ଧର୍ମ ହେଉ କରୁଣା, ନୀତି ହେଉ ପ୍ରେମ

ଗୌରହରି ଦାସ

ଆମ ପାଖରେ ଏବେ ନୂଅାବର୍ଷର ସକାଳ। ଅରୁଣିମାରେ ଅାଲୋକିତ ତା’ର ଓଠ, ପ୍ରତିଶ୍ରୁତିରେ ଉଜ୍ଜ୍ୱଳ ତା’ର ଚେହେରା। ନୂଅାବର୍ଷର ଏ ଶାନ୍ତ ସକାଳ କହୁଛି, ଯାହା କିଛି ଅପୂର୍ଣ୍ଣତା ରହିଯାଇଛି ତାକୁ ଭୁଲିଯାଅ, ଅବସୋସଗୁଡ଼ିକୁ ଅାଉ ଝୁରିହୁଅ ନାହିଁ, ସରି ନ ଥିବା କାମ ପାଇଁ ମନକଷ୍ଟ କରନାହିଁ- କାରଣ ମୁଁ ତୁମକୁ ଦେଉଛି ଆଉ ଅନେକ ନୂଅା ସକାଳ। ଯାହା କରିବା କଥା କରିଯାଅ।
ଜୀବନ ଗୋଟେ ଅଦ୍ଭୁତ ଅନୁଭବ। ଏହାକୁ ବୁଝିବାର ଏକମାତ୍ର ମାର୍ଗ ହେଲା ଏହାକୁ ଜିଇବା। ଏଠି ଯେତେ ଯାହା କରିଚାଲିଲେ ସୁଦ୍ଧା ତାହା ଅପୂର୍ଣ୍ଣ ମନେହୁଏ। କାରଣ ପୂର୍ଣ୍ଣତା ବୋଲି କିଛି ନାହିଁ। ତେଣୁ ଗ୍ରହଣ କରିନେବାକୁ ହୁଏ ଯେ ଜୀବନରେ ଅପୂର୍ଣ୍ଣତା ହିଁ ସମ୍ପୂର୍ଣ୍ଣତା। ଏହାକୁ ଗ୍ରହଣ କରି ନ ପାରିଲେ ସକଳ ପ୍ରାପ୍ତି ସତ୍ତ୍ୱେ ଅାମର ମନ ଅବସୋସରେ ଭରିଯିବ। ଏମିତି ସମୟରେ ଅାମ ଅାଖ ପାଖରେ ଥିବା ଶିଶୁଟିଏର ମୁହଁକୁ ଅାମେ ଚାହିଁବା କଥା। ଶିଶୁ ସନ୍ତୁଷ୍ଟ ଥାଏ କାହିଁକି? କାରଣ ତା’ ପାଇଁ ବର୍ତ୍ତମାନ ହିଁ ମୁଖ୍ୟ, ଅତୀତ ନୁହେଁ କି ଭବିଷ୍ୟତ ନୁହେଁ। ସେ ଅତୀତର ବିଫଳତା ନେଇ ଚିନ୍ତିତ ନୁହେଁ କିମ୍ବା ଭବିଷ୍ୟତର ଅନିଶ୍ଚିତତା ନେଇ ବିବ୍ରତ ନୁହେଁ। ବୟସ୍କମାନେ କିନ୍ତୁ ଶିଶୁ ପରି ନିଶ୍ଚିନ୍ତ ରହିପାରନ୍ତି ନାହିଁ। ସେମାନେ କେତେବେଳେ ହେଲେ ବର୍ତ୍ତମାନରେ ନ ଥାନ୍ତି। ଏହା ସାଙ୍ଗକୁ ଅାଉ ଗୋଟିଏ କଥା ହେଲା- ତୁଳନା। ଅାମେ ଯେତେଦିନ ପର୍ଯ୍ୟନ୍ତ ଅନ୍ୟ ସହ ଅାମର ସୁଖଦୁଃଖକୁ ତୁଳନା କରି ଚାଲିଥିବା ସେତେଦିନ ପର୍ଯ୍ୟନ୍ତ ଅାମର ଜୀବନ ରୂପକ ମେସିନ୍‌ର ରିମୋଟ୍‌ଟିକୁ ଅନ୍ୟ କାହା ହାତରେ ଦେଇ ବସିଥିବା।
କୁହାଯାଏ ପୁରୁଣା ବର୍ଷ ଚାଲିଗଲା, ନୂଅାବର୍ଷ ଅାସିଲା। ଏଇ ଯୋଉ ବର୍ଷଟି ଚାଲିଗଲା ବା ଯାହାର ସମୟ ସରିଗଲା ସିଏ ବି ଦିନେ ନୂଅାବର୍ଷର ଉତ୍ତେଜନା ନେଇ ଅାସିଥିଲା। ଅାଜି ଯିଏ ନୂଅାବର୍ଷ ହୋଇ ଅାସିଛି ସିଏ ବି ଦିନେ ଚାଲିଯିବ। ବାସ୍ତବରେ ଅତୀତ ଏବଂ ଭବିଷ୍ୟତ ସବୁ ଏହି ବର୍ତ୍ତମାନର ଗର୍ଭରୁ ଜନ୍ମ। ଏହି ବର୍ତ୍ତମାନ ଭିତରେ ଅଛି ଅତୀତର ଇତିହାସ ଏବଂ ଭବିଷ୍ୟତର ଖସଡ଼ା। ତେଣୁ ଅାମ ପାଖରେ ଥିବା ଏଇ ବର୍ତ୍ତମାନ ହିଁ ଅାମ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ତାହାକୁ କେବଳ ଅାମର ନିଜମତେ ଉପଯୋଗ କରିବାର ଅଧିକାର ଅାମର ରହିଛି।
ଅାଉ ଗୋଟିଏ ଦୃଷ୍ଟିରୁ ମଧ୍ୟ ବର୍ତ୍ତମାନ ସମୟ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସ୍ଥାନରେ କୁହାଯାଏ ଯେ ସମୟ ବଡ଼ ମୂଲ୍ୟବାନ। ଏକଥା କହିବାବେଳେ ଅଧିକାଂଶ ସମୟରେ ନା କହିବାବାଲା ନା ଶୁଣିଲାବାଲା ବାସ୍ତବରେ ସମୟର ମୂଲ୍ୟ ସମ୍ପର୍କରେ ଠିକଣା କଳ୍ପନା କରିପାରନ୍ତି ନାହିଁ। ଥରେ ଭାବି ଦେଖିବା- ଅାମେ କାହାଠାରୁ ଟଙ୍କା ଉଧାର ଅାଣିଥିଲେ ତାଙ୍କୁ ସୁଧମୂଳ ମିଶେଇ ଫେରେଇ ଦେଇପାରିବା। ମାତ୍ର ବର୍ତ୍ତମାନ ଅାପଣ ମୋର ଏହି ଲେଖା ପଢ଼ିବା ପାଇଁ ଯେଉଁ ସମୟ ଦେଉଛନ୍ତି ସେ ସମୟ ମୁଁ ଯେତେ ଚାହିଁଲେ ମଧ୍ୟ ଅାପଣଙ୍କୁ କୌଣସି ଦିନ ଫେରାଇପାରିବି ନାହିଁ। ଏଇ ଶୀତ ସକାଳର ଯୋଉ ମୁହୂର୍ତ୍ତଗୁଡ଼ିକ ଗଙ୍ଗଶିଉଳିର ହୁଗୁଳା ଡେମ୍ଫରୁ ଫୁଲ ଝଡ଼ିଗଲା ପରି ଝରିଗଲା କିମ୍ବା କୁନିପାପୁଲିର ଅାଙ୍ଗୁଳି ସନ୍ଧିରୁ ବାଲି ଖସିଗଲା ପରି ଖସିଗଲା ତାହା ଅାଉ ଅାମର କାହାରି ଜୀବନକୁ ଫେରିଅାସିବ ନାହିଁ। ସେ ସମୟ ଅଫେରା। ସମୟ ଫେରେ ନାହିଁ ବୋଲି ତାହା ମୂଲ୍ୟବାନ।
ଏହା ସତ୍ତ୍ୱେ ଜୀବନ ଝୁରିହେବାର ଅବକାଶ ନୁହେଁ। ଅାମେ ଯେତେବେଳେ ନିଜର ଦୁଃଖଗୁଡ଼ିକୁ ନେଇ ଝୁରୁ ସେତେବେଳେ ଅାମେ ଭାବିନେଉ ଯେ ଅନ୍ୟମାନେ ସମସ୍ତେ ଅାମଠାରୁ ସୁଖୀ। ମାତ୍ର ଥରେ ଯଦି ଅାମେ ଭାବିବସିବା ଯେ, ସେମାନଙ୍କ ଜୀବନରେ ଦୁଃଖ ନାହିଁ ବୋଲି ସେମାନେ ହସୁଛନ୍ତି କଥାଟି ଠିକ୍ ନୁହେଁ, ବରଂ ଦୁଃଖ ଥିବା ସତ୍ତ୍ୱେ ହସି ଶିଖିଛନ୍ତି ସେତେବେଳେ ଅାମେ ଜୀବନର ଅର୍ଥ ବୁଝିପାରିବା। ଅାମେ ଭାବିବସିଥାଉ ଯେ ନିର୍ଦ୍ଦିଷ୍ଟ ଏଇ ଦୁଅାର ଦେଇ ଅାମ ଜୀବନ ଭିତରକୁ ଅାନନ୍ଦ ଅାସିବ। ତାହା ନ ଘଟିଲେ ଅାମେ ଦୁଃଖ ପାଉ। ମାତ୍ର ସମୟେ ସମୟେ ଅାମେ ବନ୍ଦ କରିବାକୁ ଭୁଲିଯାଇଥିବା ଅାଉ ଗୋଟେ ଦୁଅାର ଦେଇ ଅାମ ଜୀବନକୁୁ ଅାନନ୍ଦ ଅାସିପାରେ। ଅାମର ଏ ସଂକ୍ଷିପ୍ତ ଜୀବନ, ଏ ସରିଯାଉଥିବା ସମୟ କଦାପି କ୍ରୋଧ, ଈର୍ଷା, ପ୍ରତିଶୋଧ କିମ୍ବା ପ୍ରତିହିଂସାର ଅବକାଶ ନୁହେଁ। ଦୁଃଖୀ ହୋଇ ବସି ରହିବା ଲାଗି ଏତେ ସମୟ ନାହିଁ ଜୀବନରେ। ଏ ଜୀବନ ପ୍ରେମ, ଅାନନ୍ଦ, ଶାନ୍ତି ଏବଂ ରଚନାତ୍ମକ ସୃଷ୍ଟିର ମହାର୍ଘ ଅବକାଶ। ଏହି ପ୍ରକାର କର୍ମ ହିଁ ଜୀବନକୁ ଅର୍ଥମୟ କରିବ, ତହିଁରେ ଅାଣିଦେବ ପ୍ରଶାନ୍ତି ଓ ପୂର୍ଣ୍ଣତା। ଯେଉଁମାନେ କିଛି ଗୁରୁତ୍ୱପୂର୍ଣ୍ଣ କାମ ଅାରମ୍ଭ କରିବା ପାଇଁ ଭଲ ସମୟର ଅପେକ୍ଷା କରନ୍ତି ସେମାନେ ଅାସୁ ନ ଥିବା ଟ୍ରେନ୍ ପାଇଁ ପ୍ଲାଟ୍‌ଫର୍ମରେ ଅପେକ୍ଷା କରୁଥିବା ଜଣେ ଜଣେ ଯାତ୍ରୀ। ଯେଉଁମାନେ କୌଣସି ନୂଅା କଥା ଅାରମ୍ଭ ପୂର୍ବରୁ ଅାତଙ୍କିତ ହୋଇପଡ଼ନ୍ତି ସେମାନଙ୍କ ପାଇଁ ସମୟ ଅାତତାୟୀ ପରି କ୍ଷିପ୍ର, ଯେଉଁମାନେ ଜୀବନରେ କେବଳ ସୁଖ ଖୋଜିବୁଲନ୍ତି ସେମାନଙ୍କ ପାଇଁ ଜୀବନ ସଂକ୍ଷିପ୍ତ ଏବଂ ଯିଏ ସବୁଥିରେ ଦୁଃଖ-ବିଷାଦ ଦେଖିଥାଅାନ୍ତି ତାଙ୍କ ପାଇଁ ଜୀବନ ଅଚଳାୟତନ। ମାତ୍ର ଯେଉଁମାନେ ଜୀବନକୁ ନୂଅା କିଛି କାମ କରିବା, ସମାଜ ଓ ସମୟ ପାଇଁ କିଛି ନୂଅା ଅନୁଭବ ରଖିଯିବାର ଅବକାଶ ଭାବେ ଗ୍ରହଣ କରିପାରନ୍ତି ସେମାନଙ୍କ ପାଇଁ ଜୀବନ ଏକ ଅର୍ଥପୂର୍ଣ୍ଣ ଅବକାଶ। ଅାମକୁ ମନେ ରଖିବାକୁ ହେବ ଯେ ଜୀବନ ଏକ ବିସ୍ମୟକର ଅନୁଭୂତି। ଶଁବାଳୁଅା ଦେଖି ଯେମିତି ଜଣେ ତା’ର ପ୍ରଜାପତି- ଭବିଷ୍ୟତ କଥା କଳ୍ପନା କରିପାରିବ ନାହିଁ ସେମିତି ଅାମେ ଗୋଟାଏ ଦୁଃସମୟର ଅଭିଜ୍ଞତା ଅାଧାରରେ ଭବିଷ୍ୟତର କଥା କଳ୍ପନା କରିପାରିବା ନାହିଁ।
ସବୁ ନୂଅା ତା’ ସାଥିରେ କିଛି ରୋମାଞ୍ଚ ନେଇ ଅାସିଥାଏ। ନୂଅା ଜିନିଷ, ନୂଅାଘର, ନୂଅାସାଥୀ ପରି ନୂଅାବର୍ଷ। ମାତ୍ର ବସ୍ତୁ ଓ ସମୟ ମଧ୍ୟରେ ପାର୍ଥକ୍ୟ ରହିଛି। ସମୟ ନିଜେ ପୁରୁଣା ହୁଏ ନାହିଁ, ତା’ ଚାରିପାଖର ଅନ୍ୟ ସମସ୍ତଙ୍କୁ ପୁରୁଣା କରିଦିଏ। ଦିନେ ସମୟ ଥିବ, ତା’ ଚାରିପାଖର ବସ୍ତୁ କି ପ୍ରାଣୀ ନ ଥିବେ। ଏହା ସତ୍ତ୍ୱେ ସମୟଠାରୁ କ୍ଷମାଶୀଳ ଅାଉ କେହି ନାହିଁ। କୌଣସି କାମ କରି ପୂରା ଦିନଟାଏ ଅପଚୟ କରିଥିଲେ ସୁଦ୍ଧା ସେ ଅଭିମାନ କରିବା ବଦଳରେ ଅାଉଗୋଟେ ନୂଅା ଦିନ ଉପହାର ଦିଏ। କହେ, କାହାର ଦୁଃଖ ନାହିଁ ଯେ ତୁମେ ନିଜର ଦୁଃଖକୁ ନେଇ ବସିରହୁଛ। କାନ ଡେରିଲେ ଶୁଣିପାରିବ, ରାତି ଅଧରେ କୁହୁଡ଼ି ଅାଘାତରେ ଅାମ୍ବ ବଉଳ ପୋଡ଼ି ପାଉଁଶ ହେବାର ଦୀର୍ଘଶ୍ୱାସ, ଫସଲ କ୍ଷେତରେ ଅମଳ ହେବାକୁ ଥିବା ଶସ୍ୟ ଅଦିନ ଝଡ଼ ପବନରେ ଉଜୁଡ଼ି ଯିବାର ଅସହାୟତା, ଯୁଦ୍ଧଭୂଇଁରେ ଉଜୁଡ଼ି ଯାଉଥିବା ସ୍ବପ୍ନ। ତେଣୁ ସେପ୍ରକାର ଭାବନାକୁ ନେଇ ବସିରୁହନାହିଁ। ବରଂ ଅାଗକୁ ଚାହଁ, ଏବେ ବି ଅାକାଶ ନୀଳ ଅଛି। ପୃଥିବୀ ସବୁଜ। ପକ୍ଷୀମାନେ ଗୀତ ଗାଉଛନ୍ତି, ନଈ ଦେଉଛି ପ୍ରେରଣା। ଏ ଅାକାଶ ଓ ପକ୍ଷୀ ଅାମକୁ ଅାହ୍ବାନ ଦେଉଛନ୍ତି- ଅାସ ଡେଣା ବିସ୍ତାର କର, ତା’ପରେ ଦେଖିବ ସାରା ଅାକାଶ ତୁମର। ଏ ରାସ୍ତା ସେମିତି ଅାହ୍ବାନ ଦେଉଛି- ଅାସ, ଅାଗକୁ ପାଦ ବଢ଼ାଅ, ଏ ସାରା ପୃଥିବୀ ତୁମର। ଏ ନୂଅାବର୍ଷ ଅାମନ୍ତ୍ରଣ ଜଣାଉଛି, ଅାସ ଅାଗାମୀ ସମୟ ଉପରେ ଅଧିକାର ତୁମର। ଅାମେ ମନେରଖିବା ଅାବଶ୍ୟକ ଯେ ଜୀବନର ଉତ୍‌ଥାନ ଓ ପତନ, ନଦୀର ଜୁଅାର ଭଟ୍ଟା ପରି ସତ୍ୟ। ଏହା ଅନିବାର୍ଯ୍ୟ। ମାତ୍ର ଅାମେ କେବଳ ଭଟ୍ଟା କଥା ଚିନ୍ତା କରି ଭାଙ୍ଗିପଡ଼ିଲେ ଠିକ୍ ହେବ ନାହିଁ। ସମୁଦ୍ରର ଲହଡ଼ି ଦେଖିବାକୁ ଅାମକୁ ଭଲ ଲାଗେ କାହିଁକି? କ’ଣ ଲହଡ଼ିଗୁଡ଼ିକ ଉଠୁଥାନ୍ତି, ପଡୁଥାନ୍ତି ଏଇଅା ଦେଖିବାଲାଗି? ନା, ସମୁଦ୍ରର ଲହଡ଼ି ଏଇଥିପାଇଁ ଅାମକୁ ଦେଖିବାକୁୁ ଭଲ ଲାଗେ, କାରଣ ଯେତେଥର ପଡ଼ିଲେ ବି ଲହଡ଼ିଗୁଡ଼ିକ ପୁଣି ଉପରକୁ ଉଠିବା ପାଇଁ ଭୁଲନ୍ତି ନାହିଁ। ନୂଅାବର୍ଷର ଏହି ଅାଦ୍ୟ ଲଗ୍ନରେ ଅାମେ ନିଜକୁ ନିଜେ ପ୍ରତିଶ୍ରୁତି ଦେବା- ମଣିଷପଣିଅାର ଯାତ୍ରାପଥରେ ଅାମେ ଗୋଟେ ଗୋଟେ ଦୀପ ହେବା। ଅାମର ଧର୍ମ ହେବ କରୁଣା ଏବଂ ନୀତି ହେବ ପ୍ରେମ। ମଣିଷପଣିଅାର ଅାଲୋକ, ଧର୍ମର କରୁଣା ଏବଂ ପ୍ରେମର ନୀତି ନେଇ ରାସ୍ତା ଚାଲିଲେ, ରାତି ଯେତେ ସୁଦୀର୍ଘ ହେଲେ ସୁଦ୍ଧା, ଅାଲୋକିତ ସକାଳ ଅବଶ୍ୟ ଅାସିବ।
ମୋ: ୯୪୩୭୦୭୭୨୮୮

ସମ୍ବନ୍ଧିତ ଖବର