କାୟା ମେଲାଇଛି ପ୍ରାଣଘାତୀ ଏଚ୍‌ଆଇଭି: ବାଲେଶ୍ବର ଜିଲ୍ଲାରେ ୧୬୯୭ ଆକ୍ରାନ୍ତ, ସୋରରେ ସର୍ବାଧିକ

ବାଲେଶ୍ବର: ଡିସେମ୍ବର ୧ ଅର୍ଥାତ୍‌ ଆସନ୍ତାକାଲି(ଶୁକ୍ରବାର) ବିଶ୍ବ ଏଡ୍‌ସ ଦିବସ। ଚଳିତ ବର୍ଷ ନାକୋ ପକ୍ଷରୁ ‘ଗୋଷ୍ଠୀ ସମୂହକୁ ନେତୃତ୍ବ ଦିଅ’ ବାର୍ତ୍ତା ନେଇ ସବୁଠି ସଚେତନତା ସୃଷ୍ଠି କରାଯିବ। ତେବେ ଏଡ୍‌ସକୁ ନେଇ ବିଭିନ୍ନ ସରକାରୀ ଓ ଘରୋଇ ଅନୁଷ୍ଠାନ ପକ୍ଷରୁ ‌ଯେତେ ସଚେତନତା ସୃଷ୍ଟି କରାଗଲେ ବି ଏଡ୍‌ସ ନିୟନ୍ତ୍ରଣ ହେବା ସ୍ବାସ୍ଥ୍ୟ ବିଭାଗ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ୍‌ ହୋଇଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯେତେ ସଚେତନତା ସୃଷ୍ଟି କରାଗଲେ ବି କାଟୁ କରୁନି। ଦିନକୁଦିନ ଏଡ୍‌ସ ରୋଗୀଙ୍କ ସଂଖ୍ୟା ବରଂ ବୃଦ୍ଧି ପାଇଚାଲିଛି। ବିଶେଷକରି ଯୁବଗୋଷ୍ଠୀ ଏଥିରେ ଅଧିକ ଶିକାର ହେଉଥିବା ଜଣାପଡ଼ିଛି। ବଡ଼ କଥା ହେଲା, ଅନ୍ୟ ଜିଲ୍ଲା ଅପେକ୍ଷା ବାଲେଶ୍ବର ଜିଲ୍ଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ଅଧିକ ରହିବା ଚିନ୍ତାର ବିଷୟ ପାଲଟିଛି।
ଡିଏପିସିୟୁ ରିପୋର୍ଟ ଅନୁସାରେ, ବାଲେଶ୍ବର ସହିତ ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ମିଶି ମୋଟ୍‌ ୧୯୫୬ ଚିହ୍ନଟ ହୋଇଛନ୍ତି। ଏଥିରେ ୬୫୫ ଜଣ ମହିଳା ଏବଂ ପୁରୁଷ ୧୦୫୦ ଜଣ ରହିଛନ୍ତି। ସେହିପରି ୧୧୯ ଜଣ ପିଲା ରହିଥିବା ଜଣାପଡ଼ିଛି। ସେହିପରି ଆଜିପର୍ଯ୍ୟନ୍ତ ୪୪୫ ଜଣଙ୍କର ଏଡ୍‌ସରେ ମୃତ୍ୟୁ ହୋଇସାରିଲାଣି। ତେବେ ଅନ୍ୟ ଜିଲ୍ଲା‌ରେ ୨୦୨ ଜଣ ରହିଥିବା ବେଳେ ବାହାର ଜିଲ୍ଲାରୁ ୫୭ ଜଣ ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବାଲେଶ୍ବର ଜିଲ୍ଲାରେ କେବଳ ୧୬୯୭ ଜଣ ରୋଗୀ ରହିଛନ୍ତି। ସବୁଠାରୁ ଅଧିକ ଏଡ୍‌ସ ରୋଗୀ ସୋର ବ୍ଲକରେ ରହିଥିବା ବେଳେ ଏହା ତଳକୁ ରହିଛି ସଦର ବ୍ଲକ।
ଯାହା ଜଣାପଡ଼ିଛି, ଜିଲ୍ଲାରେ କିଛି ବର୍ଷ ହେଲା ଏଡ୍‌ସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି। ୨୦୨୦ ମସିହାରେ ୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ଏହା ବୃଦ୍ଧି ପାଇ ୭୧ ହୋଇଛି। ସେହିପରି ୨୦୨୨ରେ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ୨୦୨୩ ଅକ୍ଟୋବର ପର୍ଯ୍ୟନ୍ତ ୯୯ ଜଣ ଚିହ୍ନଟ ହୋଇଛନ୍ତି। ପ୍ରତିବର୍ଷ ୧୦ରୁ ଅଧିକ ଲୋକ ଚିହ୍ନଟ ହେଉଛନ୍ତି। ଏଡ୍‌ସକୁ ନିୟନ୍ତ୍ରଣରେ ରଖିବା ପାଇଁ ପରୀକ୍ଷା ସଂଖ୍ୟାକୁ ବୃଦ୍ଧି କରାଯାଉଛି। ପ୍ରତି ମାସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆଇସିଟିସି ସେଣ୍ଟରରେ ୩ ହଜାରରୁ ଅଧିକ ଲୋକଙ୍କର ପରୀକ୍ଷା କରାଯାଉଛି। ପୂର୍ବରୁ ଜିଲ୍ଲାର ସବୁ ବ୍ଲକରେ ଆଇସିଟିସି ସେଣ୍ଟର ରହିଥିବା ବେଳେ କିଛି ବର୍ଷ ଏଡ୍‌ସ ନିୟନ୍ତ୍ରଣକୁ ଆସିଥିବାରୁ ଏହାକୁ ବନ୍ଦ କରାଯାଇଥିଲା। ହେଲେ ଏବେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ପରୀକ୍ଷା ସଂଖ୍ୟାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସବୁ ବ୍ଲକରେ କ୍ୟାମ୍ପ୍‌ କରାଯାଇ ପରୀକ୍ଷା କରାଯାଉଛି। ତେବେ ଚିହ୍ନଟ ହୋଇଥିବା ରୋଗୀଙ୍କ ଭିତରୁ ବହୁ ରୋଗୀ ଏଆର୍‌ଟି ସେଣ୍ଟରରୁ ଔଷଧ ନେଇ ଖାଉନାହାନ୍ତି। ସେହିପରି ବହୁ ରୋଗୀ ସାମାଜିକ ଲାଞ୍ଛନା ଓ ଅପବାଦ ଭୟରେ ରୋଗକୁ ଲୁଚାଉଛନ୍ତି। ତେବେ ଏଡ୍‌ସ ଭଳି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ସଚେତନତା ହିଁ ମୁଖ୍ୟ ମାଧ୍ୟମ ବୋଲି ଡିଏପିସିୟୁର ରଶ୍ମିତା ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର