ଋଣ-ଜମା ଅନୁପାତ: କେଉଁଠି ଅଧିକ, କେଉଁଠି କମ୍

ଶୀର୍ଷରେ ଝାରସୁଗୁଡ଼ା, ସବୁଠୁ ତଳେ ମୟୂରଭଞ୍ଜ, ୬୦ ପ୍ରତିଶତ ତଳେ ଦୁଇଟି ଜିଲ୍ଲା

ଭୁବନେଶ୍ବର: ବ୍ୟାଙ୍କଗୁଡ଼ିକ ଯେତିକି ଟଙ୍କାର ଜମା ସଂଗ୍ରହ କରୁଛନ୍ତି, ସେଥିରୁ କେତେ ଟଙ୍କା ଋଣ ଆକାରରେ ଦେଉଛନ୍ତି।‌ କେଉଁ ଜିଲ୍ଲାରେ ଋଣ ଅଧିକ ଥିବା ବେଳେ ଅନ୍ୟ ଜିଲ୍ଳାରେ କମ୍ ରହୁଛି। ରାଜ୍ୟରେ ବ୍ୟାଙ୍କଗୁଡ଼ିକର ଋଣ-ଜମା ଅନୁପାତ ୮୧.୭୫ ପ୍ରତିଶତ ରହିଛି। ଅର୍ଥାତ୍‌ ବ୍ୟାଙ୍କଗୁଡ଼ିକ ରାଜ୍ୟରୁ ଯେତିକି ଅର୍ଥ ଜମା ବାବଦରେ ସଂଗ୍ରହ କରୁଛନ୍ତି ତାହାର ୮୧.୭୫ ପ୍ରତିଶତ ଖଟାଇଛନ୍ତି। ଜିଲ୍ଲା ଅନୁଯାୟୀ ଋଣ ଜମା ଅନୁପାତକୁ ବିଚାରକୁ ନେଲେ ରାଜ୍ୟର ମାତ୍ର ୯ଟି ଜିଲ୍ଲାରେ ଏହା ୧୦୦ ପ୍ରତିଶତରୁ ଅଧିକ ରହିଛି। ସବା ଆଗରେ ଝାରସୁଗୁଡ଼ା ଅଛି। ସେଠାରେ ଉକ୍ତ ଅନୁପାତ ୨୬୭.୭୨ ପ୍ରତିଶତ ଥିବାବେଳେ ଏହା ପଛକୁ ଦ୍ବିତୀୟ ସ୍ଥାନରେ ବୌଦ୍ଧ (୧୫୭.୧୧ ପ୍ରତିଶତ),‌ ତୃତୀୟ ସ୍ଥାନରେ କଳାହାଣ୍ଡି (୧୪୩.୬୩ ପ୍ରତିଶତ), ଚତୁର୍ଥ ସ୍ଥାନରେ ରାୟଗଡ଼ା (୧୩୨.୨୬ ପ୍ରତିଶତ) ରହିଛି। ସେହିଭଳି ସୁବର୍ଣ୍ଣପୁର ୧୨୫.୨୧ ପ୍ରତିଶତ, ଯାଜପୁର ୧୧୬.୭୮ ପ୍ରତିଶତ, ବରଗଡ଼ ୧୦୯.୪୯ ପ୍ରତିଶତ ଏବଂ ନୂଆପଡ଼ା ୧୦୭.୬୯ ପ୍ରତିଶତ ରହିଛି। କିନ୍ତୁ ଅନ୍ୟ ୨୧ଟି ଜିଲ୍ଲାରେ ଋଣ ଜମା ଅନୁପାତ ୧୦୦ ପ୍ରତିଶତରୁ କମ୍‌ ରହିଛି ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ରିପୋର୍ଟରୁ ଉକ୍ତ ତଥ୍ୟ ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ ୧୭ଟି ଜିଲ୍ଲାର ଋଣ ଜମା ଅନୁପାତ ରାଜ୍ୟର ହାରାହାରି ୮୧.୭୫ ପ୍ରତିଶତ ତୁଳନାରେ କମ୍‌ ରହିଛି। ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାରେ ଋଣ ଜମା ଅନୁପାତ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ମାନଦଣ୍ଡ ଅର୍ଥାତ୍‌ ୬୦ ପ୍ରତିଶତରୁ କମ୍‌ ରହିଛି। ମୟୂରଭଞ୍ଜରେ ଉକ୍ତ ଅନୁପାତ ୫୫.୬୦ ପ୍ରତିଶତ ଥିବାବେଳେ ଜଗତସିଂହପୁରରେ ୫୭.୨୬ ପ୍ରତିଶତ ରହିଛି।

ଶୀର୍ଷରେ ଝାରସୁଗୁଡ଼ା, ସବୁଠୁ ତଳେ ମୟୂରଭଞ୍ଜ
୬୦ ପ୍ରତିଶତ ତଳେ ଦୁଇଟି ଜିଲ୍ଲା
୨୧ଟି ଜିଲ୍ଲାରେ ୧୦୦ ପ୍ରତିଶତରୁ କମ୍

ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଅର୍ଥନୈତିକ କାର୍ଯ୍ୟକଳାପ ଯେଉଁ ଜିଲ୍ଲାରେ ଅଧିକ ସେଠାରେ ଋଣ ଜମା ଅନୁପାତ ଅଧିକ ରହିବା ସ୍ବାଭାବିକ। ଏହାବ୍ୟତୀତ ଋଣ ଜମା ଅଧିକ ଥିବା ଜିଲ୍ଲା ମଧ୍ୟରୁ କେତେକ ଜିଲ୍ଲାରେ ଲୋକଙ୍କ ସ୍ଥିତି ସ୍ବଚ୍ଛଳ ନଥିବାରୁ ସେଠାରେ ଜମା ରାଶି କମ୍‌ ରହିଥାଏ। କିନ୍ତୁ ନୂଆ ନୂଆ ପ୍ରକଳ୍ପ ‌କାରଣରୁ ବ୍ୟାଙ୍କଗୁଡ଼ିକର ଋଣ ପ୍ରବାହ ସେସବୁ ଜିଲ୍ଲାରେ ଅଧିକ ହୋଇଥାଏ। ଫଳରେ ସଂପୃକ୍ତ ଜିଲ୍ଲାର ଋଣ ଜମା ଅନୁପାତ ଭଲ ରହିଥିବା ପ୍ରତିଫଳିତ ହୋଇଥାଏ। ସର୍ବଭାରତୀୟ ବ୍ୟାଙ୍କ ପେନ୍‌ସନର୍ସ ଆଣ୍ଡ୍ ରିଟାୟାରିଜ୍‌ ମହାସଂଘ (ଏଆଇପିଆର୍‌ସି) ଓଡ଼ିଶା ଶାଖାର ସାଧାରଣ ସଂପାଦକ ନିରଂଜନ ଯୋଗାଣିଆଙ୍କ କହିବାନୁଯାୟୀ, ଋଣ ଜମା ଅନୁପାତ କମ୍ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ କେତେକ ଜିଲ୍ଲାରେ ସାଧାରଣତଃ ଜମାରାଶି ବହୁ ଅଧିକ ରହିଥାଏ। ସେହି ଅନୁସାରେ ସେଠାରେ ବ୍ୟାଙ୍କଗୁଡ଼ିକ ନିକଟରେ ଋଣ ପ୍ରଦାନ କରିବାର ସୁଯୋଗ ନଥାଏ। ଯଦି ସରକାର ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି କରନ୍ତି ତା’ହେଲେ ବ୍ୟାଙ୍କଗୁଡ଼ିକ ପାଇଁ ଋଣ ଦେବାର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ଏହାହେଲେ ଋଣ ଜମା ଅନୁପାତ କମ୍ ଥିବା ଜିଲ୍ଲାରେ ମଧ୍ୟ ଉନ୍ନତି ଆସିବ ବୋଲି ସେ ମତ ଦେଇଛନ୍ତି। ଅନ୍ୟଜଣେ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଅନେକ ଜିଲ୍ଲାରେ ଜମି କାଗଜପତ୍ର ବନ୍ଧକ ରଖିବାରେ ଆଇନଗତ ପ୍ରତିବନ୍ଧକ ରହୁଛି। ଏଥିପାଇଁ ବ୍ୟାଙ୍କଗୁଡ଼ିକ ଗୃହ ଋଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଛୋଟ ଛୋଟ ଋଣ ପ୍ରଦାନ କ୍ଷେତ୍ରରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁରେ ସୁଧାର ଆସିଲେ ଖରାପ ସ୍ଥିତି ଥିବା ଜିଲ୍ଲାଗୁଡ଼ିକରେ ବ୍ୟାଙ୍କର ଋଣ ଜମା ଅନୁପାତ ବଢ଼ିବ ବୋଲି ଅଧିକାରୀଜଣକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର