ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ କଂଗ୍ରେସ ଦ୍ୱାରରେ ଯାଇ ବସିଛନ୍ତି: ଅମିତ ଶାହ

ପାଟନା: ‘ପଲଟୁ ରାମ’ କହି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଲଖିସରାୟରେ ହୋଇଥିବା ସାଧାରଣ ସଭାରେ ଅମିତ ଶାହା ଯୋଗ ଦେଇ ନୀତୀଶ କୁମାରଙ୍କୁ ‘ପଲଟୁ ରାମ’ ବୋଲି କହିିଥିବା ଜଣାପଡ଼ିଛି। ମୋଦୀ ସରକାରଙ୍କ ୯ବର୍ଷ ପୂରଣ ହେବା ପରେ ସରକାରଙ୍କ ସଫଳତା ବିଷୟରେ ଜଣାଇବା ପାଇଁ ଏହି ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣ ଯୋଜନା ବିଷୟରେ ଉଲ୍ଲେଖ କରିବା ପରେ ଅମିତ ଶାହା ନୀତୀଶ କୁମାରଙ୍କ ସମେତ ଅନ୍ୟ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି।

ଅମିତ ଶାହା କହିଛନ୍ତି ଯେ ବର୍ତ୍ତମାନ ‘ପଲଟୁ ବାବୁ’ ନୀତୀଶ କୁମାର ପଚାରିଛନ୍ତି ଯେ ଆମେ ୯ବର୍ଷରେ କ’ଣ କରିଛୁ? ନୀତୀଶ ବାବୁ, ଯାହାଙ୍କ ସହ ମିଶି ସେ ଏତେ ଦିନ କ୍ଷମତାରେ ରହିଲ, ଯାହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲ, ତାଙ୍କୁ ଟିକିଏ ତ ସମ୍ମାନ ଦିଅ। ଏହି ୯ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ କାମ କରିଛନ୍ତି। ମୋଦୀଜୀଙ୍କ ଏହି ୯ବର୍ଷ ଗରିବ କଲ୍ୟାଣ, ଭାରତର ଗୌରବ, ଭାରତର ସୁରକ୍ଷାର ୯ବର୍ଷ।

ଚଳିତ ମାସ ଜୁନ୍ ୨୩ରେ, ପ୍ରାୟ ୨୧ବିରୋଧୀ ଦଳ ପାଟନାରେ ଏକାଠି ହୋଇଥିଲେ। ୨୦୨୪ରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ଉପରେ ପ୍ରତିକ୍ରିୟା ଦେଇ ଅମିତ ଶାହା କହିଛନ୍ତି, ‘ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ କଂଗ୍ରେସ ଦ୍ୱାରରେ ଯାଇ ବସିଛନ୍ତି। ନୀତୀଶ ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି ନାହିଁ, ସେ କେବଳ ଲାଲୁଙ୍କୁ ବୋକା ବନାଉଛନ୍ତି। ସେ କେବଳ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି।’ ଶାହାଙ୍କ ଏଭଳି ବୟାନ ଉପରେ ନୀତୀଶ କିଭଳି ପ୍ରତିକ୍ରିୟା ରଖିବେ, ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର