ଗ୍ରୀକ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ୭୫୦ ଲୋକ ଥିବା ମାଛଧରା ଜାହାଜ; ୭୯ ମୃତ, ଅନେକ ନିଖୋଜ

କାଲାମାଟା: ଗ୍ରୀସ୍‌ ଉପକୂଳ ଅନ୍ତର୍ଗତ ଭୂମଧ୍ୟ ସାଗରରେ ମାତ୍ରାଧିକ ଲୋକ ଯାତ୍ରା କରୁଥିବା ଗୋଟାଏ ମାଛଧରା ଜାହାଜ ବୁଧବାର ରାତିରେ ବୁଡ଼ିଯିବାରୁ ଅନ୍ୟୂନ ୭୯ଜଣ ପ୍ରବାସୀ ବୁଡ଼ି ମରିଥିବା ବେଳେ ଆହୁରି ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ନିଖୋଜ ବ୍ୟକ୍ତିମାନଙ୍କୁ ତଲାସ କରିବା ଲାଗି କଷ୍ଟସାଧ୍ୟ ଉଦ୍ୟମ ଚାଲିଥିବା ବେଳେ ଏକ ୟୁରୋପୀୟ ‘ରେସ୍କ୍ୟୁ-ସପୋର୍ଟ ଚାରିଟି’ କହିଛି ଯେ, ପ୍ରାୟ ୬୫ ଫୁଟ୍‌ରୁ ୧୦୦ ଫୁଟ୍‌ ଲମ୍ବବିଶିଷ୍ଟ ଉକ୍ତ ଜାହାଜରେ ପ୍ରାୟ ୭୫୦ଜଣ ଲୋକ ଥିଲେ ବୋଲି ମନେକରାଯାଉଛି। ବୁଧବାର ମଧ୍ୟାହ୍ନ ସୁଦ୍ଧା ୧୦୪ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର କରାଯାଇଥିବା ବ୍ୟକ୍ତିମାନଙ୍କୁ ପାଇଲସ୍‌ ନଗରୀ ନିକଟ ଗ୍ରୀକ୍‌ର କାଲାମାଟି ବନ୍ଦରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ଗୋଦାମ ଘରେ ଆଶ୍ରୟ ଦିଆଯାଇଥିଲା। ସେଠାରେ ସେମାନେ ଚିକିତ୍ସାଧୀନ ଅଛନ୍ତି। ପରେ ସେମାନଙ୍କୁ ଆଥେନ୍‌ସ୍‌ ନଗରୀ ବାହାରେ ଥିବା ଏକ ଶିବିରକୁ ନିଆଯିବ।

Image Courtesy of The Straits Times

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲିବ୍ୟାରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଜାହାଜରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଜିପ୍ଟ୍‌, ସିରିୟା ଏବଂ ପାକିସ୍ତାନର ନାଗରିକ।

ଭୂମଧ୍ୟସାଗର ଜଳରାଶିରେ ସେନା ବିମାନରୁ ଆଲୋକ ପକାଯାଇ ବୁଧବାର ରାତି ସାରା ତଲାସ ଓ ଉଦ୍ଧାର ଅଭିଯାନ ଚାଲିଥିଲା।

ଗ୍ରୀକ୍‌ ତଟରକ୍ଷୀ ରିପୋର୍ଟ କରିଛି ଯେ, ବୁଧବାର ରାତିରେ ଜାହାଜର ଇଞ୍ଜିନ ଅଚଳ ହୋଇଯାଇଥିଲା। ସେମାନେ ଉକ୍ତ ଜାହାଜ ନିକଟରେ ପହଞ୍ଚି ସହାୟତା କରିବାକୁ କହିଥିଲେ। କିନ୍ତୁ, ବାହାର ଡେକ୍‌ରେ ଥିବା ପ୍ରବାସୀମାନେ ସାହାଯ୍ୟ ଗ୍ରହଣ କରିବାକୁ ମନା କରି ଇଟାଲି ଅଭିମୁଖେ ଯାତ୍ରା ଜାରି ରଖିବାକୁ ଇଚ୍ଛା ପ୍ରକାଶ କଲେ। କିନ୍ତୁ, କିଛି ସମୟ ପରେ ଜାହାଜଟି ଦୁଇ ପଟକୁ ଟଳମଳ ହେବା ସହିତ ଓଲଟିପଡ଼ି ବୁଧବାର ରାତି ପ୍ରାୟ ୨ ବେଳେ ବୁଡ଼ିଗଲା।

ସମ୍ବନ୍ଧିତ ଖବର