ବାସି ଖାଦ୍ୟ ଖାଇ ଅନ୍ବେଷା ହଷ୍ଟେଲର ୪୭ ଛାତ୍ରଛାତ୍ରୀ ଅସୁସ୍ଥ ଅଭିଯୋଗ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାମପାଲିଠାରେ ଥିବା ଅନ୍ବେଷା ହଷ୍ଟେଲର ଛାତ୍ରଛାତ୍ରୀ ହଷ୍ଟେଲର ବାସି ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି | ମିଳିଥିବା ସୂଚନା ମୁତାବକ ପାଟଣାଗଡ଼ ରାମପାଲି ସ୍ଥିତ ଅନ୍ବେଷା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ସକାଳୁ ଜଳଖିଆ ଖାଇ ଓମ ଇଣ୍ଟରନେସନାଲ ସ୍କୁଲକୁ ପଢିବା ପାଇଁ ଯାଇଥିଲେ | ସ୍କୁଲରେ ପାଠ ପଢୁଥିବା ସମୟରେ ୪୭ ଜଣଙ୍କ ପେଟ ଦରଜ, ଝାଡାବାନ୍ତି ଆଦି ହୋଇଥିଲା | ଏସମ୍ପର୍କରେ ସ୍କୁଲ ତରଫରୁ ଅନ୍ବେଷା ହଷ୍ଟେଲକୁ ଅବଗତ କରା ଯାଇଥିଲା | ଏହା ପରେ ସ୍କୁଲ ବସରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା | ସେଠାରେ ସମସ୍ତ ୪୭ ଜଣ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଔଷଧ ଖାଇବା ପରେ ୪୬ ଜଣ ଠିକ ହୋଇ ହଷ୍ଟେଲକୁ ଫେରିଥିବାବେଳେ ଜଣେ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ବର୍ତ୍ତମାନ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି | ଏହି ଖବର ପାଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପହଞ୍ଚି ଡାକ୍ତରଖାନା ଓ ହଷ୍ଟେଲ ଯାଇ ସ୍ଥିତି ପରିଖିଥିବା ବେଳେ ବଲାଙ୍ଗରୀରୁ ଡିଡ଼ବ୍ଲ୍ୟୁଓ ସହ ପାଟଣାଗଡ଼ ଏଡ଼ବ୍ଲ୍ୟୁଓ ହଷ୍ଟେଲରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡିଛି |

ତେବେ ଏସମ୍ପର୍କରେ ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଏହା ଫୁଡ ପଏଜନିଂ ହୋଇଥିବା ସନ୍ଦେହ କରାଯାଉଛି | ଖାଇବାର ମାନ ପରଖିବା ପାଇଁ କର୍ମଚାରୀଙ୍କୁ ପଠାଯାଇଛି ବୋଲି କହିଥିଲେ | ସେହିପରି ଛାତ୍ରଛାତ୍ରୀମାନଙ୍କ କହିବା ଅନୁଯାୟୀ, ସେମାନେ ବାସି ଖାଦ୍ୟ ଖାଇଥିବାରୁ ତାଙ୍କ ପେଟ ଦରଜ, ଝାଡାବାନ୍ତି ହୋଇଥିବା ଓ ସେମାନଙ୍କ ନିୟମିତ ଭାବେ ଉଚିତ ମାନର ଖାଦ୍ୟ ଦିଆଯାଉ ନ ଥିବା ନେଇ କହିଥିଲେ | ଅପର ପକ୍ଷରେ ହଷ୍ଟେଲ ଇନଚାର୍ଜଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ କୌଣସି ବାସି ଖାଦ୍ୟ ଦିଆଯାଇନାହିଁ, ଗତକାଲି ରବିବାର ରହିଥିଲା, ରବିବାର ସକାଳୁ ପୁରୀ ଚଣା ତରକାରୀ ଖାଇଥିଲେ, ରବିବାର ଦିନ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଆସିଥାନ୍ତି, ତେଣୁ ସେମାନେ ନିଜ ନିଜ ପିଲାଛୁଆମାନଙ୍କ ପାଇଁ ସିଙ୍ଗଡା, ବରା, ପିଆଜି ଆଣିଥାନ୍ତି | ତାହା ପିଲାଏ ଖାଇଥିଲେ, ଦ୍ବିପ୍ରହରରେ ଭାତ ଓ ଚିକେନ ଦିଆଯାଇଥିଲା | ରାତିରେ କିଛି ଛାତ୍ରଛାତ୍ରୀ ଭଲ ଲାଗୁ ନ ଥିବା କହି ଖାଇ ନ ଥିଲେ | ଆଜି ସକାଳୁ ସେମାନଙ୍କୁ ଉପମା ଓ ଚଣା ତରକାରୀ ଦିଆଯାଇଥିଲା | ତାହା ଖାଇ ସଭିଏଁ ସ୍କୁଲକୁ ଯାଇଥିଲେ, ହଷ୍ଟେଲ ପକ୍ଷରୁ କୌଣସି ବାସି ଖାଦ୍ୟ ଦିଆଯାଇନାହିଁ |

ସମ୍ବନ୍ଧିତ ଖବର