ଅତୀତର ଦହନ!
ବିଗତ କିଛି ଦଶକ ମଧ୍ୟରେ ଚୀନ ସହିତ ଶ୍ରୀଲଙ୍କାର ଘନିଷ୍ଠତା ଓ ନିର୍ଭରଶୀଳତା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଯଦି ଶ୍ରୀଲଙ୍କା ଦୀର୍ଘକାଳୀନ ଲିଜ୍ ସୂତ୍ରରେ ‘କଚାତୀଭୂ’କୁ ଚୀନ ହାତରେ ଅର୍ପଣ କରିଦିଏ, ତେବେ, ତାହା ଭାରତ ସକାଶେ ନୂତନ ମୁଣ୍ଡ ବ୍ୟଥାକୁ ଜନ୍ମ ଦେବ। ତେଣୁ ପ୍ରଶ୍ନ ଉଠେ ପ୍ରଧାନମନ୍ତ୍ରୀ ମୋଦୀ ଅତୀତ ଗର୍ଭରୁ ଏଭଳି ଏକ ଉତ୍ତେଜନା ସୃଷ୍ଟିକାରୀ ପ୍ରସଙ୍ଗ ଓଟାରି ଆଣିଲେ କାହିଁକି? ଅନେକଙ୍କ ମତରେ କଂଗ୍ରେସ ପରେ ଆଞ୍ଚଳିକ ଦଳଗୁଡ଼ିକୁ ଦଗ୍ଧ କରିବା କ୍ରମରେ ତାମିଲନାଡୁରେ କ୍ଷମତାସୀନ ‘ଡି.ଏମ୍.କେ.’ ତାଙ୍କର ପ୍ରଥମ ଶରବ୍ୟ ହୋଇଛି; କାରଣ ‘କଚାତୀଭୂ’ର ହସ୍ତାନ୍ତରଣ ସମୟରେ ତାମିଲନାଡୁ ‘ଡି.ଏମ୍.କେ.’ ଶାସନାଧୀନ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଅତୀତ ଗର୍ଭରୁ ସହସା ଆବିର୍ଭୂତ ହୋଇ ଯେଉଁ ସ୍ବଳ୍ପ-ଜ୍ଞାତ ଏବଂ ପ୍ରାୟ-ବିସ୍ମୃତ ବିବାଦୀୟ ବିଷୟଟି ଆଗାମୀ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହେବାକୁ ବସିଲାଣି, ତାହା ହେଉଛି ୧୯୭୪ ମସିହାରେ ଏକ ଚୁକ୍ତିନାମା ଯୋଗେ ଭାରତ ପକ୍ଷରୁ ‘କଚାତୀଭୂ’ ନାମକ ଏକ କ୍ଷୁଦ୍ରାତିକ୍ଷୁଦ୍ର ଜନମାନବଶୂନ୍ୟ ବନ୍ଧ୍ୟା ଦ୍ବୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଦିଆଯିବା ଭଳି ଘଟଣା। ନିକଟରେ ଏକ ଜନସଭାକୁ ସଂବୋଧନ କରୁଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହି ବିଷୟର ଅବତାରଣା ଭାରତର ଭୌଗୋଳିକ ସାର୍ବଭୌମତ୍ବ ଓ ଅଖଣ୍ଡତା ପ୍ରତି କଂଗ୍ରେସର ବେପରୁଆ ମନୋଭାବ ଦିଗରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ଏକ ବିବାଦକୁ ଜନ୍ମ ଦେଇଛି। ଏହି ପରିପ୍ରେକ୍ଷୀରେ ଏ ପ୍ରସଙ୍ଗର ବିଭିନ୍ନ ପ୍ରସ୍ଥକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ଗୋଟିଏ ଚର୍ଚ୍ଚ ବ୍ୟତୀତ ଅନ୍ୟ କୌଣସି ମାନବକୃତ ଚିହ୍ନ ନ ଥିବା ଓ ମାନଚିତ୍ରରେ ବିନ୍ଦୁତୁଲ୍ୟ ଦିଶୁଥିବା ମାତ୍ର ୩.୭୫ ବର୍ଗ ମାଇଲ ଆୟତନ ବିଶିଷ୍ଟ ଏହି ସଂପୂର୍ଣ୍ଣ ଜନଶୂନ୍ୟ ଦ୍ବୀପଟି ୧୯୭୪ ଏବଂ ୧୯୭୬ ମସିହାରେ ସଂପାଦିତ ଦ୍ବି-ପାକ୍ଷିକ ରାଜିନାମା ପରେ ବିଧିବଦ୍ଧ ଭାବେ ଶ୍ରୀଲଙ୍କା ଅଧୀନକୁ ଚାଲିଆସି ଜାତିସଂଘ ଦ୍ବାରା ପ୍ରଣୀତ ସମୁଦ୍ର ବ୍ୟବହାରର ଆଇନ ବା ‘ଅନକ୍ଲସ୍’ ଅନୁସାରେ ଏହି ଦ୍ବୀପ ଠାରୁ ୧୨ ‘ନଟିକାଲ ମାଇଲ’ ପର୍ଯ୍ୟନ୍ତ ସମୁଦ୍ରକୁ ଶ୍ରୀଲଙ୍କାର ଏକଚାଟିଆ ବ୍ୟବହାରଯୋଗ୍ୟ କରିଥିଲା। ସୁତରାଂ, ଆଦିମ କାଳରୁ ଏହି ଦ୍ବୀପ ସନ୍ନିକଟ ସମୁଦ୍ରରେ ମାଛ ମାରୁଥିବା ତାମିଲ ମତ୍ସ୍ୟଜୀବୀମାନେ ଅଚାନକ ସେଠାରେ ଅବାଂଛିତ ଆଗନ୍ତୁକରେ ପରିଣତ ହେଲେ, ଯାହା ସେମାନଙ୍କ ଜୀବନ-ଜୀବିକାକୁ ଦୟନୀୟ ଭାବେ ସଂକଟାପନ୍ନ କରି ପକାଇଲା। ମହୋଦଧି ବକ୍ଷରେ ସେହି ଅଞ୍ଚଳରେ ସୀମାରେଖା ଚିହ୍ନିତ କରିବା ଲାଗି ସେଠାରେ କୌଣସି ଶଙ୍କୁ ନ ଥିବା କାରଣରୁ ଅନେକ ଭାରତୀୟ ମତ୍ସ୍ୟଜୀବୀ ସେମାନଙ୍କ ଅଗୋଚରରେ ଅନୁପ୍ରବେଶକାରୀରେ ପରିଣତ ହେଲେ ଏବଂ ଶ୍ରୀଲଙ୍କା ନୌବାହିନୀ ଦ୍ବାରା ଗିରଫ ହୋଇ ଶ୍ରୀଲଙ୍କା ଜେଲରେ ଶଢ଼ିଲେ ବା ଗୁଳିମାଡ଼ରେ ନିହତ ହେଲେ। କହିବା ବାହୁଲ୍ୟ ଏହି ବିଷୟ ତାମିଲନାଡୁରେ ଏକ ଅତ୍ୟନ୍ତ ସ୍ପର୍ଶକାତର ବିଷୟ ହୋଇ ରହିଛି, ଯେଉଁ କାରଣରୁ ୨୦୧୧ ମସିହାରେ ‘ଏ.ଆଇ.ଡି.ଏମ୍.କେ.’ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଏକ ମାମଲା ଦାୟର କରାଯାଇ ଭାରତୀୟ ସଂସଦରେ ଗୃହୀତ ହୋଇ ନ ଥିବା କାରଣରୁ ଉପରୋକ୍ତ ରାଜିନାମା ଦ୍ବୟର ବୈଧତାକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ତେବେ, ତତ୍କାଳୀନ ୟୁପିଏ ସରକାରଙ୍କ ଏ ସମ୍ବନ୍ଧରେ ଉତ୍ତର ଥିଲା ଯେ ‘କଚାତୀଭୂ’ ଶ୍ରୀଲଙ୍କାର ଏକ ଅଂଶ ହୋଇଥିବାରୁ ଏହା ଭାରତରୁ ବିଚ୍ଛିନ୍ନ ହେବାର କୌଣସି ପ୍ରଶ୍ନ ନାହିଁ। କିନ୍ତୁ, ବାସ୍ତବତାଟି ହେଲା ଶ୍ରୀଲଙ୍କା (ତତ୍କାଳନୀ ସିଲୋନ୍) ବ୍ରିଟିସ ଶାସନ କବଳରୁ ମୁକ୍ତ ହେବା ପରଠାରୁ ୧୯୭୪ ମସିହା ପର୍ଯ୍ୟନ୍ତ ‘କଚାତୀଭୂ’ ଦ୍ବୀପ ଉପରେ ଅଧିକାରକୁ ନେଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମତାନୈକ୍ୟ ଲାଗି ରହିଥିଲା। ‘କଚାତୀଭୂ’ ଦ୍ବୀପଟି ସପ୍ତଦଶ ଶତାବ୍ଦୀରେ ରାମେଶ୍ବରମର ତତ୍କାଳୀନ ମହାରାଜାଙ୍କ ଶାସନାଧୀନ ଥିବା ପରିପ୍ରେକ୍ଷୀରେ ଏହା ଉପରେ ଭାରତ ତା’ର ଦାବି ଉପସ୍ଥାପନ କରିଥିଲା। ସୁତରାଂ, ପ୍ରଶ୍ନ ଉଠିଥାଏ ଯେ ୧୯୭୪ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ବି-ପାକ୍ଷିକ ସାମୁଦ୍ରିକ ସୀମାରେଖା ନିର୍ଦ୍ଧାରଣ ରାଜିନାମା କ୍ରମେ ଅଚାନକ ‘କଚାତୀଭୂ’ ଉପରେ ଅଧିକାର ଶ୍ରୀଲଙ୍କାକୁ ହସ୍ତାନ୍ତରିତ ହୋଇଗଲା କିଭଳି?
୧୯୬୨ ମସିହାରେ ଚୀନ ଦ୍ବାରା ‘ଅକସାଇ ଚୀନ’ ଅତିକ୍ରମଣ ପରେ ଆତ୍ମରକ୍ଷା ମୁଦ୍ରାରେ ଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହରୁଙ୍କ ମୁଖ ନିସୃତ ଯେଉଁ ବାଣୀ ତାଙ୍କୁ ନିଜ ଜୀବଦ୍ଦଶାରେ ଘୋର ଅପଦସ୍ଥ କରିଥିଲା, ତାହା ହେଉଛି ‘ସେ ଅଞ୍ଚଳରେ ଦୁବଟିଏ ସୁଦ୍ଧା କଅଁଳେ ନାହିଁ’; ଅର୍ଥାତ୍ ଏଭଳି ଊଷର ଭୂମି ଉପରୁ ଅଧିକାରଚ୍ୟୁତ ହୋଇଗଲେ ଅନୁଶୋଚନାର ବିଶେଷ କାରଣ ନାହିଁ। ସୁତରାଂ, ବନ୍ଧ୍ୟା ‘କଚାତୀଭୂ ଦ୍ବୀପ’କୁ ନେଇ ମଧ୍ୟ କଂଗ୍ରେସ ତତ୍ତୁଲ୍ୟ ଦୃଷ୍ଟିଭଙ୍ଗୀ ରଖିଥିଲା ବୋଲି ବିଜେପି ପକ୍ଷରୁ ବ୍ୟାଖ୍ୟାନ ସୃଷ୍ଟି କରାଯାଉଛି। ଅବଶ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ‘କଚାତୀଭୂ’କୁ ପ୍ରାୟ ନିଃସର୍ତ୍ତ ଶ୍ରୀଲଙ୍କାକୁ ଅର୍ପଣ କରିଦିଆଯିବା ଅପରିଣାମଦର୍ଶିତାର ପରିଚାୟକ ଥିଲା, କିନ୍ତୁ ଏହା ପଛରେ ଯେଉଁ ବାଧ୍ୟବାଧକତା ଥିଲା, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ। ପ୍ରକୃତରେ ଏହା ଥିଲା ବ୍ରିଟିସ ଶାସନ ମୁକ୍ତ ଶ୍ରୀଲଙ୍କା (ସିଲୋନ୍)ରେ ଅଗତ୍ୟା ବାସ କରିବାର ଅଧିକାର ହରାଇଥିବା ୭ ଲକ୍ଷ ୮୦ ହଜାର ଭାରତୀୟ ମୂଳୋଦ୍ଭବ ଦରିଦ୍ର ତାମିଲଙ୍କୁ ସେଠାରେ ପୁନଃ ସଂସ୍ଥାପନ କରିବାର ଦୀର୍ଘ ପ୍ରୟାସ କ୍ରମରେ ଏକ ଅନ୍ତିମ ‘ଡିଲ୍।’ ପ୍ରକାଶ ଥାଉ କି ‘ସିଲୋନ୍’ ସ୍ବାଧୀନ ହେବା ପରେ ସେଠାକାର ଚା’ ଓ କଫି ବଗିଚାରେ ବ୍ରିଟିସମାନଙ୍କ ଦ୍ବାରା ଦୀର୍ଘ କାଳ ଧରି ଶ୍ରମିକ ଭାବେ ନିୟୋଜିତ ଏହି ତାମିଲମାନଙ୍କ ଠାରେ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଉଭୟ ଆଗ୍ରହ ଏବଂ ସାଧନର ଅଭାବ ଥିଲା। ସୁତରାଂ, ସେଠାରେ ସେମାନଙ୍କ ନାଗରିକତ୍ବ ଲାଭକୁ ସୁଗମ କରିବା ସକାଶେ ପଣ୍ଡିତ ଜୱାହରଲାଲ ନେହରୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଯଥାକ୍ରମେ ୧୯୫୪ ଏବଂ ୧୯୬୪ ମସିହାରେ ଦୁଇଟି ଚୁକ୍ତି ସଂପାଦିତ ହୋଇଥିଲା। ତଥାପି ଏ ଦିଗରେ କ୍ରମାଗତ ଭାବେ ଶ୍ରୀଲଙ୍କା ସରକାରଙ୍କ ଟାଳଟୁଳ ଇନ୍ଦିରା ଗାନ୍ଧୀଙ୍କୁ ଏକ ‘ଡିଲ୍’ ସ୍ବରୂପ ‘କଚାତୀଭୂ’ ଦ୍ବୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତରିତ କରିବାକୁ ପଡ଼ିଥିଲା। ପ୍ରସଙ୍ଗ କ୍ରମେ ଏହା ମଧ୍ୟ ପ୍ରକାଶଯୋଗ୍ୟ ଯେ ଏହା ସତ୍ତ୍ବେ ପ୍ରତିଶ୍ରୁତି ରକ୍ଷା କରିବାରେ ଶ୍ରୀଲଙ୍କାର କୁଣ୍ଠା ଇନ୍ଦିରା ଗାନ୍ଧୀଙ୍କୁ ପ୍ରବଳ କ୍ଷୁବ୍ଧ କରିଥିଲା ଏବଂ ଏହା ପରେ ପରେ ଶ୍ରୀଲଙ୍କାରେ ପ୍ରାରମ୍ଭ ହୋଇଥିବା ଭୟାବହ ‘ତାମିଲ ଏଲମ’ ସଶସ୍ତ୍ର ବିଦ୍ରୋହ ଭାରତ ପ୍ରାୟୋଜିତ ଥିଲା ବୋଲି ଧାରଣା ମଧ୍ୟ ସୃଷ୍ଟି ହୋଇଥିଲା। ପ୍ରକାଶ ଥାଉ କି ପରିଶେଷରେ ୨୦୦୩ ମସିହାରେ ଏହି ଭାରତୀୟ ମୂଳୋଦ୍ଭବ ତାମିଲମାନେ ଶ୍ରୀଲଙ୍କାରେ ନାଗରିକତ୍ବ ଲାଭ କରି ପାରିଛନ୍ତି।
ଏହା ଏକ ବାସ୍ତବତା ଯେ ‘କଚାତୀଭୂ’କୁ ଫେରସ୍ତ ପାଇବା ଆଉ ସମ୍ଭବ ନୁହେଁ। ହୁଏତ ଆଲୋଚନା ମାଧ୍ୟମରେ ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଜୀବିକା ପ୍ରସଙ୍ଗ ନେଇ ଉଭୟ ରାଷ୍ଟ୍ର କିଛି ମିଳାମିଶାରେ ପହଞ୍ଚି ପାରନ୍ତି। କିନ୍ତୁ, କଥା ହେଲା ‘କଚାତୀଭୂ’ ବିବାଦର ପୁନରାବିର୍ଭାବକୁ ଏକ ନିରୋଳା ନିର୍ବାଚନୀ ଉଚ୍ଚାଟ ରୂପେ ନ ଦେଖି ଯଦି ଶ୍ରୀଲଙ୍କା ସରକାର ତାଙ୍କ ସାର୍ବଭୌମତ୍ବ ଉପରେ ହସ୍ତକ୍ଷେପ ରୂପେ ଦେଖନ୍ତି, ତେବେ ଉଭୟ ରାଷ୍ଟ୍ର ମଧ୍ୟରେ ସଂପର୍କ ତିକ୍ତ ହୋଇପାରେ। ବିଗତ କିଛି ଦଶକ ମଧ୍ୟରେ ଚୀନ ସହିତ ଶ୍ରୀଲଙ୍କାର ଘନିଷ୍ଠତା ଓ ନିର୍ଭରଶୀଳତା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଯଦି ଶ୍ରୀଲଙ୍କା ଦୀର୍ଘକାଳୀନ ଲିଜ୍ ସୂତ୍ରରେ ‘କଚାତୀଭୂ’କୁ ଚୀନ ହାତରେ ଅର୍ପଣ କରିଦିଏ, ତେବେ, ତାହା ଭାରତ ସକାଶେ ନୂତନ ମୁଣ୍ଡ ବ୍ୟଥାକୁ ଜନ୍ମ ଦେବ। ତେଣୁ ପ୍ରଶ୍ନ ଉଠେ ପ୍ରଧାନମନ୍ତ୍ରୀ ମୋଦୀ ଅତୀତ ଗର୍ଭରୁ ଏଭଳି ଏକ ଉତ୍ତେଜନା ସୃଷ୍ଟିକାରୀ ପ୍ରସଙ୍ଗ ଓଟାରି ଆଣିଲେ କାହିଁକି? ଅନେକଙ୍କ ମତରେ କଂଗ୍ରେସ ପରେ ଆଞ୍ଚଳିକ ଦଳଗୁଡ଼ିକୁ ଦଗ୍ଧ କରିବା କ୍ରମରେ ତାମିଲନାଡୁରେ କ୍ଷମତାସୀନ ‘ଡି.ଏମ୍.କେ.’ ତାଙ୍କର ପ୍ରଥମ ଶରବ୍ୟ ହୋଇଛି; କାରଣ ‘କଚାତୀଭୂ’ର ହସ୍ତାନ୍ତରଣ ସମୟରେ ତାମିଲନାଡୁ ‘ଡି.ଏମ୍.କେ.’ ଶାସନାଧୀନ ଥିଲା। କହିବା ଅନାବଶ୍ୟକ ଯେ ୨୦୧୪ ମସିହା ପରଠାରୁ ପରିଦୃଷ୍ଟ ତୀବ୍ର ଧ୍ରୁବୀକରଣର ରାଜନୀତିରେ ରାଜନୈତିକ ଦଳଗୁଡ଼ିକ, ସାଂପ୍ରତିକ ପ୍ରସଙ୍ଗଗୁଡ଼ିକୁ ନଜରଅନ୍ଦାଜ କରି, ପରସ୍ପରକୁ ଅପଦସ୍ଥ କରିବା ସକାଶେ ଦୂର ଅତୀତର ଘଟଣାଗୁଡ଼ିକୁ ବ୍ୟବହାର କରିବାରେ ବ୍ୟାପୃତ; ଯେମିତି ବ୍ରିଟିସମାନଙ୍କ ଠାରେ ବୀର ସବରକରଙ୍କ କ୍ଷମା ପ୍ରାର୍ଥନା ବା ନେହରୁଙ୍କ ଅପରିପକ୍ବ ଚୀନା ନୀତି ଅଥବା ଇନ୍ଦିରା ଗାନ୍ଧୀଙ୍କ ‘ଇମର୍ଜେନ୍ସ’ ଇତ୍ୟାଦି। ସୁତରାଂ, ସଦ୍ୟତମ ଦୃଷ୍ଟାନ୍ତ ହେଉଛି ‘କଚାତୀଭୂ।’ ‘ଅଭିନେତ୍ରୀ’ ଚଳଚ୍ଚିତ୍ରରେ ନାରାୟଣ ପ୍ରସାଦ ସିଂହଙ୍କ ରଚନା ଏବଂ ସଂଗୀତସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠ ନିସୃତ ସେହି ସୁଲଳିତ କାଳଜୟୀ ଗୀତଟି କହି ନ ଥାଏ କି: ‘ମରମ ତଳେ ଅତୀତ ଯେ ମରେନା, ଦହନ ଯେ ସରେନା।’