୍‌ ହ୍ବିଲ’ ଗାଡ଼ି ରାଜଧାନୀ ସାରା ବୁଲି ଲୋକଙ୍କୁ ପାରମ୍ପରିକ ପିଠାର ସ୍ବାଦ ଚଖାଇବ। ପିଠା ଗାଡ଼ି ବୁଲି ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସୁସ୍ବାଦୁ ପିଠା ଯୋଗାଇଦେବ।

ସେହିଭଳି ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟ ଜିଲ୍ଲା ଗୁଡ଼ିକରେ ଥିବା ୧୮ଟି ପାନ୍ଥ ନିବାସରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ ଓଟିଡିସି। ଆଜି ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ଆର. ଯାଦବ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏଠାରେ ପର୍ଯ୍ୟଟନ ବିଭା‌ଗ ଓ ଓଟିଡିସିର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ପାନ୍ଥନିବାସରେ ୫ଟି ଦୋଳିର ବ୍ୟବସ୍ଥା କରାଯାଇଥିବାବେଳେ ମେହେନ୍ଦୀ ଓ ରଜ ପା‌ନର ବ୍ୟବସ୍ଥା କରାଯାଇଛି। ଯାହାକୁ ଆଜି ଲୋକମାନେ ଖୁବ୍‌ ଉପଭୋଗ କରିଛନ୍ତି।

ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଦୋଳି

ସହିଦନଗର ଦୁର୍ଗା ମଣ୍ଡପ ପଡ଼ିଆରେ ଏଥର ଜମିବ ରଜ ମହୋତ୍ସବ। ଓଟିଡିସି ପକ୍ଷରୁ ସ୍ବତନ୍ତ୍ର ରଜ ଦୋଳି ବ୍ୟବସ୍ଥା କରିବା ସହ ୩୨ଟି ଷ୍ଟଲ୍‌ ପଡ଼ିବ। ଏଥିରେ ଫୁଡ଼୍‌ ଷ୍ଟଲ୍‌ ସମେତ ବିଭିନ୍ନ ଦ୍ରବ୍ୟର ଷ୍ଟଲ୍‌ମାନ ରହିବ। ଏଥିସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଦୁଇ ବର୍ଷ ପରେ ଧୁମ୍‌ଧାମ୍‌ରେ ରଜ ଉତ୍ସବ ପାଳନ ହେଉଥିବାରୁ ଏଠାରେ ରାଜଧାନୀବାସୀ ଖୁବ୍‌ ଉପଭୋଗ କରିବେ। ସମସ୍ତେ ଆସି ଏଠାରେ ଦେୟମୁକ୍ତ ଭାବେ ଯୋଗ ଦେଇ ଦୋଳି ଖେଳିବା ସହ ପିଠା ଖାଇ ରଜ ମଉଜକୁ ଉପଭୋଗ କରିପାରିବେ।

୪୦୦ ଟଙ୍କାରେ କିଲେ ପୋଡ଼ପିଠା

ଗତ ବର୍ଷ ପୋଡ଼ପିଠା କିଲୋ ପ୍ରତି ୩୩୦ଟଙ୍କା ଥିବାବେ‌ଳେ ଚଳିତଥର ୪୦୦ ଟଙ୍କା ରହିଛି। ଏହାସହ କାକରା, ଆରିଷା, ସିଝା ମଣ୍ଡା, ଧଳା ମଣ୍ଡା, କ୍ଷୀର ଗଜା ଆଦି ଛୋଟ ଛୋଟ ପିଠା ଗୁଡିକ ଖଣ୍ଡ ପ୍ରତି ୨୦ଟଙ୍କାରେ ବିକ୍ରି କରାଯାଉଛି। ସେହିଭଳି ଛୋଟ ପିଠା ଗୁଡ଼ିକରୁ ଗୋଟିଏ ଲେଖାଁଏ ଓ ପୋଡପିଠା ୧୦୦ଗ୍ରାମ୍‌କୁ ପ୍ୟାକେଟ୍‌ କରି ବିକ୍ରି କରାଯାଉଛି। ଯାହାର ଦାମ୍‌ ୧୫୦ଟଙ୍କା‌ ରହିଛି। ସେହିଭଳି ଛୋଟ ପିଠା ଦୁଇଟି ଲେଖାଁଏ ଓ ପୋଡ଼ପିଠା ୫୦୦ଗ୍ରାମ୍‌ ଥିବା ପ୍ୟାକେଟ୍‌ ୩୫୦ଟଙ୍କାରେ ଉପଲବ୍ଧ ରହିଛି। ଗତବର୍ଷ ସଂପୂର୍ଣ୍ଣ ପିଠା ବିକ୍ରି ୧୧ଲକ୍ଷ ଟଙ୍କା ହୋଇଥିବାବେଳେ ଚଳିତଥର ୧୫ଲକ୍ଷ ଟଙ୍କାର ଟାର୍ଗେଟ ରଖାଯାଇଥିବା ଓଟିଡିସି ପକ୍ଷରୁ ସୂଚନା ମିଳିଛି।

ଉତ୍ତର ଭୁବନେଶ୍ବର ଅଞ୍ଚଳରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ରାତି ପାହିଲେ ପହିଲି ରଜ। ଏନେଇ ଉତ୍ତର ଭୁବନେଶ୍ବର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରଶେଖରପୁର, ରଘୁନାଥପୁର, ରଙ୍ଗମାଟିଆ, ମଞ୍ଚେଶ୍ବର, ଦାରୁ‌‌ଠେଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହେଉଛି ରଜ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଦୋଳି ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିଭଳି ବିଭିନ୍ନ ଅନୁଷ୍ଠାନରେ ସିନେ କଳାକାରମାନେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଚନ୍ଦ୍ରଶେଖରପୁର କଲ୍ୟାଣୀ ମଣ୍ଡପରେ ରେଣ୍ଡୋଜ୍ ପକ୍ଷରୁ ଅନୁଷ୍ଠିତ ହେବ ରଜ ଫନ୍ ଫେଷ୍ଟ। ଏହି କାର୍ଯ୍ୟକ୍ରମ‌ ତିନି ଦିନ ଧରି ଚାଲିବ। ପ୍ରତିଦିନ ମହିଳା, ଯୁବତୀ ଓ ଶିଶୁମାନଙ୍କ ମଧ୍ୟରେ କଳାତ୍ମକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସଂଧ୍ୟାରେ ଓଲିଉଡ୍‌ କଳାକାରମାନଙ୍କ ଉପସ୍ଥିତିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଓ ମେୟର ସୁଲୋଚନା ଦାସ ଯୋଗ ଦେବାକୁ ଥିବା ବେଳେ ସିନେ କଳାକାର ଉଷଶୀ ମିଶ୍ର, ଦୀପକ ଓ ଆକାଶ ଦାସ ନାୟକ ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ ପିଠା, ମିଠା ଓ ରଜ ପାନ ବଜାର ବସିବ। ସେହିଭଳି କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ମଞ୍ଚେଶ୍ବରରେ ଅନୁଷ୍ଠିତ ହେବ ରଜ ସ୍ପେସାଲ‌ ଡେ’। ଏହି ଦିନିକିଆ କାର୍ଯ୍ୟକ୍ରମରେ ରାଜଧାନୀର ବିଭିନ୍ନ ନୃତ୍ୟ ଓ ଗୀତ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ରଜ ଗୀତ ବୋଲିବା ସହ ନୃତ ପରିବେ‌ଷଣ କରିବେ।

ସଂଧ୍ୟାରେ ଓଲିଉଡ୍‌ କଳାକାରମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ଜୟମା’ ଭବାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ରଜ ଶୁଭେଚ୍ଛା କାର୍ଯ୍ୟକ୍ରମ। ହେଲ୍‌ପ ଓଡ଼ିଶା ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ହେବ ରଜ ମହୋତ୍ସବ। ଏହି କାର୍ଯ୍ୟକ୍ରମ ଅବସରରେ ସଂଧ୍ୟାରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ନୃତ୍ୟ, ଗୀତ ଓ ଫ୍ୟାସନ୍ ସୋ’ ଅନୁଷ୍ଠିତ ହେବ। ରଘୁନାଥପୁରରେ ସାଇନାଥ ଜରାଶ୍ରମ ପକ୍ଷରୁ ଅନୁଷ୍ଠିତ ହେବ ରଜ ପର୍ବ। ରଙ୍ଗମାଟିଆ ଗ୍ରାମବାସୀଙ୍କ ଦ୍ବାରା ରଙ୍ଗନାଥ ଦେବ ମନ୍ଦିର ପଡ଼ିଆରେ ଅନୁଷ୍ଠିତ ହେବ ରଜ ମଉଜ-୨୦୨୨। ଦୁଇ ଦିନ ଧରି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।

ଗାଡ଼ିରେ ବୁଲିବ ପିଠା

ରାଜଧାନୀ ଭୁବନେଶ୍ୱରର ୮ଟି ସ୍ଥାନରେ ଏହି ପିଠା ମିଳିବ। କିଟ୍‌ ଛକ, ଏଜି ଛକ, ଖଣ୍ଡଗିରି ଛକ, ନିମନ୍ତ୍ରଣ ‌ରେଷ୍ଟୁରାଣ୍ଟ୍‌, ରାମ ମନ୍ଦିର ଛକ, ସହିଦନଗର ଦୁର୍ଗା ମଣ୍ଡପ ପଡିଆ, ରାଜ୍ୟ ସଂଗ୍ରହାଳୟ ଓ ପାନ୍ଥନିବାସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ଏହି ପିଠା ବିକ୍ରି କରାଯିବ। ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର ମୋବାଇଲ ଫୋନ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଦୁଇଟି ହେଲା ୯୯୩୭୫୬୨୧୮୧ ଏବଂ ୮୨୬୦୨୮୨୯୭୫ ଫୋନ୍‌ କରି ପିଠା ଗାଡ଼ି ଏବଂ ପିଠା ବିଷୟରେ ଲୋକମାନେ ବୁଝିପାରିବେ। ଭୁବନେଶ୍ୱର ସମେତ ଓଡ଼ିଶାର ୧୮ଟି କାଉଣ୍ଟର୍‌ରେ ପ୍ରଥମ ଥର ପାଇଁ ପିଠା ବିକ୍ରି କରାଯାଉଥିବା ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର