୪୫ ବର୍ଷ ପୁରୁଣା ଶତ୍ରୁତାର ନିଆଁ: ଭାରତ ଚିନ୍ତିତ, ସଂଯମ ପାଇଁ ପରାମର୍ଶ

‌ୱାସିଂଟନ: ଇରାନ୍‌ ଓ ଇସ୍ରାଏଲ ମଧ୍ୟରେ ଏବେ ଯେଉଁ ତିକ୍ତତା ଦେଖିବାକୁ ମିଳିଛି ତାହା ପଛରେ ୪୫ ବର୍ଷ ପୁରୁଣା ଶତ୍ରୁତା ରହିଛି। ୧୯୭୯ ଇରାନ୍‌ ବିପ୍ଳବ ସମୟରେ ଆମେରିକା ସହ ଜଡ଼ିତ ଥିବା ପହଲବୀ ରାଜବଂଶକୁ ଉଚ୍ଛେଦ କରାଯାଇଥିଲା। ଏହାପରେ ଆୟାତୋଲ୍ଲା ରୁହୁଲ୍ଲା ଖେମେନିଙ୍କ ନେତୃତ୍ୱରେ ଏକ ଧାର୍ମିକ ଶାସନ ବ୍ୟବସ୍ଥା ସୃଷ୍ଟି ହୋଇଥିଲା। ଏହି ଶାସନ ବ୍ୟବସ୍ଥା ଆମେରିକାକୁ ଏକ ବଡ଼ ‘ଶୈତାନ’ ବୋଲି କହିବା ସହ ‘ସବୁଠାରୁ ବଡ଼ ଶତ୍ରୁ’ ବୋଲି ଘୋଷଣା କରିଥିଲା। ଏଭଳି ପରିସ୍ଥିତିରେ ଲଗାତାର ତିକ୍ତତା, ଦ୍ବନ୍ଦ୍ବ ଓ ଲ‌ଢ଼େଇ ବଢ଼ିବା ସହ ପାଲେଷ୍ଟାଇନକୁ ନେଇ ଆମେରିକା ସର୍ବଦା ଇସ୍ରାଏଲର ପକ୍ଷରେ ରହିଲା। ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମକୁ ବିଫଳ କରିବା ପାଇଁ ଆମେରିକା ସମସ୍ତ ପ୍ରୟାସ ଜାରି ରଖିବା ସହ ଅନ୍ୟ ଇସ୍‌ଲାମିକ ରାଷ୍ଟ୍ରଗୁଡ଼ିକ ସହ ଇରାନ୍‌ର ସମ୍ବନ୍ଧ ଉପରେ କଡ଼ା ନଜର ରଖିବା ଆରମ୍ଭ କଲା।

ଗତ ଦଶନ୍ଧି ମଧ୍ୟରେ ଉଭୟ ତେହେରାନ ଓ ତେଲ ଅଭିଭ୍‌ ପରସ୍ପର ଉପରେ ଆକ୍ରମଣ କରିଥିଲେ ମଧ୍ୟ ଆକ୍ରମଣରେ ସିଧାସଳଖ ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି। ତେଣୁ ଉଭୟ ରାଷ୍ଟ୍ରର ଗୁପ୍ତ ଆକ୍ରମଣଜନିତ କ୍ଷୟକ୍ଷତିକୁ ନେଇ ଅନେକ କିଛି ଲୋକଲୋଚନକୁ ଆସିନାହିଁ। ବର୍ଷ ବର୍ଷ ଧରି ସେମାନଙ୍କ ମଧ୍ୟରେ ଚାଲିଥିବା ଏହି ସଂଘର୍ଷକୁ ‘ଛାୟା ଯୁଦ୍ଧ’ ବୋଲି କୁହାଯାଉଛି। ଏହି ଛାୟା ଯୁଦ୍ଧ ମଧ୍ୟରେ ଲେବାନନ୍ ଓ ସିରିଆ ଦୁଇଟି ଯୁଦ୍ଧକ୍ଷେତ୍ର ଭାବେ ଉଭା ହୋଇଥିଲେ। ଲେବାନନ୍‌ରୁ ଆସିଥିବା ହେଜବୋଲ୍ଲାକୁ ଇରାନ ସମର୍ଥନ କରିଥିବା ବେଳେ ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପରଠାରୁ ସ୍ଥିତି ସଂପୂର୍ଣ୍ଣ ବଦଳିଗଲା। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲର ସହରଗୁଡ଼ିକ ଉପରେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ୧୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖାଯାଇଥିଲା। ହମାସ୍‌ ଆକ୍ରମଣ ଘଟଣାରେ ଇରାନ୍‌ କୌଣସି ଭୂମିକାକୁ ସାର୍ବଜନୀନ ମନ୍ତବ୍ୟରେ ଅସ୍ୱୀକାର କରିଥିଲେ ମଧ୍ୟ ଇସ୍ରାଏଲ ସହର ଉପରେ ହୋଇଥିବା ଆକ୍ରମଣକୁ ସ୍ୱାଗତ କରିଥିଲା। ହମାସ୍‌ ସପକ୍ଷରେ ଇରାନ୍‌ର କ୍ରମାଗତ ବୟାନ ଏବଂ ଇସ୍ରାଏଲକୁ ବାରମ୍ବାର ଧମକ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତାକୁ ଚରମରେ ପହଞ୍ଚାଇଥିଲା।

ଅକ୍ଟୋବର ୭ ଆକ୍ରମଣ ପରେ ଇସ୍ରାଏଲ ଏହାର ଭୟଙ୍କର ଜବାବ ଦେଇଛି ଏବଂ ଗାଜା ଷ୍ଟ୍ରିପ୍ ଉପରେ ସବୁ ପ୍ରକାର ଆକ୍ରମଣ ଜାରି ରଖିଛି। ଜାତିସଂଘର ଆକଳନ ଅନୁଯାୟୀ, ଇସ୍ରାଏଲର ଜବାବରେ ୩୩,୦୦୦ରୁ ଅଧିକ ପାଲେଷ୍ଟାଇନ୍ ନାଗରିକ ନିହତ ହୋଇଛନ୍ତି। ଇସ୍ରାଏଲ ଉପରକୁ ଲେବାନନରୁ ରକେଟ୍ ମାଡ଼ କରି ହେଜବୋଲ୍ଲା ଆଉ ଏକ ମୋର୍ଚ୍ଚା ଖୋଲିଥିବା ବେଳେ ଏହାପଛରେ ଇରାନ୍‌ର ପୂର୍ଣ୍ଣ ସମର୍ଥନ ରହିଥିବାରୁ ଇସ୍ରାଏଲ ସିରିଆର ରାଜଧାନୀ ଦମାସ୍କସ୍‌ରେ ବିମାନ ଆକ୍ରମଣ କରି ଇରାନ୍‌ର ଦୂତାବାସକୁ ଧ୍ବଂସ କରିଦେଇଥିଲା। ଏଥିରେ ଇରାନ୍‌ର ଦୁଇ ଜଣ ବରିଷ୍ଠ କମାଣ୍ଡରଙ୍କ ସମେତ ଅନେକ ଇରାନୀୟଙ୍କ ମୃତ୍ୟୁ ହୋଇଥିଲ। ଏହାର ପ୍ରତିଶୋଧ ନେବାକୁ ଇରାନ୍‌ ଗତରାତିରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଇତିମଧ୍ୟରେ ଇରାନ-ଇସ୍ରାଏଲ ଉତ୍ତେଜନାକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ପରିସ୍ଥିତିକୁ ଆଉ ନ ବିଗାଡ଼ି ସେମାନେ ସଂଯମ ରକ୍ଷା କରନ୍ତୁ ବୋଲି ଉଭୟ ଇରାନ ଏବଂ ଇସ୍ରାଏଲକୁ ପରାମର୍ଶ ଦେଇଛି। ସୂଚନାଯୋଗ୍ୟ ଯେ ଉଭୟ ରାଷ୍ଟ୍ର ସହିତ ଭାରତର ସଂପର୍କ ଭଲ ରହିଛି।

ସମ୍ବନ୍ଧିତ ଖବର