ଆଜି କ୍ରେମ୍‌ଲିନ୍‌ ଉତ୍ସବରେ ୪ଟି ୟୁକ୍ରେନୀୟ ଅଞ୍ଚଳକୁ ରୁଷ୍‌ରେ ମିଶାଇବେ ପୁଟିନ୍‌

ମସ୍କୋ: ଆଜି କ୍ରେମ୍‌ଲିନ୍‌ରେ ଆୟୋଜନ ହେବକୁ ଥିବା ଉତ୍ସବରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ ବିଧିବଦ୍ଧଭାବେ ୪ଟି ୟୁକ୍ରେନୀୟ ଅଞ୍ଚଳକୁ ରୁଷ୍‌ ଦଖଲକୁ ନେବେ। ରୁଷ୍-ୟ‌େୁକ୍ରେନ୍‌ ଯୁଦ୍ଧର ସପ୍ତମ ମାସରେ ରାଷ୍ଟ୍ରପତି ପୁଟିନ୍‌ ୟୁକ୍ରେନ୍‌ର ଜାପୋରିଝଝିଆ ଏବଂ ଖେର୍‌‌ସନ୍‌ ଅଞ୍ଚଳକୁ ସ୍ବାଧୀନ ବୋଲି ସ୍ବୀକୃତି ଦେଇଥିଲେ। ଫେବ୍ରୁଆରି ମାସରେ ମଧ୍ୟ ସେ ୟୁକ୍ରେନ୍‌ର ଲହାନ୍‌ସ୍କ ଏବଂ ଦୋନେତସ୍କ କ୍ଷେତ୍ରରେ ଏ ଭଳି ପଦକ୍ଷେପ ଗ୍ରହଣ କରିଥିଲେ।

ରୁଷ୍‌ ବିଜୟ କରିଥିବା ଉପରୋକ୍ତ ଅଞ୍ଚଳଗୁଡ଼ିକୁ ଦଖଲକୁ ନିଆଯିବା କଥା ଆଜି ଆୟୋଜନ ହୋଇଥିବା ଉତ୍ସବରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଏହି ଉତ୍ସବରେ ରାଷ୍ଟ୍ରପତି ପୁଟିନ୍‌ ଗୁରୁତ୍ବପୂର୍ଣ୍ଣ ଭାଷଣ ଦେବେ ବୋଲି ଆଶା କରାଯାଉଛି।

Image Courtesy of The Hindu

ସ୍ବାଧୀନ ତଥା ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେଇଥିବା ୟୁକ୍ରେନ୍‌ର ଉକ୍ତ ଅଞ୍ଚଳଗୁଡ଼ିକୁ ରୁଷୀୟ ରାଷ୍ଟ୍ରସଂଘରେ ସାମିଲ କରିବା ନିମନ୍ତେ ଉଦ୍ଦିଷ୍ଟ ଚୁକ୍ତିପତ୍ର ସ୍ବାକ୍ଷର ସଭାରେ ରାଷ୍ଟ୍ରପତି ପୁଟିନ୍‌ ଅଧ୍ୟକ୍ଷତା କରିବେ। ତିନି ଦିନ ପୂର୍ବେ ରୁଷ୍‌ ୟୁକ୍ରେନ୍‌ର ଉପରୋକ୍ତ ୪ଟି ଅଞ୍ଚଳରେ ‌‘ରେଫରେଣ୍ଡମ୍‌’ (ମତ ଗ୍ରହଣ) କରିଥିଲା। ଏଥିରେ ୯୦ ପ୍ରତିଶତ ଜନତା ରୁଷ୍‌ରେ ସାମିଲ ହେବାକୁ ମତ ଦେଇଥିବା କଥା ମସ୍କୋ କହିଥିଲା।

Image Courtesy of NDTV

ଏବେ ମସ୍କୋ କହୁଛି ଯେ, ସେମାନଙ୍କର ‘ଐତିହାସିକ ମାତୃଭୂମି’କୁ ଫେରିଯିବାକୁ ‌ଜନସାଧାରଣ ଅବାଧରେ ମତଦାନ କରିଛନ୍ତି।

ଆଜି ଅପରାହ୍ଣ ୩ଟା ବେଳେ ‘ଗ୍ରାଣ୍ଡ୍‌ କ୍ରେମ୍‌ଲିନ୍‌ ପାଲେସ୍‌’ର ‘ସେଣ୍ଟ୍‌ ଜର୍ଜସ୍‌ ହଲ୍‌’ରେ ଏହି ଉତ୍ସବ ଆୟୋଜନ କରାଯିବ।

ସମ୍ବନ୍ଧିତ ଖବର