ପୁରୀ : ଆଜି ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଏକ ଟିମ୍ ପୁରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଢ଼ଉ କରି ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣେ ଆଉଟ୍ସୋର୍ସିଂ ଡାଟା ଏଣ୍ଟ୍ରି ଅପରେଟର୍ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭିଜିଲାନ୍ସ ସୂତ୍ରରୁ ହସ୍ତଗତ ଖବର ଅନୁସାରେ, ଗୋପ ଥାନା ଅଞ୍ଚଳର ଜଣେ ଛାତ୍ରଙ୍କ ମେଧାବୃତ୍ତି ପୁରସ୍କାର ରାଶିକୁ ଦେବାପାଇଁ ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର ସେନାପତି ୨ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଭୁବନେଶ୍ବର ଭିଜିଲାନ୍ସ ଥାନାରେ ଅଭିଯୋଗ ହେବାପରେ ସେଠାରେ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ଭୁବନେଶ୍ବରରୁ ଆସିଥିବା ଭିଜିଲାନ୍ସ ଟିମ୍ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଧୀରେନ୍ଦ୍ର ନେଉଥିବା ଲାଞ୍ଚବାବଦ ୨ ହଜାର ଟଙ୍କାକୁ ଅନ୍ୟ ଜଣେ ଶିକ୍ଷକଙ୍କୁ ଧରାଇ ଦେଇଥିଲେ। ଫଳରେ, ଭିଜିଲାନ୍ସ ଟିମ୍ ଧୀରେନ୍ଦ୍ରଙ୍କ ସହିତ ସମ୍ପୃକ୍ତ ଶିକ୍ଷକ ପ୍ରହଲ୍ଲାଦ ପ୍ରଧାନଙ୍କୁ ଗିରଫ କରିଛନ୍ତି। ପ୍ରହଲ୍ଲାଦ ବ୍ରହ୍ମଗିରିରେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି। ଏହାପରେ ପୁରୀ ଭିଜିଲାନ୍ସ ଟିମ୍ ଧୀରେନ୍ଦ୍ରଙ୍କ ଚୁଡ଼ଙ୍ଗ ସାହିସ୍ଥିତ ବାସଭବନରେ ଚଢ଼ଉ କରିଥିବା ଜଣାପଡ଼ିଛି।