ଦୂର ଦେଶର ଅତିଥି

ଜିତଶତ୍ରୁ ମହାନ୍ତି

ଏହା ବିସ୍ମୟକର ମନେ ହେଲେ ବି ସତ ଯେ ବିହଙ୍ଗ ବା ପକ୍ଷୀ ଜାତିଟି ହେଉଛି ବିଲୁପ୍ତ ଡାଇନୋସୋରସ ଓ ବିଦ୍ୟମାନ କୁମ୍ଭୀରଙ୍କର ବଂଶଜ। ଏହି ପର ଶୋଭିତ, ପକ୍ଷଯୁକ୍ତ ଓ ଦନ୍ତବିହୀନ ଅଥଚ ତୀକ୍ଷଣ ଥଣ୍ଟର ଅଧିକାରୀ, ଅଣ୍ଡା ପ୍ରଦାନ କରୁଥିବା ଉଷ୍ମ ରକ୍ତ ବିଶିଷ୍ଟ ମେରୁଦଣ୍ଡୀ ପ୍ରାଣୀ ବିଭିନ୍ନ ଆକାରରେ ଦେଖିବାକୁ ମିଳନ୍ତି। ପାଞ୍ଚ ସେଣ୍ଟିମିଟରର କ୍ଷୁଦ୍ର ହମିଙ୍ଗ ବାର୍ଡ‌୍ ଠାରୁ ଆରମ୍ଭ କରି ପ୍ରାୟ ୩ ମିଟର ଉଚ୍ଚତା ବିଶିଷ୍ଟ ବିଶାଳକାୟ ଓଟ ପକ୍ଷୀ ପର୍ଯ୍ୟନ୍ତ ୧୦,୪୦୦ ଜାତିର ପକ୍ଷୀ ଅଛନ୍ତି; ଯହିଁରୁ ଆମ ଦେଶରେ ଅଛନ୍ତି ୧,୩୭୭ଟି ଜାତି। ତେବେ ଏଥିରୁ ୮୧ଟି ପ୍ରଜାତି କେବଳ ଭାରତରେ ହିଁ ମିଳନ୍ତି।
ପେଙ୍ଗୁଇନ୍ ବା ଓଟ ପକ୍ଷୀ ଭଳି ଅଳ୍ପ କେତେକଙ୍କ ବ୍ୟତିତ ସମସ୍ତ ପକ୍ଷୀ ଅଳ୍ପ ବହୁତ ଉଡ଼ିଥାନ୍ତି। କିଛି ପକ୍ଷୀ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ଉଡ଼ି ପାରୁଥିବା ବେଳେ କେତେକ ଅନବରତ ଭାବରେ ୧୦,୦୦୦ କିଲୋମିଟର ଦୂରତା ଅତିକ୍ରମ କରି ପାରନ୍ତି। ପୃଥିବୀର କେତେକ ଅଂଶରେ ଶୀତକାଳୀନ ଅସହ୍ୟ ଥଣ୍ଡାଜନିତ ପ୍ରତିକୂଳ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କେତେକ ପକ୍ଷୀ ଗ୍ରୀଷ୍ମମଣ୍ଡଳୀୟ ସ୍ଥାନଗୁଡ଼ିକୁ ଚାଲିଆସିଥାନ୍ତି। ଶୀତ କାଳରେ ପକ୍ଷୀମାନେ ଦୂର ପରିଭ୍ରମଣ କରିବା ସେମାନଙ୍କର ଏକ ଅତି ପ୍ରାଚୀନ ଅଭ୍ୟାସ। ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ ମଧ୍ୟ ଏ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଏମାନେ ନିଜ ଉଡ଼ାଣକୁ ସହଜ କରିବା ପାଇଁ ଶକ୍ତି ଚାହାନ୍ତି, ଯେଉଁଥି ଲାଗି ସାମୟିକ ମେଦ ବୃଦ୍ଧି କରନ୍ତି। ଏବଂ ସେଥି ଲାଗି ମଧ୍ୟ କେତେକ ଅଙ୍ଗର ଆକାରରେ ସଂକୋଚନ ଘଟାନ୍ତି। ଉପଯୁକ୍ତ ବିଶ୍ରାମ ସ୍ଥଳ, ପବନର ଦିଗ ଓ ବେଗ, ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଇତ୍ୟାଦିର ପ୍ରଭାବ ସେମାନଙ୍କ ଯାତ୍ରାର ଗତି, ବେଗ ଓ ଦିଗ ଉପରେ ପଡ଼ିଥାଏ। ଏହା ଛଡ଼ା ପ୍ରତି ବର୍ଷ ଦୂର ସ୍ଥାନକୁ ଗମନ କରିବାର ଅନୁଭୂତି ମଧ୍ୟ ସେମାନଙ୍କ ଉଡ଼ାଣର ମାର୍ଗ ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ। ଏହି ପକ୍ଷୀମାନେ ଯିବା ଓ ଫେରିବା ପାଇଁ ଭିନ୍ନ ରାସ୍ତା ବାଛନ୍ତି। ମିଳିତ ଭାବରେ ଏମାନେ ଅର୍ଧ-ବୃତ୍ତାକାର କିମ୍ବା ଇଂରେଜୀର ‘ଭି’ (V) ଅକ୍ଷର ଭଳି ପଟୁଆରରେ ଉଡ଼ି ହଜାର ହଜାର ମାଇଲ ଦୂରତ୍ବ ଅତିକ୍ରମ କରନ୍ତି। ଏମାନେ ‌ଯାଇ ଦୂର ଦେଶର ଜଳାଶୟମା‌ନଙ୍କରେ ଅବତରଣ କରି କିଛି ମାସ ବିତାଇ ପୁଣି ଆପଣା ଘରକୁ ବାହୁଡ଼ି ଯାଆନ୍ତି।
ଓଡ଼ିଶାର ଚିଲିକା ହ୍ରଦକୁ ରୁଷିଆ, ମଙ୍ଗୋଲିଆ, ସାଇବେରିଆ, ଇରାନ, ଇରାକ, କାସ୍ପିଆନ ସମୁଦ୍ର, ବୈକାଲ ହ୍ରଦ ଓ ଆଫଗାନିସ୍ତାନ ଇତ୍ୟାଦି ଦେଶରୁ ପକ୍ଷୀମାନେ ନିୟମିତ ଭାବରେ ଉଡ଼ି ଆସନ୍ତି। ଏମାନେ ହେଉଛନ୍ତି ଆମମାନଙ୍କର ଶୀତକାଳୀନ ଅତିଥି ପକ୍ଷୀ। ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୧୦୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ଚିଲିକା ହେଉଛି ଏସିଆ ମହାଦେଶର ବୃହତ୍ତମ ଲୁଣି ହ୍ରଦ। ଏହି ହ୍ରଦରେ କେତେକ ନଦୀ ମଧ୍ୟ ପଡ଼ିଛନ୍ତି। ସୁତରାଂ, ଉଭୟ ମଧୁର ଓ ଲବଣ ମିଶ୍ରିତ ଜଳ, ଯଥେଷ୍ଟ ଖାଦ୍ୟ ଉତ୍ସ, ବିସ୍ତୀର୍ଣ୍ଣ ସମତଳ କାଦୁଆ ଅଂଚଳ, ନାତିଶୀତୋଷ୍ଣ ଆରାମଦାୟକ ପରିବେଶ ଇତ୍ୟାଦି ଏହି ପ୍ରବାସୀ ପକ୍ଷୀମାନଙ୍କର ସକାଶେ ବିଶେଷ ଆକର୍ଷଣୀୟ ହୋଇଥାଏ। ଏଣୁ ଚିଲିକାର ଉତ୍ତର-ପୂର୍ବରେ ଥିବା ମଙ୍ଗଳାଯୋଡ଼ି ଓ ମଧ୍ୟ ଭାଗରେ ନଳବଣ ଅଭୟାରଣ୍ୟ ପକ୍ଷୀମାନଙ୍କର ପ୍ରମୁଖ ସମାବେଶ ସ୍ଥଳରେ ପରିଣତ ହୋଇଛି। ଅକ୍‌ଟୋବର ଦ୍ବିତୀୟାର୍ଧରୁ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ଷର ପ୍ରାୟ ଅଧା ସମୟ ଚିଲିକା ଏଭଳି ବିଦେଶାଗତ ପକ୍ଷୀମାନଙ୍କର ଆବାସ ସ୍ଥଳୀ ପାଲଟିଯାଏ। ବାର୍ଷିକ ହାରାହାରି ୧୦୦ ପ୍ରଜାତିର ୧୦ ଲକ୍ଷରୁ ଅଧିକ ଚଢ଼େଇ ବାହାର ଦେଶରୁ ଏଠାକୁ ଉଡ଼ି ଆସନ୍ତି। ସେମାନଙ୍କ ସହିତ ୭୦ ପ୍ରଜାତିର ୨୫ ହଜାରରୁ ଅଧିକ ସ୍ଥାନୀୟ ପକ୍ଷୀ ମଧ୍ୟ ଚିଲିକାରେ ରୁଣ୍ଡ ହୁଅନ୍ତି। ବ‌ହିରାଗତ ପକ୍ଷୀମାନଙ୍କ ମଧ୍ୟରେ ପ୍ରାୟ ୭୦% ହଂସ ଜାତୀୟ, ଯାହା କବିବର ରାଧାନାଥଙ୍କ ଭାଷାରେ ‘ମରାଳ ମାଳିନୀ।’ କଳା ହଂସ, ଲାଞ୍ଜା ହଂସ, ଖଡ଼ି ହଂସ, ନକେଇ ହଂସ, ଚନ୍ଦନା ହଂସ, ମାଟିଆ ହଂସ, ଚଟୁଆ ହଂସ, ଜଟିଆ ହଂସ, ବଇରି ଗଞ୍ଜନ, ବହିରା ବାଜ, ଚନ୍ଦନ ପାଟିଆ, ସାହିବାଜ, ଶିଫଳି ଚିରି, ଏରା, ଦଦରା ହଣା, ପାଣି ଡୁବୁକି, ଖଞ୍ଜନ, ପାଟଗିରିଆ, ରଣପା, ହୁରୁଡ଼ା, ଘଂଟୁଆଳ, ରଙ୍ଗା ଗେଣ୍ଡି, ନଟିଆ ଗେଣ୍ଡି, ଖଇରା ବଗ, ରାଣୀ ବଗ, ଧଳା ବାଜେଣୀ, ଗହୀର ଲାଞ୍ଜା, ଚଟୁଆ ଗେଣ୍ଡି, କଳା ମୁଣ୍ଡିଆ ବାଜ ଇତ୍ୟାଦି ସେମାନଙ୍କ ମଧ୍ୟରେ ପ୍ରମୁଖ।
ଦୂରଦୂରାନ୍ତ ଅଂଚଳରେ ମଞ୍ଜି ବିକ୍ଷେପ ମାଧ୍ୟମରେ ବୃକ୍ଷାଂଚଳ ବୃଦ୍ଧି, ନଷ୍ଟକାରୀ କୀଟ ପତଙ୍ଗଙ୍କର ଜୈବିକ ନିୟନ୍ତ୍ରଣ, ପଚାଶଢ଼ା ପଦାର୍ଥର ପ୍ରାକୃତିକ ସଫେଇ, ଖାଦ୍ୟ ଶୃଙ୍ଖଳର ଭାରସାମ୍ୟ, ମୃତ୍ତିକା ଉର୍ବରତାର ଉନ୍ନତୀକରଣ ଓ ପରିବେଶ ସନ୍ତୁଳନ ଇତ୍ୟାଦିରେ ଏହି ପକ୍ଷୀମାନଙ୍କର ଭୂମିକା ମହତ୍ତ୍ବପୂର୍ଣ୍ଣ। ତେଣୁ ଦୂର ଦେଶର ଏହି ଅତିଥି ପକ୍ଷୀମାନଙ୍କର ଶୀତ ଅବକାଶକୁ ସୁରକ୍ଷିତ ଓ ସୁଖପ୍ରଦ କରି ରଖିବାର ଦାୟିତ୍ବ ଆମର। ଏହା ଦ୍ବାରା ଆମର ଅତିଥି ପରାୟଣ ସଂସ୍କୃତି ପ୍ରଦର୍ଶିତ ହେବ। ତା’ ସହିତ ପରିବେଶ ପ୍ରତି ଆମ ନିଷ୍ଠା ମଧ୍ୟ ପ୍ରମାଣିତ ହେବ।
ମୋ: ୯୪୩୭୦୮୦୨୩୩

ସମ୍ବନ୍ଧିତ ଖବର