ଜନବସତି ଶୁନ୍ୟ ଅଂଚଳରେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରୁଛି କିଏ ?

ଜୟପୁର: ଲକ୍ଷାଧିକ ଟଙ୍କା ବ୍ୟୟରେ ଏବେ ୱାର୍ଡ ନଂ ୭ର ହାଟପଦା ବନ୍ଧହୁଡା ସାହି ମଧ୍ୟରେ ଜନବସତି ଶୁନ୍ୟ ଅଂଚଳରେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କାମ ଚାଲିଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ତେବେ ଏହି ରାସ୍ତାକୁ ପୌରପାଳିକା ପକ୍ଷରୁ ନିର୍ମାଣ କରାଯାଉଛି କି ଅନ୍ୟ କିଏ ନିର୍ମାଣ କରୁଛି ତାହାର ସ୍ପଷ୍ଟ ଉତ୍ତର ସେହି ୱାର୍ଡର କାଉନସିଲର କିମ୍ବା ପୌରନିର୍ବାହୀ ଅଧିକାରୀ କେହି ବି ଦେଇ ପାରୁନାହାନ୍ତି। ତେବେ ଏହି ନିର୍ମାଣ କାମ କରୁଛି କିଏ ତାହାକୁ ନେଇ ଏବେ ସାହିବାସିନ୍ଦା ମଧ୍ୟ ସଂଦେହରେ ପଡ଼ିଛନ୍ତି। ସଂପ୍ରତି ଯେଉଁଠାରେ ଏହି ରାସ୍ତା ନିର୍ମାଣ କାମ ଚାଲିଛି ସେଠାରେ ଜନବସତି କିମ୍ବା ଘର ଖଣ୍ଡିକ ବି ନାହିଁ। ଖୋଲା ପଡ଼ିଆ ଥିବା ସ୍ଥାନରେ ଏହି ରାସ୍ତା ନିର୍ମାଣ କାହିଁକି କରାଯାଉଛି ତାହାକୁ ନେଇ ଏବେ ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।

ସ୍ଥାନୀୟ କାଉନସିଲର ଗାୟତ୍ରୀ ଖରାଙ୍କୁ ପଚାରିବାରେ ଏଭଳି ରାସ୍ତା ନିର୍ମାଣ ହେଉଥିବା ସଂପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ଯେଉଁ ଅଂଚଳରେ ବସ୍ତି ବାସିନ୍ଦା ବସବାସ କରୁଛନ୍ତି ସେହି ଅଂଚଳରେ କରା ନ ଯାଇ କାହାରି ଘର କିମ୍ବା ଲୋକେ ନଥିବା ସ୍ଥାନରେ କାହିଁକି ରାସ୍ତା ନିର୍ମାଣ କରାଯାଉଛି ବୋଲି ଓଲଟି ସେ ପ୍ରଶ୍ନ କରିଛନ୍ତି। ପ୍ରାୟ ୩୦୦ମିଟରରୁ ଉର୍ଦ୍ଧ୍ବ ଏହି ରାସ୍ତା ନିର୍ମାଣକୁ ନେଇ ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପୌରପାଳିକା ପକ୍ଷରୁ ଏହା ନିର୍ମାଣ କରାଯାଉଥିବା କିମ୍ବା ୱାର୍କ ଅର୍ଡର ଦେଇଥିବା ସଂପର୍କରେ ସେ ଜାଣି ନାହାନ୍ତି ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ।

ଯଦି କେହି ନିର୍ମାଣ କରୁଥିବ ତେବେ ସେ ନିଜସ୍ବ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବେ ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ। ପୌରନିର୍ବାହୀ ଅଧିକାରୀ କିମ୍ବା କାଉନସିଲର ରାସ୍ତା ପୁନଃରୁଦ୍ଧାର କାମ ସଂପର୍କରେ ଜାଣି ନଥିବାରୁ ଏମାନଙ୍କ ଅଗୋଚରରେ କିଏ ଏହି ରାସ୍ତା ନିର୍ମାଣ କରୁଛି ତାହା ତଦନ୍ତସାପେକ୍ଷ ବୋଲି ସାହିବାସିନ୍ଦାମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର