ନୂଆପଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଜିଲ୍ଲାରେ ୧୫୭ ଡାକ୍ତର ପଦବୀ ଖାଲି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଜିଲ୍ଲାରେ ୫ଟି ବ୍ଳକ ଓ ୩ ଟି ଏନଏସିରେ ପାଇଁ ୨୪୯ ଜଣ ଡାକ୍ତର ଆବଶ୍ୟକ ରହିଥିବା ବେଳେ ମାତ୍ର ୯୨ ଜଣ ଡାକ୍ତର ଅଛନ୍ତି। ଏବେ ୧୫୭ଟି ଡାକ୍ତର ପଦବୀ ଖାଲି ରହିଛି। ଏଭଳି ସ୍ଥିତିରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ସୀମାନ୍ତ ତଥା ଉପାନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନୂଆପଡ଼ା, ବରଗଡ, ବଲାଙ୍ଗୀର, କଳାହାଣ୍ତି ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲ୍ଲାର ଲୋକେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି।

ଜିଲ୍ଲା ମୁଖ୍ୟାଳୟରେ ରୋଗୀଙ୍କୁ ସବୋର୍ତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୩ ଶହ ବେଡ ବିଶିଷ୍ଟ ୭ ମହଲା କୋଠାଗୃହ ନିର୍ମାଣ ହୋଇଥିଲା। ଏହି ନବନିମିର୍ତ କୋଠା ଉଦଘାଟନକୁ ୪ ବର୍ଷ ବିତି ଯାଇଥିଲେ ବି ଆବଶ୍ୟକ ଡାକ୍ତର ପଦବୀ ପୂରଣ ହେଉନଥିବାରୁ ରୋଗୀ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବ‌ଞ୍ଚିତ ହେଉଛନ୍ତି। ଜିଲ୍ଲାରେ ଡାକ୍ତର ପଦବୀ ପାଇଁ ୨୪୯ ଜଣ ପଦବୀ ରହିଥିବା ବେଳେ ୯୨ ଜଣ ଡାକ୍ତର ରହିଛନ୍ତି। ସେପରି ୧୫୭ ଡାକ୍ତର ନାହନ୍ତି। ସେଥିମଧ୍ୟରୁ ଜିଲ୍ଲାରେ ଦାନ୍ତ ଡାକ୍ତର ୭ଟି ପଦବୀ ରହିଥିବା ବେଲେ ୪ଜଣ ଡାକ୍ତର ରହିଥିବା ବେଲେ ୩ ଟି ପଦବୀ ଖାଲି ପଡିଛି। ଆୟୁଷ ଡାକ୍ତର ୨୦ ଟି ପଦବୀ ରହିଥିବା ବେଲେ ୧୯ ଜଣ ଡାକ୍ତର ରହିଥିବା ବେଲେ ଗୋଟିଏ ପଦବୀ ଖାଲିପଡ଼ିଛି।

ଫାର୍ମାସିଷ୍ଟ ୪୬ ଜଣ ମଧ୍ୟରୁ ୩୫ ଜଣ ରହିଥିବା ବେଲେ ୧୧ ଟି ପଦବୀ ଖାଲି ରହିଛି। ନର୍ସିଙ୍ଗ ଅଫିସର ୨୨୯ ଟି ପଦବୀରୁ ୨୦୧ ଜଣ ରହିଥିବା ବେଲେ ୧୮ ଜଣଙ୍କ ପଦବୀ ଖାଲିପଡ଼ିଛି। ସେହିପରି ଏଏନଏମ ୧୪୬ ଟି ପଦବୀ ରହିଥିବା ବେଲେ ୧୪୧ ଜଣ ରହିଥିବା ବେଲେ ୫ଟି ପଦବୀ ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଜଣ ଭେଷଜ ବିଶେଷଜ୍ଞ, ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ, ୨ କର୍ଣ୍ଣ ନାସା ଗଳା ବିଶେଷଜ୍ଞ, ଜଣେ ନିଶ୍ଚେତକ ବିଶେଷଜ୍ଞ, ଜଣେ ଚକ୍ଷୁ ବିଶେଷଜ୍ଞ, ଜଣେ ଶିଶୁ ରୋଗ ବିଶେଷଜ୍ଞ, ୨ ଜଣ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଜଣେ ରୋଗ ନିଦାନ ବିଶେଷଜ୍ଞ, ଜଣେ ସୂକ୍ଷ୍ମଜୀବ ବିଜ୍ଞାନ ବିଶେଷଜ୍ଞ, ଜଣେ ଅସ୍ତ୍ରୋପଚାର ବିଶେଷଜ୍ଞ ସମେତ ୧୫ ଜଣ ବିଶେଷଜ୍ଞ ଓ ୧୪ ଜଣ ସାଧାରଣବର୍ଗ ଡାକ୍ତର ରୋଗୀ ସେବା କରୁଛନ୍ତି।

ଏବେ ଟିବି, ଲେପ୍ରୋସି ଭଳି ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚାକଚକିଆ କୋଠାଗୃହ ଦେଖି ରୋଗୀ ଭଳ ଚିକିତ୍ସା ଆଶାରେ ଧାଇଁ ଆସୁଥିବା ବେଳେ ଭିତରେ ଡାକ୍ତର ଅଭାବରୁ ଫମ୍ପା ମାଠିଆ ବୋଲି ଦେଖି ଫେରି ଯାଉଛନ୍ତି। ଏବେ ସିଏଚସିରେ ଆବଶ୍ୟକ ଡାକ୍ତର ନିଯୁକ୍ତ ହୋଇନଥିବା ବେଳେ ପ୍ରାୟ ପିଏଚସି ଡାକ୍ତର ସଂଖ୍ୟା କମ୍ ରହିଛି। ଏଭଳି ସ୍ଥିତିରେ ଡାକ୍ତର ଅଭାବ ହେତୁ ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସିଡିଏମଓ ଡାସୁଧୀର ରଞ୍ଜନ ନାଏକଙ୍କୁ ପଚାରିବାରୁ ପ୍ରତିମାସରେ ଜିଲ୍ଲାପାଳଙ୍କ ଜରିଆରେ ଡାକ୍ତର ପଦବୀ ପୂରଣ ପାଇଁ ସରକାରଙ୍କୁ ଜଣାଉଛି। ହେଲେ ନୂଆପଡ଼ା ଜିଲ୍ଲାରେ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ବିଭିନ୍ନ ସମସ୍ୟା ଦେଖା ଦେଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର