ସେବାର ଅନନ୍ୟ ଦେବୀ

କୁମାର ପ୍ରଶାନ୍ତ

ଗାନ୍ଧୀଜୀ ଗଢ଼ିଥିବା ମହିଳା କେମିତି ହୋଇଥିବେ, ତାହା ପଢ଼ିକରି ସଂପୂର୍ଣ୍ଣ ଭାବେ ଜାଣିବା କି ବୁଝିବା ସମ୍ଭବ ନୁହେଁ। କାରଣ ଗାନ୍ଧୀ ତ ଏବେ ଆଉ ନାହାନ୍ତି- ବିଗତ ୭୫ ବର୍ଷ ହେଲା ନାହାନ୍ତି ଯେ ସେ ବସି ମୃଦୁଳା ସରଭାଇ କି ସରୋଜିନୀ ନାଇଡୁ କି ସୁଶୀଳା ନାୟାର କି ଆଭା କି ମନୁ କି ପ୍ରଭାବତୀଙ୍କୁ ଗଢୁଥିବେ, ଆଉ ସେମାନେ କେମିତି ହେଉଥିବେ ଆମେ ଦେଖୁଥିବା। ସେମାନେ କେମିତି ହୋଇଥିଲେ, ଆମେ କେମିତି ଜାଣିବା? ଏ ସବୁ କେମିତି ହେଲା, ଆମେ କେମିତି ବା ଜାଣିବା? ବହି ଛଡ଼ା ଆମ ପାଖରେ ଅନ୍ୟ କ’ଣ ବା ରହିଛି? ତାଙ୍କର ବହୁ ବର୍ଷ ପରେ ତ ଆମେ ଜନ୍ମ ନେଇଛେ। ଗାନ୍ଧୀଙ୍କୁ ମଧ୍ୟ ଆମେ ବହିରୁ ଖୋଜି ପାଉ’ଥାନ୍ତେ, ଯଦି ତାଙ୍କର ଆଦର୍ଶ ଭାବରେ ଏପରି କିଛି ଲୋକଙ୍କୁ ସେ ଛାଡ଼ିନଥା’ନ୍ତେ ଯାହାଙ୍କୁ ଦେଖି ସେ କେମିତି ମଣିଷ ତିଆରି କରୁଥିଲେ, ସେ ସମ୍ପର୍କରେ ଧାରଣା ହୋଇଥା’ନ୍ତା! ଆଉ ସେ ନିଜେ ସୂକ୍ଷ୍ମ ଭାବରେ ଆମକୁ କହିଗଲେ ଯେ କେହି ଜଣେ ବ୍ୟକ୍ତି ତ ତାଙ୍କର ସଂପୂର୍ଣ୍ଣ ପ୍ରତିନିଧିତ୍ବ କରିପାରିବେ ନାହିଁ, କିନ୍ତୁ କିଛି ଲୋକ ରହିଥିବେ ଯେଉଁମାନେ ଆଂଶିକ ଭାବରେ ତାଙ୍କର ପ୍ରତିନିଧିତ୍ବ କରିପାରିବେ। ତେଣୁ ଆମେ ବିନୋବା, ଜୟପ୍ରକାଶ, କାକା ସାହେବ, ଦାଦା ଧର୍ମାଧିକାରୀ, ଧୀରେନ୍ଦ୍ର ମଜୁମଦାରଙ୍କ ପରି କିମ୍ବା ଜବାହରଲାଲ, ସର୍ଦ୍ଦାର, ଲୋହିଆ ଓ ରାଜେନ୍ଦ୍ର ବାବୁଙ୍କ ପରି କିଛି ନମୁନା ଦେଖିବାକୁ ପାଇଛେ। ଯାହା ଆମେ ପୁସ୍ତକରୁ ପଢ଼ିଛେ, ଆଉ ଯାହା ସେମାନଙ୍କ ଠାରେ ଦେଖିଛେ, ସେଥିରୁ ଗାନ୍ଧୀଙ୍କ କୁମ୍ଭାର ଚକ କେମିତି ଚାଲୁଥିଲା ଓ ସେଥିରେ କେମିତି ଲୋକ ତିଆରି ହେଉଥିଲେ ସେ ବାବଦରେ ଏକ ଧାରଣା ପାଇପାରିଛେ।

ସେବାକାରିଣୀ ଇଲା ମଧ୍ୟ ଏପରି ଏକ ନମୁନା ଥିଲେ। ଗାନ୍ଧୀ ତାଙ୍କୁ ସିଧାସଳଖ ଗଢ଼ିନଥିଲେ। ଗାନ୍ଧୀ ତାଙ୍କୁ ସେମିତି ଛୁଇଁଥିଲେ ଠିକ୍ ଯେମିତି କୌଣସି ମହାନ ଆତ୍ମା ସୁଦୂରରୁ ଛୁଇଁ ଆମକୁ ଗଭୀର ଭାବେ ଆଲୋକିତ କରନ୍ତି। ମୁଁ ଯାହା ଜାଣିଛି, ଯେଉଁ ଇଲା ଭଟ୍ଟ ୧୯୩୩ ସେପ୍ଟେମ୍ବର ୭ରେ ଜନ୍ମ ନେଇ ୨୦୨୨ ନଭେମ୍ବର ୨ରେ ଇହଲୀଳା ସମ୍ବରଣ କଲେ, ସେ କେବେ ଗାନ୍ଧୀଙ୍କ ସହ ସିଧାସଳଖ ମିଶିନଥିଲେ କି ଗାନ୍ଧୀଙ୍କ ଆନ୍ଦୋଳନରେ ସାମିଲ ହୋଇନଥିଲେ। ଆଇନଜୀବୀ ପିତା ଏବଂ ମହିଳାଙ୍କ ପାଇଁ ସକ୍ରିୟ ଥିବା ମାଆଙ୍କର କୋଳମଣ୍ଡନ କରିଥିବା ଇଲା ୧୫ ବର୍ଷର ହୋଇଥିଲେ ଯେତେବେଳେ ଗାନ୍ଧୀଙ୍କର ପରଲୋକ ହେଲା। ତେଣୁ ଇଲାଙ୍କ ଜୀବନରେ ଗାନ୍ଧୀ କୌଣସି ପୃଷ୍ଠଦ୍ବାର ବାଟେ ହିଁ ପ୍ରବେଶ କରିଥିଲେ। ତାଙ୍କ ସହ ମିଶି କଥା ହୋଇ ମୋର ଅନୁଭବ ହୋଇଥିଲା କି ସେ ଗାନ୍ଧୀଙ୍କ ଆଭା ଦ୍ବାରା ପ୍ରଜ୍ବଳିତ ଏକ ଆତ୍ମା। ସେ କ୍ଷୁଦ୍ରକାୟ ଥିଲେ, ଧୀର ମଧୁର କଥା କହୁଥିଲେ ଯେଉଁଥିରେ କ୍ରୋଧର ଚିହ୍ନବର୍ଣ୍ଣ ନ ଥିଲା, ମାତ୍ର ତାଙ୍କ ଆସ୍ଥାର ଶକ୍ତି ଦବୁ ନ ଥିଲା କି ଲୁକ୍କାୟିତ ନ ଥିଲା। ସେ ଯୁକ୍ତି କରୁନଥିଲେ, ମାତ୍ର ବିତର୍କ ତାଙ୍କୁ ଛୁଇଁ ସମାପ୍ତ ହେଉଥିଲା, କାରଣ ତାଙ୍କ କଥାରେ ଆତ୍ମପ୍ରତ୍ୟୟରୁ ପ୍ରାପ୍ତ ଏକ ଅଧିକାର ନିହିତ ଥିଲା। ସେ ତର୍କକାରୀର କଥାକୁ କାଟୁନଥିଲେ। କାଟିବା ବା ବିଦ୍ବେଷମୂଳକ ଉତ୍ତର ଦେବା ପରି ଅସ୍ତ୍ରର ଓଜନ ବହନ କରିବା ତାଙ୍କ ବ୍ୟକ୍ତିତ୍ବକୁ ଶୋଭାପାଉନଥିଲା, ମାତ୍ର ଏକ ଶକ୍ତ ପ୍ରତ୍ୟାଖ୍ୟାନ ପ୍ରଦର୍ଶନରେ ସେ ବିଫଳ ହେଉନଥିଲେ। ତାଙ୍କଠାରେ ସରଳତାର ଗରିମା ଏବଂ ଆତ୍ମବିଶ୍ବାସର ଉତ୍ସାହ ଭରି ରହିଥିଲା।

ସାବରମତୀ ଆଶ୍ରମକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା। ଅଚାନକ ଆଜିର ସରକାର ସାବରମତୀ ଆଶ୍ରମରେ ଶାନ୍ତିରେ ଶୋଇଥିବା ଗାନ୍ଧୀଙ୍କ ମୁଣ୍ଡ ପାଖରେ ୧୨୦୦ କୋଟିର ଥଳି ରଖିଦେଲେ ଏବଂ ଚିତ୍କାର କଲେ, ‘ହେ ମୋହନଦାସ କରମଚାନ୍ଦ ଗାନ୍ଧୀ! ଏଠାରୁ ଉଠିଯାଅ, ଏଇ ଆଶ୍ରମକୁ ବିଶ୍ବସ୍ତରୀୟ କଲା ପରେ ଯାଇ ଆମେ ବିଶ୍ରାମ ନେବୁ!’ ଏଭଳି ସ୍ବର ଉଠିଲା ଓ ସେଭଳି ସ୍ବରକୁ ସଂଗଠିତ କରାଗଲା। ଏଭଳି ବିଷାକ୍ତ ପବନ ବହିଲା ଯେ, ଯିଏ ଆଶ୍ରମର ବିଶ୍ବାସଭାଜନ (ଟ୍ରଷ୍ଟି) ଥିଲେ, ସେମାନେ ଗାନ୍ଧୀଙ୍କ ‘ବିଶ୍ବାସ’ ବିନିମୟରେ ସରକାରଙ୍କ ‘ବିଶ୍ବାସ’ କିଣିବାକୁ ପ୍ରସ୍ତୁତ ହୋଇଗଲେ। ଗାନ୍ଧୀଙ୍କର ‘ଟ୍ରଷ୍ଟି’ ହେବା ହେଉଛି ଏକ ନୈତିକ ଦାୟିତ୍ବ ବହନ କରିବାର ସାହସର ନାମ, ତାହା ସେମାନେ ଭୁଲିଗଲେ। ସେମାନେ ଏକ ବ୍ୟାବସାୟିକ କମ୍ପାନିର କିରାଣି ସାଜିବାରେ ମଜ୍ଜିଗଲେ। ଗାନ୍ଧୀଙ୍କ ନୈତିକତାକୁ ବହନ କରିବାର ଧୈର୍ଯ୍ୟ ଓ ଶକ୍ତି ଯେତେବେଳେ ନାହିଁ, ଗାନ୍ଧୀଙ୍କୁ ନତମସ୍ତକ ହୋଇ ନିଜକୁ ପ୍ରତ୍ୟାହାର କରିବାର ବିବେକ ବା ବଞ୍ଚିଥିବ କେମିତି!

‘ଗାନ୍ଧୀ ଯେମିତି ବି ଥିଲେ ଯାହା ବି ଥିଲେ ତାହା ତ ବିଶ୍ବସ୍ତରୀୟ; ଆମେ ପୁଣି ସରକାରଙ୍କ ସହ ମିଶି ଆଉ କି ବିଶ୍ବସ୍ତରୀୟ କରିବାକୁ ଚାହୁଁଛେ?’ ମୋର ଏଭଳି ପ୍ରଶ୍ନରେ ସେ ଗଭୀର ଭାବରେ ବିଚଳିତ ହୋଇଗଲେ। ସେ ଥିଲେ ସାବରମତୀ ଆଶ୍ରମ ଟ୍ରଷ୍ଟ୍‌ର ଅଧ୍ୟକ୍ଷା। ତାଙ୍କର ବୈଧାନିକ ଦାୟିତ୍ବ ସାଙ୍ଗକୁ ନୈତିକ ଦାୟିତ୍ବ ବି ରହିଥିଲା। ‘ମାତ୍ର ମୁଁ କ’ଣ କରିପାରିବି?’ ତାଙ୍କ କଣ୍ଠସ୍ବରର ବ୍ୟଗ୍ରତାକୁ ମୁଁ ଶୁଣୁଥିଲି ଓ ବୁଝି ବି ପାରୁଥିଲି। ‘ବୟସ ଏତେ ହୋଇଗଲାଣି, ଶକ୍ତି ଆଉ ନାହିଁ, ଟ୍ରଷ୍ଟି ମଣ୍ଡଳରେ ମୁଁ ଏକଦମ ଏକଲା ହୋଇଯାଇଛି, ମୋତେ ସେମାନେ ସବୁ କଥା ଜଣାଉ ବି ନାହାନ୍ତି।’ ତାଙ୍କ କଥାରେ ଦରଦ ଓ ଅସହାୟତା ରହିଥିଲା, ‘ଆପଣଙ୍କ ସହିତ ମୁଁ ଦୌଡ଼ିବାକୁ ଚାହୁଁଛି, ମାତ୍ର ମୁଁ ଚାଲିପାରୁନାହିଁ।’ ମୁଁ କହିଲି, ‘ଆପଣା ଏକଲା ନୁହନ୍ତି। ଟ୍ରଷ୍ଟି ମଣ୍ଡଳରୁ ଆପଣ ଓହରିଗଲେ ସେମାନେ ସମସ୍ତେ ଏକଲା ହୋଇଯିବେ ଯେଉଁମାନେ ଆଜି ସଂଖ୍ୟାର ବଳ କଷୁଛନ୍ତି। ଏ ସମଗ୍ର ମଣ୍ଡଳ ଆପଣଙ୍କ ନୈତିକ ପୁଞ୍ଜିରୁ ସାମର୍ଥ୍ୟ ପାଉଛନ୍ତି। ଆପଣ ଥରଟିଏ ପାଇଁ ଗୁଜରାଟ ଓ ଦେଶକୁ ଜଣାଇ ଦିଅନ୍ତୁ କି ସେମାନଙ୍କ ସହ ଅସହମତ ହୋଇ ଆପଣ ଅଲଗା ହୋଇଛନ୍ତି; ତା’ପରେ ସେମାନଙ୍କୁ ରାସ୍ତା ଖୋଜିବାକୁ ହେବ, ଆପଣଙ୍କୁ ନୁହେଁ।’ ମୁଁ କ’ଣ କହୁଥିଲି ଆଉ କାହାକୁ କହୁଥିଲି, ମୁଁ ଜାଣିଥିଲି। ମୋ କଥାର ଯାବତୀୟ ଦୁଃଖ ସେ ସହିଯାଉଥିଲେ ଏବଂ କହିଲେ, ‘ଆପଣ ଯାହା କହୁଛନ୍ତି ତାହା ତ ଠିକ୍‌ ମାର୍ଗ, ମାତ୍ର ମୁଁ ଏଠାରୁ ହଟିଗଲେ ସେମାନଙ୍କ ରାସ୍ତା ଆହୁରି ସହଜ ହୋଇଯିବ। ମୁଁ ଏଠି ରହି ପ୍ରତିରୋଧ କରିବି, ମାତ୍ର ମୋ ନିଜ ଉପାୟରେ। ମୁଁ ସମସ୍ତଙ୍କୁ ସାଥିରେ ନେଇ ଚଳିବି, ତେଣିକି ଯିଏ ଅଲଗା ହେଉଛି ହେଉ।’ ସେ ସେଭଳି କିଛି କଲେ ଏବଂ ପ୍ରତିରୋଧର ସହ ସାମନାକୁ ଆସିଥିଲେ। ମୋର ଏକ ବ୍ୟକ୍ତିଗତ ଚିଠିର ଉତ୍ତରରେ ସେ ଏତିକି ମାତ୍ର କହିଥିଲେ ଯେ ଆପଣ ମୋ’ ଠାରୁ କେବେ ନିରାଶ ହେବେନାହିଁ।

ଗାନ୍ଧୀଙ୍କ ସଂଘର୍ଷ ସହ ତାଙ୍କର ସମ୍ପର୍କ ନଥିବାରୁ ତାଙ୍କ ସ୍ବଭାବ ସହ ମଧ୍ୟ ସାମଞ୍ଜସ୍ୟ ନଥିଲା। ସମାଜ-ସରକାର ସମସ୍ତଙ୍କ ସହ ତାଳମେଳ ରଖି ସେ ସାରା ଜୀବନ କାମ କରି ଆସିଛନ୍ତି, ତେଣୁ ଜୀବନର ସାୟାହ୍ନରେ ରାସ୍ତା ବଦଳାଇବା ସହଜ ନଥିଲା। ଆଇନରେ ଶିକ୍ଷାଲାଭ, ଶିକ୍ଷାସଂସ୍ଥାନରେ ଚାକିରି, ସରକାରୀ ପଦ ଆଦି ରାସ୍ତା ଅତିକ୍ରମ କରି ୧୯୭୨ରେ ସେ ‘ସେବା’ (SEWA) ଅନୁଷ୍ଠାନର ସ୍ଥାପନା କରିଥିଲେ ଯାହା ସମୟାନୁକ୍ରମେ ଅସଂଗଠିତ କର୍ମଜୀବୀ ମହିଳାମାନଙ୍କର ସମ୍ଭବତଃ ଦେଶର ତଥା ବିଶ୍ବର ବୃହତ୍ତମ ସଂଗଠନ ପାଲଟିଥିଲା। ମହିଳାମାନଙ୍କୁ ନେତୃତ୍ବ ଦେବା ଲାଗି ଏଭଳି ପ୍ରୟାସ ଅନ୍ୟ କେହି କରିଥିବା ମୋ’ ନଜରରେ ନାହିଁ। ଏହା ପଛରେ ବି ଗାନ୍ଧୀ କେଉଁଠି ନା କେଉଁଠି ଛିଡ଼ା ହୋଇଥିଲେ। ବିହାରର ଚମ୍ପାରଣରେ କିଷାନ ଆନ୍ଦୋଳନ ଛିଡ଼ା କରାଇ ଗାନ୍ଧୀ ସିଧା ଅହମଦାବାଦରେ ପହଞ୍ଚିଥିଲେ ଯେଉଁଠି ଏକ ଶ୍ରମିକ ଆନ୍ଦୋଳନ ଦାନା ବାନ୍ଧୁଥିଲା। ସେତେବେଳକୁ ସାରାଭାଇ ପରିବାରର ବୟନଶିଳ୍ପ ସାମ୍ରାଜ୍ୟ ଖୁବ୍ ବିଶାଳ ଥିଲା। ସେଠାକାର ଶ୍ରମିକମାନଙ୍କର ସଂଘର୍ଷର ନେତୃତ୍ବ ଗାନ୍ଧୀଜୀ ନେଇଥିଲେ। ସେହି ସଂଘର୍ଷରୁ ଜନ୍ମ ନେଇଥିବା ମଜୁର-ମହାଜନ ସଂଗଠନ ହେଉଛି ଶ୍ରମିକ ଆନ୍ଦୋଳନ ଇତିହାସରେ ଗାନ୍ଧୀଜୀଙ୍କ ନିଜସ୍ବ ଅବଦାନ। ଇଲାଙ୍କ ‘ସେବା’ ପଛରେ ମଜୁର-ମହାଜନ ସଂଗଠନରୁ ମିଳିଥିବା ଅଭି଼ଜ୍ଞତା ରହିଥିଲା।

‘ସେବା’ର କାମ ଯେଉଁ ଗତିରେ ବଢ଼ିଚାଲିଲା ଏବଂ ଯେଭଳି ଏହା ବୃହଦାକାର ହେଲା, ତାହା ଇଲାଙ୍କ ସଂଗଠନ-ଧାରଣା, ସମ୍ବେଦନଶୀଳତା, ଦୃଢ଼ତା ଓ କାମ ପ୍ରତି ଉତ୍ସର୍ଗ ଭାବର ସ୍ମାରକୀ ହୋଇ ରହିଗଲା। ତାଙ୍କୁ ସଫଳତା ମିଳିଲା, ଅଗଣିତ ସମ୍ମାନ ମିଳିବା ସହିତ ଅସୁବିଧା ବି ଆସିଲା, ଆହ୍ବାନ ମଧ୍ୟ ପଥରୋଧ କରିଥିଲା। ୧୯୮୬ରେ ସରକାର ଇଲାଙ୍କୁ ‘ପଦ୍ମଭୂଷଣ’ରେ ଭୂଷିତ କରି ତାଙ୍କ ଜୀବନରେ ମୋହର ଲଗାଇଦେଲେ ସତ, ମାତ୍ର ତାଙ୍କ କାମକୁ ସହଜ କରିପାରି ନ ଥଲେ। ସମସ୍ତ ବ୍ୟବସ୍ଥା ସହ ସୂକ୍ଷ୍ମ ତାଳମେଳ ରଖି ଏବଂ ବେଳେବେଳେ ବ୍ୟବସ୍ଥାକୁ ଆହ୍ବାନ ଦେଇ ସେ ତାଙ୍କର ସବୁ କାମ ସମ୍ଭବ କରିପାରିଥିଲେ। ଏଥିରେ କମଳାଦେବୀ ଚଟ୍ଟୋପାଧ୍ୟାୟଙ୍କ ସହ ମିଳାମିଶାର ଦୃଷ୍ଟିକୋଣ, ଅହମଦାବାଦ ଟେକ୍ସଟାଇଲ୍‌ ଶ୍ରମିକ ସଂଗଠନ ଓ ବୁଚ ସାହେବଙ୍କ ସହଯୋଗର ପ୍ରମୁଖ ଭୂମିକା ଥିଲା। ଇସ୍ରାଏଲ ଯାଇ ତେଲ ଆବିବ୍‌ ସ୍ଥିତ ଆଫ୍ରୋ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲେବର ଆଣ୍ଡ୍‌ କୋଅପରେଟିଭ୍‌ସ ପ୍ରତିଷ୍ଠାନରେ ଅଧ୍ୟୟନ ଇଲାଙ୍କୁ ଏପରି ଗଢ଼ିଥିଲା ଯାହା ତାଙ୍କର ବାକି ଜୀବନକୁ ଆକାର ଦେବାର ଦେଖାଯାଇଥିଲା। ଏ କାହାଣୀ ଅଧୁରା ରହିଯିବ ଯଦି ରମେଶ ଭଟ୍ଟଙ୍କୁ ସ୍ମରଣ କରାନଯାଏ, ଯିଏ ୧୯୫୬ରେ ଇଲାଙ୍କୁ ବିବାହ କରିଥିଲେ। ରମେଶ ଭାଇ ଶେଷ ନିଃଶ୍ବାସ ତ୍ୟାଗ କଲା ଯାଏ ଇଲାଙ୍କ ‘ସେବା’ ଅନୁଷ୍ଠାନରେ ନିୟୋଜିତ ଥିଲେ।

ଇଲା ଦେବୀ ଦୁନିଆର କୋଣଅନୁକୋଣକୁ ଯାଇଥିଲେ, ଦୁନିଆର ପ୍ରଖ୍ୟାତ ବ୍ୟକ୍ତିତ୍ବଙ୍କ ସହ ମିଶି ଅନେକ ସଂଗଠନ ଗଢ଼ିଥିଲେ ଓ ସେଥିରେ କାମ କରିଥିଲେ। ସେ ସର୍ବଦା ଖଦି ଶାଢ଼ି ପିନ୍ଧି ନିଜକୁ ଅତି ସରଳ ଓ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରୁଥିଲେ। ୨୦୦୭ ଜୁଲାଇ ୧୮ରେ ନେଲସନ୍‌ ମାଣ୍ଡେଲା ଓ ଡେସମଣ୍ଡ ଟୁଟୁ ଆଦି ବରେଣ୍ୟ ମହାତ୍ମାଙ୍କ ସହ ମିଶି ସେ ବରିଷ୍ଠ ଲୋକଙ୍କ ପାଇଁ ‘ଇ ଏଲ୍‌ଡର୍ସ’ ନାମରେ ଏଭଳି ଏକ ସେବା ସଂଗଠନ ଗଢ଼ିଥିଲେ, ଯାହାର ନକ୍ସା ମାଣ୍ଡେଲାଙ୍କ ଏହି ଉକ୍ତିରୁ ବାହାରିଥିଲା: ‘ଆମର ଏହି ସଂଗଠନ ସ୍ବାଧୀନ ଭାବେ ଓ ସାହସର ସହ କଥା କହିବ; ସାମନାକୁ ଆସି ହେଉ ବା ନେପଥ୍ୟରେ ଥାଇ ହେଉ, ପରିସ୍ଥିତିର ଆବଶ୍ୟକତା ଅନୁସାରେ ଯେତେବେଳେ ଯାହ କରିବା ଜରୁରୀ ସେହି କାମ କରିବ। ଯୋଉଠି ଭୟ ଥିବ ଆମେ ସେଠି ସାହସ ଜୁଟାଇବା, ଯୋଉଠି ମତଭେଦ ଥିବ ଆମେ ସହମତି ଖୋଜି ବାହାର କରିବା ଏବଂ ଯୋଉଠି ନୈରାଶ୍ୟ ଦେଖାଦେବ ଆମେ ଆଶା ସଂଚାର କରାଇବା।’ ଏହି ସ୍ବପ୍ନଦର୍ଶୀ ପଦକ୍ଷେପରେ ସେମାନେ ଇଲାଙ୍କ ସହ ଯୋଡ଼ି ହୋଇଥିଲେ ଏବଂ ଇଲା ମଧ୍ୟ ସେଥିରେ ଜଡ଼ିତ ହୋଇ ବିଶ୍ବର ନାନା ଇଲାକାରେ ସଂଗଠନକୁ ପହଞ୍ଚାଇଥିଲେ। ୨୦୧୦ରେ ନିଜ ସଂଗଠନର ବରିଷ୍ଠମାନଙ୍କୁ ଧରି ସେ ଗାଜାରେ ପହଞ୍ଚିଥିଲେ ଏବଂ ତାଙ୍କ ଦଳ ତରଫରୁ ସେ ଲେଖିଥିଲେ: ‘ହିଂସାତ୍ମକ ଯୁଦ୍ଧ ଅପେକ୍ଷା ଦମନ ବିରୋଧରେ ଅହିଂସକ ସଂଘର୍ଷରେ ଅଧିକ ଜୀବନ ଯାଇଥାଏ, ମାତ୍ର କାପୁରୁଷମାନେ ହିଁ ହତିଆରର ସାହାରା ନେଇଥାଆନ୍ତି।’

ତାଙ୍କ ପାଇଁ ସ୍ବାସ୍ଥ୍ୟ ଓ ବୟସର ବାଧା ତ ନିଶ୍ଚିତ ରହିଥିଲା, ମାତ୍ର ସେ ଶେଷ ପର୍ଯ୍ୟନ୍ତ ଏହି କଷଟିରେ ନିଜକୁ ପରଖି ଚାଲିଥିଲେ। ଗୁରୁ ଗାନ୍ଧୀ ହିଁ ଶିଖାଇଥିଲେ କି, ଯୋଉଠି ଅସହମତି କି ବିରୋଧ ନାହିଁ ଏବଂ ସିଧାସଳଖ ଲଢ଼େଇ କରିବାର ସାମର୍ଥ୍ୟ ନାହିଁ, ସେଠି ଅସହଯୋଗର ଅହିଂସ ଅସ୍ତ୍ର ବ୍ୟବହାର କରିବାକୁ ହେବ। ସେଥିପାଇଁ ଯେତେବେଳେ ସାବରମତୀ ଆଶ୍ରମ ଓ ଗୁଜରାଟ ବିଦ୍ୟାପୀଠର ସମସ୍ତ କର୍ମକର୍ତ୍ତା ତାଙ୍କୁ ଏକାକୀ କରି ଛାଡ଼ିଦେଲେ, ସେତେବେଳେ ସେ ଏଇ ଅସ୍ତ୍ରର ସାହାଯ୍ୟ ନେଇଥିଲେ ଏବଂ ଜୀବନକୁ ତ୍ୟାଗପତ୍ର ଦେବା ଆଗରୁ ଅଧ୍ୟକ୍ଷତାରୁ ତ୍ୟାଗପତ୍ର ଦେଇଦେଲେ। ସେ ଚାଲିଗଲେ ବୋଲି କେହି କେହି ଭାବୁଥାଇପାରନ୍ତି, ମାତ୍ର ବାସ୍ତବରେ ଆମେ ସମସ୍ତେ ଚାଲିଗଲେ!

ଏବେ ଆମ ଶୂନ୍ୟ ହାତରେ ତାଙ୍କର ଦୁଇଟି ତ୍ୟାଗପତ୍ର ରହିଛି; ଏବଂ ତା’ଠାରୁ ଅଧିକ ଶୂନ୍ୟ ନୟନରେ ଆମେ ସାନ୍ଦ୍ର ଅନ୍ଧକାରକୁ ଚାହିଁ ରହିଛୁ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର