ଅମୂଲ ଅନ୍ତର୍ଜାତୀୟ ବଜାରରେ ପାଦ ଦେଲା: ଆମେରିକା ଲୋକେ ଚାଖିବେ ସ୍ବାଦ

ନୂଆଦିଲ୍ଲୀ: ପ୍ରସିଦ୍ଧ ଘରୋଇ ଦୁଗ୍ଧ ବ୍ରାଣ୍ଡ ଅମୂଲ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି। ଆମେରିକାର ଲୋକଙ୍କୁ ଅମୂଲ ଏହାର ଉତ୍ପାଦର ସ୍ବାଦ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି। ଅମୂଲ ଚଳାଉଥିବା ଗୁଜୁରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) ର ଏମଡି ଜୟନ୍ ମେହେଟ୍ଟା କହିଛନ୍ତି ଯେ ଆମୂଲ ଆମେରିକାରେ ଏହାର ଦୁଗ୍ଧ ଉତ୍ପାଦ ଲଞ୍ଚ କରିବ। ସେ କହିଛନ୍ତି, ଏଥିପାଇଁ ଆମେ ଆମେରିକାର ୧୦୮ ବର୍ଷ ପୁରୁଣା ଦୁଗ୍ଧ ସମବାୟ ସମିତି ମିସିଗାନ୍ ଦୁଗ୍ଧ ଉତ୍ପାଦକ ସଂଘ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ମାର୍ଚ୍ଚ ୨୦ ରେ ଡେଟ୍ରୋଇଟ୍ ରେ ସେମାନଙ୍କର ବାର୍ଷିକ ବୈଠକରେ ଏହା ଘୋଷଣା କରାଯାଇଥିଲା ।

ମେହେଟ୍ଟା ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ ଅମୂଲ ପ୍ରଥମ ଥର ପାଇଁ ଦେଶ ବାହାରେ ଦୁଗ୍ଧ ଉତ୍ପାଦଯୋଗାଇବ। ଆମେରିକାର ବଜାର ଆମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଆମେରିକାରେ ଭାରତୀୟ ଏବଂ ଏସୀୟ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ । ସେ କହିଛନ୍ତି ଯେ ନିକଟରେ ଆୟୋଜିତ ହୋଇଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଲକ୍ଷ୍ୟ ଅନୁଯାୟୀ ବ୍ରାଣ୍ଡକୁ ବିସ୍ତାର କରି ସର୍ବ ବୃହତ ଦୁଗ୍ଧ କମ୍ପାନୀ କରିବାକୁ ଅମୂଲ ଆଶା ରଖିଛି।

ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦ ବର୍ଷ ପୂର୍ବେ ଗୁଜୁରାଟର କୃଷକମାନେ ଲଗାଇଥିବା ଏକ ଚାରା ବର୍ତ୍ତମାନ ଏକ ବିରାଟ ଗଛରେ ପରିଣତ ହୋଇଛି। ଅମୂଲ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିଶ୍ବର ୫୦ରୁ ଅଧିକ ଦେଶକୁ ରପ୍ତାନି ହୁଏ । ଏହା ଅଧୀନରେ ୧୮,୦୦୦ ରୁ ଅଧିକ ଦୁଗ୍ଧ ସମବାୟ ସମିତି ଏବଂ ୩୬,୦୦୦ରୁ ଅଧିକ ଚାଷୀଙ୍କ ନେଟୱାର୍କ ଅଛି। ଏହି ନେଟୱାର୍କ ପ୍ରତିଦିନ ୩.୫ କୋଟି ଲିଟରରୁ ଅଧିକ କ୍ଷୀର ପ୍ରକ୍ରିୟାକରଣ କରିଥାଏ ।

ବିଶ୍ୱରେ ଦୁଗ୍ଧ ଉତ୍ପାଦନରେ ଭାରତର ଅବଦାନ ପ୍ରାୟ ୨୧ ପ୍ରତିଶତ । ଏହା ଧ୍ୟାନ ଦେବା ଜରୁରୀ ଯେ ୧୯୫୦ ଏବଂ ୧୯୬୦ ଦଶକରେ ଭାରତର ଦୁଗ୍ଧ କ୍ଷେତ୍ରର ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେହି ସମୟରେ ଭାରତରେ ଦୁଗ୍ଧର ଅଭାବ ଥିଲା। ଭାରତ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ଥିଲା । ୧୯୬୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଗୁଜୁରାଟର ଆନନ୍ଦ ଜିଲ୍ଲା ଗସ୍ତ ପରେ ୧୯୬୫ମସିହାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ଗଠନ କରାଯାଇଥିଲା। ସମଗ୍ର ଦେଶରେ ‘ଆଣନ୍ଦ ପାଟର୍ନ’ ଦୁଗ୍ଧ ସମବାୟ ସମିତି ଗଠନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ‘ଅପରେସନ୍ ଫ୍ଲଡ୍’ ମାଧ୍ୟମରେ ଅନେକ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଥିଲା।

ସମ୍ବନ୍ଧିତ ଖବର