ଜମ୍ମୁ-କାଶ୍ମୀରରେ ମତଦାନକୁ ନେଇ ବିବାଦୀୟ ଘୋଷଣା: ଅସ୍ଥାୟୀ ବାସିନ୍ଦାଙ୍କୁ ଭୋଟ୍‌ଦାନ ଅଧିକାର

ଏନ୍‌ସି ଓ ପିଡିପିର ବିରୋଧ

ଶ୍ରୀନଗର: କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ରହୁଥିବା ଅଣ-ସ୍ଥାନୀୟ ଲୋକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ୨୦୧୯ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ସହ ଏହା କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଛି। ଦଳିତ, ଶରଣାର୍ଥୀ, ବାହାରୁ ଆସି ରହୁଥିବା ବ୍ୟକ୍ତି ଏବଂ ସେନା କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗଙ୍କୁ ଏଣିକି ମତଦାନ ଅଧିକାର ମିଳିବ। କେନ୍ଦ୍ରର ଏହି ବିବାଦୀୟ ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି ଓ ନେସ୍‌ନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ଓମାର ଅବଦୁଲ୍ଲା ତୀବ୍ର ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ବିଜେପିକୁ ଏଭଳି ‘ଆମଦାନିକରା ଭୋଟର’ ସାହାଯ୍ୟ କରିବେ।

ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ହିର୍ଦେଶ କୁମାର ଘୋଷଣା କରିଛନ୍ତି ଯେ କର୍ମଚାରୀ, ଛାତ୍ର, ଶ୍ରମିକ ସମେତ ଜମ୍ମୁ-କାଶ୍ମୀରରେ ବାହାର ରାଜ୍ୟରୁ ଆସି ବସବାସ କରୁଥିବା ଯେକୌଣସି ବ୍ୟକ୍ତି ଭୋଟର ତାଲିକାରେ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ ଏବଂ ଜମ୍ମୁ-କାଶ୍ମୀର ନିର୍ବାଚନରେ ଭୋଟଦାନ କରିପାରିବେ। ଏଥିପାଇଁ ଜମ୍ମୁ-କାଶ୍ମୀରରେ ନିଜର ଘର ବା ଜମି ଥିବାର ବା ସ୍ଥାୟୀ ବାସିନ୍ଦା ହୋଇଥିବାର ଆବଶ୍ୟକତା ନାହିଁ। ଯେଉଁ କର୍ମଚାରୀମାନେ ଅନ୍ୟ ରାଜ୍ୟରୁ ଆସି ଏଠାରେ ସଶସ୍ତ୍ର ବାହିନୀରେ କାମ କରୁଛନ୍ତି ଏବଂ ଜମ୍ମୁ-କାଶ୍ମୀରରେ ରହୁଛନ୍ତି ସେମାନେ ବି ଭୋଟର୍‌ ତାଲିକାରେ ନାମ ପଞ୍ଜୀକରଣ କରିପାରିବେ।

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲା ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ମୁଫତି କହିଛନ୍ତି, ଯେକୌଣସି ଉପାୟରେ ଜନାଦେଶକୁ ବିଜେପି ନିଜ ସପକ୍ଷରେ ନେବାକୁ ଚାହୁଛି। ଅଣ-ସ୍ଥାନୀୟ ଲୋକଙ୍କୁ ଭୋଟଦାନ ପାଇଁ ଅନୁମତି ଦେଲେ ତାହା ନିଶ୍ଚିତରୂପେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ। ଓମାର ଅବଦୁଲ୍ଲା କହିଛନ୍ତି, ବିଜେପି କ’ଣ ଜମ୍ମୁ-କାଶ୍ମୀରର ପ୍ରକୃତ ଭୋଟରଙ୍କଠାରୁ ନିଜକୁ ଏତେ ଅସୁରକ୍ଷିତ ମନେ କରୁଛି ଯେ ଜିତିବା ପାଇଁ ଅସ୍ଥାୟୀ ଭୋଟରଙ୍କୁ ବାହାରୁ ଆମଦାନି କରୁଛି? ଲୋକଙ୍କୁ ଥରେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ମିଳିଯିବା ପରେ ବିଜେପିର ମନ୍ଦ ଉଦ୍ଦେଶ୍ୟ କଦାପି ସଫଳ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର