ଫୋନ୍‌ ଝାମ୍ପିନେବା ବେଳେ ବି.ଟେକ୍‌ ଛାତ୍ରୀ ମୃତ୍ୟୁ ଘଟଣା; ପୁଲିସ ଏନ୍‌କାଉଣ୍ଟର୍‌ରେ ଅଭିଯୁକ୍ତ ନିହତ

ଗାଜିଆବାଦ: ଫୋନ୍‌ ଝାମ୍ପିନେବା ବେଳେ ଜଣେ ବି.ଟେକ୍‌ ଛାତ୍ରୀ ମରିଯିବା ମାମଲାରେ ଖୋଜାପଡ଼ିଥିବା ୨୮ ବର୍ଷିୟ ଅପରାଧୀଜଣକ ଆଜି ସକାଳେ ଏନ୍‌କାଉଣ୍ଟର୍‌ କରି ମାରିଥିବା କଥା ଗାଜିଆବାଦ୍‌ ପୁଲିସ କହିଛି।

ପୁଲିସ କହିଛି, ଅଭିଯୁକ୍ତ ହେଉଛନ୍ତି ଗାଜିଆବାଦର ମାସୁରି ଅନ୍ତର୍ଗତ ମିଶାଲ୍‌ ଗଡ଼ି ଅଞ୍ଚଳବାସୀ ଜିତେନ୍ଦ୍ର ଓରଫ ଜିତୁ।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ଦିନ ‘ଏବିଇଏସ୍‌ କଲେଜ୍‌’ର ବି-ଟେକ୍‌ ଛାତ୍ରୀ କିର୍ତ୍ତି ସିଂହ ଗୋଟାଏ ଅଟୋରିକ୍ସାରେ ବାନ୍ଧବୀ ଦୀକ୍ଷା ଜିନ୍ଦଲ୍‌ଙ୍କ ସହିତ ହାପୁରସ୍ଥିତ ଘରକୁ ଫେରୁଥିଲେ। ଅଟୋ ୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଜଣେ ଯୁବକ ଦୀକ୍ଷାଙ୍କଠାରୁ ଫୋନ୍‌ ଛଡ଼ାଇ ନେବା ବ‌େଳେ ସେ ଅଟୋରୁ ପଡ଼ି ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗାଜିଆବାଦର ଯଶୋଦା ହସ୍ପିଟାଲ୍‌ରେ କିର୍ତ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା।

Image Courtesy of Jagran

କିର୍ତ୍ତିଙ୍କଠାରୁ ଫୋନ୍‌ ଛଡ଼ାଇବା ବ‌େଳେ ବଲବୀର ନାମକ ଅନ୍ୟତମ ଅଭିଯୁକ୍ତ ବାଇକ୍‌ ଚଳାଉଥିଲେ ଓ ଅଭିଯୁକ୍ତ ଜିତେନ୍ଦ୍ର ପଛରେ ବସିଥିଲେ।

ଗାଜିଆବାଦ ଗ୍ରାମୀଣ ଅଞ୍ଚଳର ‘ଡିସିପି’ ବିବେକ ଯାଦବ କହିଛନ୍ତି, ରବିବାର ରାତି ପ୍ରାୟ ୩ଟା ବେଳେ ଗଙ୍ଗା ନଦୀ ରାସ୍ତାରେ ଯାଞ୍ଚ କରୁଥିବା ବ‌େଳେ ପୁଲିସ ବାଇକ୍‌ ଚଳାଇ ଯାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଅଟକାଇବାକୁ ସଙ୍କେତ ଦେଲେ। କିନ୍ତୁ, ସେମାନେ ହଠାତ୍‌ ବୁଲି ପଡ଼ି ଦ୍ରୁତ ବେଗରେ ପଳାଇଯିବାକୁ ଉଦ୍ୟମ କଲେ। ପୁଲିସ ସେମାନଙ୍କର ଅନୁଧାବନ କରିବାରୁ ଅଭିଯୁକ୍ତ ଗୁଳି ଚଳାଇଲେ ଓ ଜଣେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଗୁଳି ଚୋଟରେ ଆହତ ହେଲେ। ପୁଲିସ ପାଲଟା ଗୁଳି ଚଳାଇବାରୁ ଅଭିଯୁକ୍ତ ଗୋଡ଼ରେ ବାଜିଲା ଓ ସେମାନେ ରାସ୍ତାରେ ପଡ଼ିଗଲେ। ପୁଲିସ ସେଠାରେ ପହଞ୍ଚି ଆହତ ଜିତେନ୍ଦ୍ରକୁ ଧରି ପକାଇଲେ, କିନ୍ତୁ ଅନ୍ଧାକାରର ସୁଯୋଗ ନେଇ ଅନ୍ୟଜଣକ ଘଟଣାସ୍ଥଳରୁ ଖସି ପଳାଇଗଲେ।

ଆହତ ଜିତେନ୍ଦ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ଜିତେନ୍ଦ୍ର ନାଁରେ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର ବିଭିନ୍ନ ଥାନାରେ ପ୍ରାୟ ୧୨ଟି ଡକାୟତି ଓ ଛିନ୍‌ତାଇ ମାମଲା ରହିଛି।

ସମ୍ବନ୍ଧିତ ଖବର