ବଣିଜ ବିଚାର: ସାଇକେଲ ବ୍ୟବସାୟର ରୂପରେଖ

ପୂର୍ଣ୍ଣେନ୍ଦୁ କର

ଆଜିକୁ ଅର୍ଦ୍ଧ ଶତାବ୍ଦୀ ତଳେ ସାଇକେଲ ଥିଲା ଜନସାଧାରଣଙ୍କ ଗମନାଗମନର ମୁଖ୍ୟ ମାଧ୍ୟମ। ସେହି ସମୟରେ ବିବାହ ବେଳେ ଯୌତୁକ ଭାବେ ସବୁଠାରୁ ଅଧିକ ଲୋଡ଼ା ପଡୁଥିଲା ରାଲେ ସାଇକେଲ। ନବମ ଦଶକରୁ କ୍ରମେ ଦୁଇଚକିଆ ଏବଂ ଚାରିଚକିଆ ମୋଟରଗାଡ଼ିର ପ୍ରାଧାନ୍ୟ ବୃଦ୍ଧି ପାଇଲା ଏବଂ ସାଇକେଲ ବ୍ୟବହାରରେ ବେଶ୍ ଅବନତି ଦେଖାଦେଲା। କିନ୍ତୁ ଏବେ ପୁନର୍ବାର ସାଇକେଲ ବ୍ୟବହାରରେ ବୃଦ୍ଧି ଘଟିଛି ଏବଂ ଏହା ଆଉ ପୂର୍ବ ଭଳି ଦୈନନ୍ଦିନ ଜୀବନଚର୍ଯ୍ୟାର ଅତ୍ୟାବଶ୍ୟକ ଅଙ୍ଗ ନ ହୋଇ ସ୍ବାସ୍ଥ୍ୟ ରକ୍ଷା ଲାଗି ହେଉ ବା ଆମୋଦଦାୟକ ପରିଭ୍ରମଣ ଲାଗି ହେଉ ବ୍ୟବହୃତ ହେଉଛି। ଏହି ପରିପ୍ରେକ୍ଷୀରେ ଏଠାରେ ଆମେ ଭାରତରେ ସାଇକେଲ ଉତ୍ପାଦନ ଓ ବ୍ୟବସାୟ ଉପରେ ଦୃଷ୍ଟି ପକାଇବା।

ସାଇକେଲ ଉତ୍ପାଦନରେ ଚୀନ ପରେ ଭାରତର ସ୍ଥାନ ବିଶ୍ୱରେ ଦ୍ବିତୀୟ। ଜଣାଯାଏ ଯେ ପୃଥିବୀରେ ସାଇକେଲ ଗରାଖଙ୍କ ଆନୁମାନିକ ସଂଖ୍ୟା ପ୍ରାୟ ୮୦ କୋଟି। ଏବେ ପୃଥିବୀରେ ମୋଟାମୋଟି ବାର୍ଷିକ ୩୪ କୋଟି ସାଇକେଲ ଉତ୍ପାଦିତ ହେଉଛି, ଯହିଁରୁ ଚୀନର ଭାଗ ପ୍ରାୟ ୧୦ କୋଟି ଓ ଭାରତର ଭାଗ ମାତ୍ର ୨.୪୦ କୋଟି। ଏବେ ଭାରତୀୟ ରାସ୍ତାରେ ପ୍ରାୟ ୧୨ରୁ ୧୩ କୋଟି ସାଇକେଲ ଗଡ଼ିଥାଏ। ଭାରତରେ ସାଇକେଲ ଉତ୍ପାଦିତ ହେଉଥିଲେ ହେଁ ଏଠାକାର ଚାହିଦା ଲାଗି ଅନେକ ସାଇକେଲ ଚୀନ, ଶ୍ରୀଲଙ୍କା, ମାଲେସିଆ, ତାଇୱାନ ଏବଂ ବାଂଲାଦେଶ ଭଳି ଦେଶରୁ ଆମଦାନି ମଧ୍ୟ କରାଯାଏ, ଯାହାର ବାର୍ଷିକ ମୂଲ୍ୟ ପାଖାପାଖି ୮୨୩ କୋଟି ଟଙ୍କା। କେବଳ ସେତିକି ନୁହେଁ, ଭାରତୀୟ କମ୍ପାନି ଦ୍ୱାରା ନିର୍ମିତ ସାଇକେଲ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ, ନେପାଳ, ମେକ୍‌ସିକୋ ଆଦି ଦେଶକୁ ରପ୍ତାନି ମଧ୍ୟ କରାଯାଏ, ଯାହାର ବାର୍ଷିକ ମୂଲ୍ୟ ପ୍ରାୟ ୨,୩୭୯ କୋଟି ଟଙ୍କା। ତେଣୁ ଦେଶ ଭିତରେ ଓ ବାହାରେ ଥିବା ଚାହିଦାରୁ ଏହା ଅନୁମାନସାପେକ୍ଷ ଯେ ସାଇକେଲ ଉତ୍ପାଦନ ଓ ବ୍ୟବସାୟ ଲାଗି ଆମ ଦେଶରେ ତଥାପି ପର୍ଯ୍ୟାପ୍ତ ସୁଯୋଗ ରହିଛି।

ଭାରତର ୭୫% ସାଇକେଲ ପଞ୍ଜାବରେ ନିର୍ମିତ ହେଉଛି ଏବଂ ସାଇକେଲ ଶିଳ୍ପକୁ ଭିତ୍ତି କରି ପ୍ରାୟ ୪ ହଜାର କାରଖାନା କେବଳ ପଞ୍ଜାବର ଲୁଧିଆନା ଠାରେ ଗଢ଼ି ଉଠିଛି। ଭାରତୀୟ ସାଇକେଲ କମ୍ପାନିମାନଙ୍କ ମଧ୍ୟରେ ହିରୋ, ହରକ୍ୟୁଲେସ, ଏଭନ, ଆଟ୍‌ଲାସ ଆଦି ଅଗ୍ରଗଣ୍ୟ। ଆମ ଦେଶର ସାଇକେଲ ଉଦ୍ୟୋଗରେ ପ୍ରାୟ ୧୦ ଲକ୍ଷ ଲୋକ ନିଯୁକ୍ତ ଅଛନ୍ତି। କିନ୍ତୁ ଭାରତରେ ନିର୍ମିତ ହେଉଥିବା ସାଇକେଲ ସକାଶେ ଆବଶ୍ୟକ ଅନେକ ‘ପାର୍ଟ‌୍ସ’ ବା କବ୍‌ଜା ମୁଖ୍ୟତଃ ଚୀନ ଏବଂ ତାଇୱାନରୁ ଆମଦାନି କରାଯାଇଥାଏ। ଭାରତୀୟ ସାଇକେଲ କମ୍ପାନିମାନେ ଏଇ କବ୍‌ଜାଗୁଡ଼ିକୁ ‘ଆସେମ୍ଲିଂ’ ବା ଯୋଖାଯୋଖି କରି ସାଇକେଲ ତିଆରି କରିଥାନ୍ତି। ‘ନିତି ଆୟୋଗ’ର ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ବିଗତ ୧୫ ବର୍ଷ ଭିତରେ ଭାରତୀୟ ପରିବାରରେ କାର ଏବଂ ମୋଟର ବାଇକର ବ୍ୟବହାର ପାଖାପାଖି ଅଢ଼େଇ ଗୁଣ ବଢ଼ିଥିଲା ବେଳେ ସାଇକେଲର ବ୍ୟବହାର ମାତ୍ର ଦେଢ଼ ଗୁଣ ବଢ଼ିଛି। ତଥ୍ୟ ହିସାବରେ ଭାରତରେ ଘର ଠାରୁ ଦଶ କିଲୋମିଟର ଦୂରତା ଭିତରେ ନିଜ କର୍ମ କ୍ଷେତ୍ରକୁ ଦୈନିକ ଚାଲିଚାଲି ଯାଉଥିବା ଲୋକଙ୍କ ସଂଖ୍ୟା ହେଲା ୨୦ କୋଟି। ଏମାନେ ଅର୍ଥ ଅଭାବରୁ ସାଇକେଲ ଖଣ୍ଡେ ମଧ୍ୟ କିଣି ପାରନ୍ତି ନାହିଁ। ଟିକିଏ ସୂକ୍ଷ୍ମ ଭାବେ ଅନୁଧ୍ୟାନ କଲେ ଜଣାଯାଏ ଯେ ପ୍ରାୟ ସମସ୍ତ କାର କିମ୍ବା ମୋଟର ବାଇକ କଂପାନିଗୁଡ଼ିକର ନିଜସ୍ୱ ‘ଫାଇନାନ୍‌ସ ସଂସ୍ଥା’ମାନ ରହିଛି ଯାହା ଗାଡ଼ି କିଣିବା ଲାଗି ସହଜ କିସ୍ତିରେ ଋଣର ବ୍ୟବସ୍ଥା କରନ୍ତି। କହିବା ବାହୁଲ୍ୟ ଯେ ଭାରତରେ ମୋଟର ଗାଡ଼ିର ବିକ୍ରିରେ ବୃଦ୍ଧି ଘଟିବାର ସର୍ବାଧିକ ବଡ଼ କାରଣ ହେଉଛି ଖର୍ଦି ଲାଗି ଋଣ ଓ କିସ୍ତିର ଉପଲବ୍‌ଧତା, ଯାହା ସାଇକେଲ କିଣିବା ବାଲା ଲାଗି ନାହିଁ। କୌଣସି ସାଇକେଲ ଉତ୍ପାଦନକାରୀ କଂପାନି ବା ବ୍ୟାଙ୍କ ବା ସରକାରଙ୍କ ପକ୍ଷରୁ ଏଭଳି କ୍ଷୁଦ୍ର ଋଣର ବ୍ୟବସ୍ଥା ନାହିଁ। ଅବଶ୍ୟ, କେତେକ ରାଜ୍ୟ ସରକାର ଛାତ୍ରୀ ବା ମହିଳାମାନଙ୍କୁ ସାଇକେଲ ବଣ୍ଟନ କରୁଛନ୍ତି; କିନ୍ତୁ ତାହା ଯଥେଷ୍ଟ ନୁହେଁ। ବରଂ, ସାଇକେଲ କିଣିବା ଲାଗି ସହଜ କିସ୍ତିରେ ଋଣ ମିଳିଲେ ସାଇକେଲ କ୍ରେତାଙ୍କ ସଂଖ୍ୟାରେ ବୃଦ୍ଧି ଘଟନ୍ତା।

ଆଉ ଗୋଟିଏ ବଡ଼ କଥା ହେଲା ଅଧିକାଂଶ ଭାରତୀୟ ସଡ଼କରେ ସାଇକେଲ ଆରୋହୀମାନେ ଅପାଂକ୍ତେୟ ଭଳି ଲାଗନ୍ତି ଏବଂ ସେମାନଙ୍କ ଜୀବନ ଭିଡ଼ ସଡ଼କରେ ବିପନ୍ନ ହୋଇପଡ଼େ। ଏ ସଂଦର୍ଭରେ କଲମ୍ବିଆର ରାଜଧାନୀ ବୋଗୋଟାର ମେୟରଙ୍କ ଭାଷଣ ସ୍ମରଣକୁ ଆସେ, ଯହିଁରେ ସେ କହିଥିଲେ ଯେ ୩୦ ଡଲାର ମୂଲ୍ୟର ସାଇକେଲ ଚଳାଉଥିବା ଲୋକର ଜୀବନ ୩୦ ହଜାର ଡଲାର ମୂଲ୍ୟର କାର ଚଳାଉଥିବା ଲୋକର ଜୀବନ ତୁଳନାରେ ଗୌଣ ନୁହେଁ। ଏଥି ଲାଗି ସେ ୧୯୯୮ରେ ବୋଗୋଟା ସହରରେ ୩୦୦ କିଲୋମିଟର ଦୀର୍ଘ ଏକ ସୁବ୍ୟବସ୍ଥିତ ଏବଂ ସ୍ବତନ୍ତ୍ର ‘ଗ୍ରିନୱେ’ ନିର୍ମାଣର ବ୍ୟବସ୍ଥା କରିଥିଲେ, ଯାହା ଫଳରେ ସେଠାରେ ସାଇକେଲ ବ୍ୟବସାୟରେ ବିଶେଷ ବୃଦ୍ଧି ଘଟିଥିଲା। ଏଥିରୁ ଆମ ଦେଶ ତଥା ଆମ ରାଜ୍ୟ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି, ଯାହା ସାଇକେଲ ବ୍ୟବହାରରେ ବୃଦ୍ଧି ଘଟାଇ ସାଇକେଲ ବ୍ୟବସାୟକୁ ପରିପୁଷ୍ଟ କରିବ। ଉଲ୍ଲେଖଥାଉ କି ୨୦୨୦ରେ ସାଇକେଲକୁ ଆଧାର କରି ‘ନିତି’ ଆୟୋଗ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ ଯଦି ୮ କିଲୋମିଟର ଦୂରତା ଭିତରେ କାରବାର କରିବା ଲାଗି ଲୋକେ ଦୁଇଚକିଆ ଏବଂ ଚାରିଚକିଆର ବ୍ୟବହାର ପରିବର୍ତ୍ତେ ସାଇକେଲ ବ୍ୟବହାର କରନ୍ତେ, ତେବେ ଭାରତର ତୈଳ ଇନ୍ଧନର (ପେଟ୍ରୋଲ ଓ ଡିଜେଲ) ଖର୍ଚ୍ଚ ବାବଦକୁ ୨,୭୦୦ କୋଟି ଟଙ୍କା ବଞ୍ଚି ପାରନ୍ତା। କେବଳ ସେତିକି ନୁହେଁ, ମୋଟର ଗାଡ଼ି ଚାଳନାଜନିତ ବାୟୁ ପ୍ରଦୂଷଣ କମି ଏହି କାରଣରୁ ହେଉଥିବା ରୋଗର ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ହେଉଥିବା ଖର୍ଚ୍ଚ, ଯାହା କି ପ୍ରାୟ ବାର୍ଷିକ ୨୪,୧୦୦ କୋଟି ଟଙ୍କା ବଞ୍ଚି ପାରନ୍ତା। ତେଣୁ ସାଇକେଲ ଉତ୍ପାଦନ, ବ୍ୟବସାୟ ଓ ବ୍ୟବହାର ସବୁ କିଛି ଅଧିକ ପ୍ରୋତ୍ସାହନ ପାଇବା ଜରୁରୀ।

ଏକ ସମସ୍ୟା ହେଲା ବିଶ୍ୱ ବଜାରରେ ଭାରତୀୟ କମ୍ପାନିମାନଙ୍କ ଦ୍ୱାରା ଉତ୍ପାଦିତ ସାଇକେଲର ଦର ତୁଳନାତ୍ମକ ଭାବରେ ଅଧିକ। ତେଣୁ ଚୀନା ସାଇକେଲ ସହ ପ୍ରତିଯୋଗିତା କରିବା ଭାରତୀୟ ସାଇକେଲ ପକ୍ଷରେ ସମ୍ଭବ ହେଉନାହିଁ। ଏହା ପଛରେ ଥିବା ଏକ ମୁଖ୍ୟ କାରଣ ହେଲା ପ୍ରିମିଅମ ବା ଉନ୍ନତ କିସମର ସାଇକେଲ ଉତ୍ପାଦନ ଲାଗି ଆବଶ୍ୟକ କଞ୍ଚାମାଲ ଏବଂ ପ୍ରଯୁକ୍ତି ଦୃଷ୍ଟିରୁ ଆମେ ଚୀନ ତୁଳନାରେ ପଛୁଆ। ସେମିତି ଟେଷ୍ଟିଙ୍ଗ ଏବଂ ‘ରିସର୍ଚ ଡେଭଲପମେଣ୍ଟ’ ପାଇଁ ଭାରତୀୟ ସାଇକେଲ କଂପାନିଗୁଡ଼ିକ ବ୍ରିଟେନ, ହଂକଂ ନହେଲେ ୟୁରୋପୀୟ ରାଷ୍ଟ୍ର ଉପରେ ନିର୍ଭର କରନ୍ତି। ଫଳରେ ଭାରତୀୟ ସାଇକେଲ କଂପାନିଗୁଡ଼ିକ ଉତ୍ପାଦନରେ ଅଧିକ ବ୍ୟୟ କରନ୍ତି। କେବଳ ସେତିକି ନୁହେଁ, ସାଇକେଲ ଉପରେ ‘ଜିଏସଟି’ ହେଉଛି ୧୨%, ଯାହା ଆର୍ଥିକ ଦୃଷ୍ଟିକୋଣରୁ ଅଧିକ। ଆମ ଦେଶରେ ମୁଖ୍ୟତଃ ନିମ୍ନ ବିତ୍ତ ଲୋକେ ସାଇକେଲ ବ୍ୟବହାର କରୁଥିବାରୁ ଜିଏସଟିକୁ ୫%ରେ ସୀମିତ ରଖାଯିବା ଉଚିତ। ଏହା ଭାରତୀୟ ସାଇକେଲର ଦରକୁ ତୁଳନାତ୍ମକ ଭାବେ ନୀଚା ରଖିବ। ଏଠାରେ ପ୍ରକାଶ ଥାଉ କି ଚୀନ ଉତ୍ପାଦିତ ସାଇକେଲର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ସାଇକେଲ ତୁଳନାରେ ୧୫% କମ୍‌। ଆମ ଦେଶରେ ସାଇକେଲ ମୁଖ୍ୟତଃ ଷ୍ଟିଲରେ ତିଆରି ହୋଇଥାଏ। ଚୀନରେ କିନ୍ତୁ ତାହା ଅନ୍ୟାନ୍ୟ ମିଶ୍ର ଧାତୁ ବା ଆଲୟ ବା ଫାଇବର ବା ଟିଟାନିଅମରେ ନିର୍ମିତ, ଯେଉଁଥି ଲାଗି ସେଠାରେ ନୂଆ ଟେକ୍‌ନୋଲୋଜି ରହିଛି। ସେମିତି ସାଇକେଲ ତିଆରି ଲାଗି ଆବଶ୍ୟକ କଳ କବ୍‌ଜା ଏବଂ ଯନ୍ତ୍ରପାତି କ୍ଷେତ୍ରରେ ଚୀନ ଆତ୍ମନିର୍ଭର ହୋଇ ପାରିଥିବା ବେଳେ ଭାରତ ସେଭଳି ହୋଇପାରିନାହିଁ। ଏବେ ବି ଆମ ଦେଶର ଅନେକ କାରଖାନରେ ସାଇକେଲ ମାନୁଆଲ ବା ମଣିଷ ଦ୍ବାରା ୱେଲଡିଂ ଓ ପୁରୁଣା ଢଙ୍ଗରେ ରଙ୍ଗ ଦିଆ ପଦ୍ଧତିର ଅବଲମ୍ବନ କରାଯାଉଛି। ଚୀନରେ ସାଇକେଲ କାରଖାନାଗୁଡ଼ିକ ‘ଅଟେମେସନ୍‌’ ଉପରେ ନିର୍ଭରଶୀଳ ବା ସବୁ କିଛି ଯନ୍ତ୍ର ଦ୍ବାରା ପରିଚାଳିତ। ତେଣୁ ଚୀନା ସାଇକେଲର ଆଦର ଭାରତୀୟ ସାଇକେଲ ତୁଳନାରେ ଅଧିକ ବୋଲି ଜଣାଯାଇଥାଏ। ତେଣୁ ପ୍ରଥମ କଥା ହେଲା, ଭାରତୀୟ ସାଇକେଲ କମ୍ପାନିଗୁଡ଼ିକୁ ଉତ୍ପାଦନ ଖର୍ଚ୍ଚ କମ୍‌ କରିବାକୁ ହେବ। ଦ୍ବିତୀୟରେ ସାଇକେଲ ଉପରୁ ‘ଜିଏସ୍‌ଟି’ କମ୍‌ କରାଯିବା ଆବଶ୍ୟକ। ତୃତୀୟରେ ଉନ୍ନତ ଟେକନୋଲୋଜି ସାହାଯ୍ୟରେ ହାଲୁକା ଏବଂ ଆଙ୍ଗିକ ଦୃଷ୍ଟିରୁ ଚିତ୍ତାକର୍ଷକ ସାଇକେଲ ଉତ୍ପାଦନ କରିବାକୁ ହେବ। ଚତୁର୍ଥରେ ରାସ୍ତାଘାଟକୁ ସାଇକେଲ ଚାଳନା ଲାଗି ଅନୁକୂଳ କରିବାକୁ ହେବ।

ଏବେ ସାଇକେଲ ଉଦ୍ୟୋଗ ପରିପ୍ରେକ୍ଷୀରେ ଆମ ରାଜ୍ୟ କଥା ବିଚାର କରିବା। ଏବେ ଭାରତରେ ସାଇକେଲ ତିଆରି ମୁଖ୍ୟତଃ ଆସେମ୍ଲିଂ ୟୁନିଟ ଜରିଆରେ ହୋଇଥିବାରୁ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଆମ ରାଜ୍ୟ ଏଭଳି କାରଖାନା ସ୍ଥାପନ ଦିଗରେ ପଦକ୍ଷେପ ‌େନବା ଉଚିତ। କିନ୍ତୁ ସତ କହିଲେ ସାଇକେଲ କାରଖାନା ବସାଇବା ନେଇ ଆମ ରାଜ୍ୟ ସରକାରଙ୍କ କୌଣସି ପରିକଳ୍ପନା ନାହିଁ। ଆମ ରାଜ୍ୟରେ ସାଇକେଲ ଚାଳକଙ୍କ ହାର ଅଧିକ। ତେଣୁ ଏହି ଉଦ୍ୟୋଗ ସକାଶେ ପରିକଳ୍ପନା କରାଯିବା ଅଧିକ ଜରୁରୀ। ଉଲ୍ଲେଖ ଥାଉ କି ଭାରତ ସରକାର ୨୦୨୧ରେ ‘ସ୍କେଲ କମିଟି’ ଗଠନ କରି ସାଇକେଲ ଉତ୍ପାଦନକୁ ସମ୍ପୂର୍ଣ୍ଣ ସ୍ବଦେଶୀ କରିବା ଉପରେ ଧ୍ୟାନ ଦେଇଛନ୍ତି। ରାଜ୍ୟ ସରକାର ଏହାର ସୁଯୋଗ ନେଇ ଓଡ଼ିଶ‌ାରେ ସାଇକେଲ ଉଦ୍ୟୋଗର ବିକାଶ ଦିଗରେ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିବା ଉଚିତ।
ମୋ: ୯୭୯୧୧୨୧୦୬୮

ସମ୍ବନ୍ଧିତ ଖବର