ଅଯୋଧ୍ୟାରେ ରାମ ମନ୍ଦିର ହେଉ ବୋଲି କଂଗ୍ରେସ ଚାହେଁ : ସଚିନ ପାଇଲଟ୍‌

ଜୟପୁର : ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉ, ଏହା କଂଗ୍ରେସ ଚାହୁଁଛି ବୋଲି କହିଛନ୍ତି କଂଗ୍ରେସ ନେତା ତଥା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ସେ କହିଛନ୍ତି ଯେ କୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିଛନ୍ତି ଓ ଏବେ ଲୋକମାନେ ବିବାଦ ଶେଷ କରିଦେବା ଉଚିତ । ଆମେ ସମସ୍ତେ ଆନନ୍ଦର ସହ କୋର୍ଟଙ୍କ ନିଷ୍ପତ୍ତିକୁ ମାନିନେବା ଉଚିତ, ଏ ନେଇ ରାଜନୀତି କରାଯିବା ଉଚିତ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଲୋକମାନେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଥିଲେ ସେମାନେ ଏବେ ବୁଝିଯିବା ଉଚିତ ଯେ ଆଗକୁ ଏହାକୁ ନେଇ ଆଉ ରାଜନୀତି କରିହେବ ନାହିଁ ।
ସୁପ୍ରିମକୋର୍ଟ ଗତ ୯ ତାରିଖରେ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମମନ୍ଦିର ନିର୍ମାଣ ପାଇଁ ରାୟ ଦେଇଥିଲେ ।
ନିକଟରେ ସମାପ୍ତ ରାଜସ୍ଥାନ ମ୍ୟୁନିସିପାଲିଟି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ସେ ସନ୍ତୋଷ ପ୍ରକାଶ କରିବାସହ କହିଛନ୍ତି ଯେ ସାରା ଦେଶରେ ବାତାବରଣ ବଦଳୁଛି । ଏହି ନିର୍ବାଚନରେ ୪୯ଟି ମ୍ୟୁନିସିପାଲିଟିରୁ ୨୦ଟିରେ କଂଗ୍ରେସ ସ୍ପଷ୍ଟ ବହୁମତ ପାଇଥିଲା । ଅନ୍ୟପକ୍ଷରେ ବିଜେପି ମାତ୍ର ୬ଟିରେ ବହୁମତ ପାଇଥିଲା ।

ସମ୍ବନ୍ଧିତ ଖବର